ହଠାତ ଲାଗିଲା ନିଆଁ । ରାସ୍ତା ମଝିରେ ହୁତୁହୁତୁ ହୋଇ ଜଳିଗଲା କାର୍ ।

132

କନକ ବ୍ୟୁରୋ : ରାସ୍ତା ମଝିରେ ହୁତୁ ହୁତୁ ହୋଇ ଜଳିଗଲା କାର୍‌ । ଉପରେ ଥିଲା ବିଦ୍ୟୁତ ତାର । ଲୋକଙ୍କ ଉପସ୍ଥିତି ବୁଦ୍ଧି ଲାଗି ବଡ଼ଧରଣର ଅଘଟଣରୁ ବର୍ତ୍ତିଗଲେ ସ୍ଥାନୀୟ ଲୋକେ । ବାରିପଦା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି କାର୍‌ରେ ଲାଗିଥିବା ନିଆଁକୁ ଆୟତ୍ତ କରିଛି । ମୟୁରଭଞ୍ଜ ଜିଲ୍ଲା ବାରିପଦା ସହର ଜଗନ୍ନାଥ ମନ୍ଦିର ନିକଟରେ ଘଟିଛି ଏପରି ଘଟଣା ଦେଖିବାକୁ ମିଳିଥିଲା ।

ସୂଚନା ଅନୁଯାୟୀ, ବାରିପଦା ସହର ଜଗନ୍ନାଥ ମନ୍ଦିରଠାରୁ ମଧୁବନ ଗ୍ୟାରେଜ ଛକ ଯିବା ରାସ୍ତାରେ ଗୋଟେ ପରିତ୍ୟକ୍ତ ଅବସ୍ଥାରେ କାରରେ ଆଜି ସକାଳ ଭୋର୍ ପାଖାପାଖି ୫.୩୦ ସମୟରେ ନିଆଁ ଲାଗିଥିଲା । ସତ୍ୟଜିତ ପୃଷ୍ଟି ନାମକ ଏକ ଯୁବକ ସେହି ବାଟଦେଇ ମର୍ଣିଂୱାକ୍ କରିବାକୁ ଯିବା ସମୟରେ ଏହି ଦୃଶ୍ୟ ଦେଖି ସଙ୍ଗେ ସଙ୍ଗେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ ।

ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀମାନେ ସେଠାରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଏହି କାରଟି କାହାର ଜଣାପଡ଼ିନଥିବା ବେଳେ, କେଉଁ ପରିସ୍ଥିତିରେ ନିଆଁ ଲାଗିଲା ତାହା ଜଣାପଡିନାହିଁ । ତେବେ କାହାର କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ । ସେପଟେ ଗାଡ଼ି ଉପରେ ଦେଇ ଯାଇଥିବା ବିଦ୍ୟୁତ ତାରରେ ନିଆଁ ଲାଗିଥିଲେ ଏକ ବଡଧରଣର ବିପଦ ହୋଇଥାନ୍ତା ଯାହାକୁ ଏଡାଇ ଦେଇଛନ୍ତି ଅଗ୍ନିଶମ ବାହିନୀ ।