ବଡଭାଇର ବାହାଘର ସାରି ଫେରୁଥିବା ବେଳେ ଚାଲିଗଲା ସାନ ଭାଇର ଜୀବନ । କାନ୍ଥରେ ପିଟି ହେଲା କାର, ଘଟଣାସ୍ଥଳରେ ୪ ଜଣଙ୍କ ମୃତ୍ୟୁ

1,110

କନକ ବ୍ୟୁରୋ : ବଡ଼ ଭାଇର ବାହାଘର ସରିଥିଲା । ଆଉ ଭୋଜି ମଧ୍ୟ ସରିଯାଇଥିଲା । ଭୋଜି ଖାଇ ହସଖୁସିରେ ଫେରୁଥିଲେ । ହେଲେ କିଏ ଜାଣିଥିଲା, ଘରକୁ ଫେରିବା ବାଟରେ ଘଟିବ ଅଘଟଣ । ବିଳମ୍ବିତ ରାତିରେ ବଡଭାଇର ବାହାଘର ଭୋଜି ସାରି ସଂପର୍କିୟଙ୍କୁ ଛାଡିବା ପାଇଁ କାରରେ ଯାଉଥିଲେ ସାନଭାଇ ତପନ ରାଉତ । ହେଲେ କୁହୁଡି କାଳ ସାଜିଥିଲା ଏମାନଙ୍କ ପାଇଁ । ଘର ଠାରୁ ମାତ୍ରା କେଇ କିଲୋମିଟର ଦୂରରେ ଭାରସାମ୍ୟ ହରାଇ କାରଟି ରାସ୍ତା କଡରେ ଥିବା ଏକ ଘରେ ପିଟି ହୋଇଥିଲା । ଆଉ ଘଟଣାସ୍ଥଳରେ ଚାଲିଗଲା ୪ ଜୀବନ । ବିଳମ୍ବିତ ରାତିରେ ଦୁର୍ଘଟଣା ହୋଇଥିବାରୁ ଜାଣିପାରିନଥିଲେ ସ୍ଥାନୀୟ ଲୋକେ । ସକାଳୁ ସକାଳୁ ଗାଁ ଲୋକେ ଦେଖି ତିଗିରିଆ ପୋଲିସକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ତିଗିରିଆ ପୋଲିସ ପହଂଚି ସେମାନଙ୍କୁ ଉଦ୍ଧାର କରିଥିଲେ ମଧ୍ୟ ସମସ୍ତଙ୍କର ମୃତ୍ୟୁ ହୋଇସାରିଥିଲା । ମୃତକମାନେ ହେଲେ ତପନ ରାଉତ, ପିଉସା ଦିଲ୍ଲୀପ ମଲ୍ଲିକ, ସଂପର୍କୀୟ ଭାଇ ରାମ ସ୍ୱାଇଁ ଓ ସାନ ଭାଇର ସାଙ୍ଗ ଟୁଲୁ ପରିଡା ।

ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ୪ ଜଣଙ୍କ ପରିବାରରେ ଶୋକାକୁଳ ପରିବେଶ । ବାଙ୍କୀ ହରିରାଜପୁର ଗାଁର ରାମକୃଷ୍ଣ ସ୍ୱାଇଁଙ୍କ ପରିବାର ଉପରେ ଯେପରି ଦୁଃଖର ପାହାଡ଼ ଖସିପଡ଼ିଛି । ଏକମାତ୍ର ରୋଜଗାରିଆ ପୁଅକୁ ହରାଇବା ପରେ ଭାଙ୍ଗିପଡ଼ିଛନ୍ତି ବାପା-ମା’ ।

ସେପଟେ ନିଶ୍ଚିନ୍ତକୋଇଲି ବିବିଏନ୍ ପ୍ଲାଷ୍ଟିକ କମ୍ପାନୀ ନିକଟରେ ବସ୍-ବାଇକ୍ ମୁହାଁମୁହିଁ ଧକ୍କା ହେବାରୁ ୨ଜଣଙ୍କ ମୃତ୍ୟୁ ହୋଇଛି । ବିଳମ୍ବିତ ରାତିରେ ଘରୋଇ ବସ କେନ୍ଦ୍ରାପଡାରୁ କଟକ ଯାଉଥିବାବେଳେ ସାମ୍ନାରୁ ଆସୁଥିବା ଏକ ବାଇକକୁ ଧକ୍କା ଦେଇଥିଲା । ଆଉ ବାଇକରେ ଯାଉଥିବା ୨ ସାଙ୍ଗଙ୍କ ଜୀବନ ଚାଲିଯାଇଛି । ୨ ମୃୃତ ରଘୁନାଥପୁର ଅଂଚଳର ବୋଲି ଜଣା ପଡିଛି ।

ସେହିପରି କେନ୍ଦୁଝର ଜିଲ୍ଲା ବାମେବାରୀର ହେସାବେଡ଼ା ଛକ ନିକଟରେ ରାସ୍ତା ଅତିକ୍ରମ କରୁଥିବା ବେଳେ ହାଇୱା ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ଉତ୍ୟକ୍ତ ଲୋକେ ରାସ୍ତା ଅବରୋଧ କରିଥିଲେ । ତେବେ ପୁଲିସ ପହଂଚି ସ୍ଥାନୀୟ ଲୋକଙ୍କୁ ବୁଝାସୁଝା କରିଥିଲା ।