କନକ ବ୍ୟୁରୋ: ଗତକାଲି ବିଳମ୍ବିତ ରାତିରେ ୧୬ ନମ୍ବର ଜାତୀୟ ରାଜପଥ ତଳଖେତା ଖଡ଼ି ଜୋର ନିକଟରେ ଏକ କାର୍ ଜଳି ଯାଇଛି। କିନ୍ତୁ ସୌଭାଗ୍ୟକୁ କାରରେ ଥିବା ଭାଇ ଭଉଣୀ ଅଳ୍ପକେ ବର୍ତି ଯାଇଛନ୍ତି। ସେମାନେ ହେଲେ, ଭୁବନେଶ୍ୱର ଚନ୍ଦ୍ରଶେଖରପୁର ବିଡିଏ କଲୋନିର ବାସିନ୍ଦା ଟିଟି କ୍ରିଷ୍ଣା ଓ ତାଙ୍କ ବଡ଼ ଭଉଣୀ ଇ. ମଂଜୁବାନି। କାର୍ ଚାଳକ ଟିଟି କ୍ରିଷ୍ଣାଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ସେମାନେ ବର୍ତି ଯାଇଛନ୍ତି। ଖବର ପାଇ ଜଟଣୀରୁ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କଲା ବେଳକୁ କାରଟି ସମ୍ପୂର୍ଣ୍ଣ ଜଳି ଯାଇଥିଲା।

Advertisment

publive-image

ସୂଚନାନୁସାରେ, ଭାଇ ଭଉଣୀ ଦୁହେଁ ନୟାଗଡ଼ରୁ କାର(ଓଡି୩୩-ସି-୩୬୭୩) ଯୋଗେ ଭୁବନେଶ୍ୱର ଫେରୁଥିଲେ। ନୟାଗଡ଼ରେ ତାଙ୍କର ଜଣେ ଅସୁସ୍ଥ ସମ୍ପର୍କୀୟଙ୍କୁ ଦେଖା କରି ସେମାନେ ଘରକୁ ଫେରୁଥିଲେ। ସେମାନେ ଗଙ୍ଗପଡ଼ା ବଜାର ଛକ ପାର୍ ହୋଇ ତଳଖେତା ଛକ ଆଡ଼କୁ ଆସୁଥିବା ବେଳେ ହଠାତ୍ ଇଂଜିନଟି ହୁତ୍ହୁତ୍ ହୋଇ ଜଳିବାକୁ ଲାଗିଲା। ଟିଟି କ୍ରିଷ୍ଣା କାର୍କୁ ଅଟକାଇବା ପାଇଁ ବ୍ରେକ୍ ମାରିଲେ ବି ତାହା କାମ ନ କରିବାରୁ ଗାଡ଼ିଟି ଅଟକିନଥିଲା। ଜଳନ୍ତା କାର୍କୁ ଦେଖି ରାଜପଥରେ ଯାଉଥିବା ଲୋକେ ପାଟି କରିଥିଲେ।

publive-image

କିନ୍ତୁ କାହା ପାଖରେ କିଛି କରିବାର ନଥିଲା। ତେବେ କିଛି ବାଟ ଯିବା ପରେ କାର୍ଟି ଅଟକି ଯାଇଥିଲା ଓ ସେଥିରୁ ୨ଜଣ ଯାକ ବାହାରି ପଡ଼ି ଦୌଡ଼ିଥିଲେ। ପରେ କାରଟି ରାଜପଥ ଉପରେ ଜଳିବାକୁ ଲାଗିଥିଲା। ଖବର ପାଇ ଯାଁଳା ଫାଣ୍ଡି ପୁଲିସ ଓ ଜଟଣୀରୁ ଦମକଳ ଗାଡ଼ି ସେଠାରେ ପହଞ୍ଚି ନିଆଁକୁ ଲିଭାଇଥିଲା। ବ୍ୟାଟେରି ସର୍ଟ ସର୍କିଟରୁ ଏଭଳି ଅଘଟଣ ଘଟିଥିବ ବୋଲି ଟିଟି କ୍ରିଷ୍ଣା ଅନୁମାନ କରି କହିଛନ୍ତି।