କନକ ବ୍ୟୁରୋ: ଧକ୍କା ଦେଲା ଟ୍ରକ, ଜଳିଗଲା କାର । ଗତକାଲି ବିଳମ୍ବିତ ରାତିରେ ବରମୁଣ୍ଡା ପଡ଼ିଆ ସମ୍ମୁଖରେ ଏପରି ଏକ ଦୁର୍ଘଟଣା ଘଟିଛି । ଖୋର୍ଦ୍ଧାପଟକୁ ଯାଉଥିବା ଏକ କାରକୁ ଟ୍ରକ ପଛପଟୁ ଧକ୍କା ଦେବାରୁ ଘଟଣାସ୍ଥଳରେ ହୁତୁହୁତୁ ହୋଇ ଜଳିଯାଇଛି କାର । ତେବେ କାରର ଚାଳକ ଜଣକ ବର୍ତ୍ତିଯାଇଛନ୍ତି ।

ସୂଚନା ଅନୁସାରେ ବିଳମ୍ବିତ ରାତିରେ ଜାଗମରା ଅଂଚଳର ବିଶ୍ୱଜିତ ସିତାର କାମ ସାରି କଟକରୁ ଘରକୁ ଫେରୁଥିଲେ । ଫାୟାର ଷ୍ଟେସନ ଓଭରବ୍ରିଜ ଗଡ଼ିବା ବେଳେ ପଛପଟୁ ଆସୁଥିବା ଟ୍ରକ ଧକ୍କା ଦେଇଥିଲା । ଟ୍ରକଟି ଦ୍ରୁତ ଗତିରେ ଆସୁଥିବାରୁ କାରକୁ ପ୍ରାୟ ଶହେ ମିଟର ପର୍ଯ୍ୟନ୍ତ ଘୋଷାଡ଼ି ନେଇଥିଲା । କାରଟି ଭାରସାମ୍ୟ ହରାଇ ରାସ୍ତାର ବାମ ପାଶ୍ୱର୍କୁ ଚାଲିଯିବା ସହ ନିଆଁ ଲାଗିଯାଇଥିଲା । ବିଶ୍ୱଜିତଙ୍କ ମୁଣ୍ଡରେ ଆଘାତ ହେବା ସହ ପ୍ରଥମେ ସେ କାରରେ ଫସିରହିଥିଲେ । ସୁଯୋଗ ପାଇ ଟ୍ରକ ଧରି ଚାଳକ ଫେରାର ହୋଇଯାଇଥିବା ବେଳେ ପ୍ରଚଣ୍ଡ ଶବ୍ଦରେ ଅନ୍ୟ ଗାଡ଼ିଚାଳକ ମାନେ ଭୟଭୀତ ହୋଇପଡ଼ିଥିଲେ । ପରେ ଗାଡ଼ି ଭିତରୁ ବିଶ୍ୱଜିତଙ୍କୁ ଉଦ୍ଧାର କରିଥିଲେ ସ୍ଥାନୀୟ ଲୋକ । ଖଣ୍ଡଗିରି ଥାନା ପୁଲିସ ଘଟଣାସ୍ଥଳରେ ପହଂଚି ଜାତୀୟ ରାଜପଥରୁ ଗାଡ଼ି ହଟାଇବା ସହ ଆହତ ବିଶ୍ୱଜିତଙ୍କୁ କ୍ୟାପିଟାଲ ହସ୍ପିଟାଲ ନେଇଥିଲା ।