ସିରିଆରୁ ଧରାପଡିଲା ଆଇଏସ ଆତଙ୍କବାଦୀ ବାଗଦାଦିର ଉଭଣୀ: ଚଢାଉ ବେଳେ କଂଟେନରର ଲୁଚିଥିଲା; ଧରାପଡିଲେ ସ୍ୱାମୀ ଓ ବୋହୂ

ମାରାଥନ ପଚରାଉଚରା କରୁଛି ତୁର୍କୀ ସେନା

481

କନକ ବ୍ୟୁରୋ: ଆଇଏସ ଆତଙ୍କବାଦୀ ଅବୁ ବକର ଅଲ-ବାଗଦାଦିର ମୃତ୍ୟୁ ପରେ ଏବେ ସୁରକ୍ଷା ଏଜେନ୍ସିଗୁଡିକର ନଜର ତା ପରିବାର ଉପରେ ରହିଛି । ବାଗଦାଦିର ଭଉଣୀ ଉତ୍ତର ସିରିଆରୁ ଗିରଫ କରାଯାଇଛି । ତୁର୍କୀର ସେନା ଉତ୍ତର ସିରିଆର ଅଜାଜ ସହରରୁ ବାଗଦାଦିର ଭଉଣୀ ରେଶମିଆ ଅବଦକୁ ଗିରଫ କରିଥିବା ଦାବି କରିଛି । ଚଢାଉ ବେଳେ ଏକ କଂଟେନରରେ ଲୁଚିଥିଲା ରେଶମିଆ । ମିଡିଆ ରିପୋର୍ଟ ଅନୁସାରେ, ବାଗଦାଦିର ଉଉଣୀ ସମେତ, ତାଙ୍କ ସ୍ୱାମୀ ଓ ବୋହୂକୁ ବି ଗିରଫ କରିଛି ତୁର୍କୀ ସେନା । ସେମାନଙ୍କୁ ମାରାଥନ ଜେରା ଚାଲିଛି । ପଚରାଉଚରା ବେଳେ ରେଶମିଆ ବାଗଦାଦିର କାର୍ଯ୍ୟକଳାପ ଓ ଆଇଏସଆଇସ ସମ୍ପର୍କରେ ଅଧିକ ତଥ୍ୟ ହାସଲ କରିବା ଆଶା କରାଯାଉଛି ।

 

ସାରା ବିଶ୍ୱକୁ ଏକ ଇସଲାମ ସାମ୍ରାଜ୍ୟରେ ସାମିଲ କରିବାର ସ୍ୱପ୍ନ ଦେଖୁଥିବା ଆତଙ୍କବାଦୀ ସଂଗଠନ ଆଇଏସଆଇଏସର ମୁଖିଆ ଥିଲା ବାଗଦାଦି । ଆଉ ସେହି ସ୍ୱପ୍ନକୁ ପୁରଣ କରିବା ପାଇଁ ମସଜିଦର ମୌଲବୀରୁ ଆତଙ୍କବାଦୀ ପାଲଟିଯାଇଥିଲା ଅବୁବକର ଅଲ ବାଗଦାଦି । ସଦ୍ଦାମ ହୁସୈନଙ୍କ ପରେ ବଗଦାଦି । ଇରାକରେ ପଡିିଲା ଆଇଏସର ମୂଳଦୁଆ । ବାଗଦାଦି ନିହତ ପରେ ପୁଣି ଚର୍ଚ୍ଚାକୁ ଫେରିଛି ଆଇଏସଆଇଏସ । କଣ ଏହି ଆଇଏସଆଇଏସ ବା ଆଇଏସ । ଏହି ଆତଙ୍କବାଦୀ ସଂଗଠନ କେଉଁଠୁ ଆସିଲା ? କିଏ ଏହାକୁ ଆଣିଲା ? କାହିଁକି ଆଣିଲା? ଏସବୁ ପ୍ରଶ୍ନର ଉତ୍ତର ପାଇଁ ଆପଣଙ୍କୁ ସଦ୍ଦାମ ହୁସୈନଙ୍କ ଇରାକକୁ ମନେ ପକାଇବାକୁ ପଡିବ । ଏକ ଲମ୍ବା ଯୁଦ୍ଧ ପରେ ସଦ୍ଦାମଙ୍କ ପଞ୍ଝାରୁ ଇରାକକୁ ମୁକ୍ତ କରି ସ୍ୱଦେଶ ଫେରିଯାଇଥିଲେ ଆମେରିକୀୟ ସୈନ୍ୟ । ସେତେବେଳେ ଇରାକରେ ମୁଣ୍ଡ ଟେକିଥିଲା ଅବୁ ବକର ଅଲ୍ ବଗଦାଦି । ଏକ ମସଜିଦର ମୌଲବି ଥିବା ବଗଦାଦି ପ୍ରଥମେ ଅଲକାଏଦା ପାଇଁ କାମ କରୁଥିଲା । ଇରାକ ଓ ସିରିଆର ଅଲକାଏଦା ଗ୍ରୁପର ମୁଖିଆ ହେବା ପରେ ସଂଗଠନର ନାଁ ୨୦୧୩ ମସିହାରେ ବଦଳାଇ ରଖିଥିଲା ଇସଲାମିକ ଷ୍ଟେଟ୍ ଅଫ ଇରାକ୍ ଆଣ୍ଡ ସିରିଆ- ଆଇଏସଆଇଏସ ।