ପଞ୍ଜାବ ରାଜନୀତିରେ କମ୍ପନ । କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଭେଟିଲେ ଅମରିନ୍ଦର ସିଂହ 

ଆରମ୍ଭ ହେଲା ଚର୍ଚ୍ଚା, ବିଜେପି ଆଡ଼କୁ ଢଳୁଛନ୍ତି କି କ୍ୟାପଟେନ୍ 

82

କନକ ବ୍ୟୁରୋ : କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଛନ୍ତି ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂ । ଗୃହମନ୍ତ୍ରୀଙ୍କ ଦିଲ୍ଲୀ ସ୍ଥିତ ବାସଭବନରେ ଉଭୟଙ୍କ ମଧ୍ୟରେ ସାକ୍ଷାତ ଆଲୋଚନା ପାଖାପାଖି ଘଣ୍ଟାଏ ଧରି ଚାଲିଥିଲା । ଏହି ଆଲୋଚନା ପରେ ଅମରିନ୍ଦର ବିଜେପିରେ ସାମିଲ ହେବା ନେଇ ଚର୍ଚ୍ଚା ଜୋର ଧରିଛି । ହେଲେ ଅମିତଙ୍କୁ ଭେଟିବା ପରେ ଟ୍ୱିଟ କରି ପଂଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କହିଛନ୍ତି, ଦୀର୍ଘଦିନ ଧରି ଚାଲିଥିବା ଚାଷୀଙ୍କ ଆନ୍ଦୋଳନ ସଂକ୍ରାନ୍ତରେ ଆଲୋଚନା କରିବାକୁ ସେ ଅମିତ ଶାହାଙ୍କୁ ଭେଟିଥିଲେ ।

ତୁରନ୍ତ ତିନୋଟି ନୁଆ କୃଷି ଆଇନକୁ ବାତିଲ କରିବାକୁ ସେ ଦାବି ଜଣାଇଥିବା ବେଳେ ଚାଷୀଙ୍କୁ କିଭଳି ଏମଏସପି ମିଳିପାରିବ ସେନେଇ ପଦକ୍ଷେପ ନେବାକୁ କହିଥିବା ନେଇ ସୋସିଆଲ ମିଡିଆ ମାଧ୍ୟମରେ ଜଣାଇଛନ୍ତି କ୍ୟାପଟେନ ।  ଏହି ଟ୍ୱିଟ ପରେ ଅମରିନ୍ଦର ବିଜେପିରେ ସାମିଲ ହେବା ନେଇ ଚାଲିଥିବା ଚର୍ଚ୍ଚାରେ ସାମୟିକ ବିରାମ ଲାଗିଥିବା କୁହାଯାଉଛି । କ୍ୟାପଟେନ୍ ଅମରିନ୍ଦରଙ୍କ ନିକଟତମ ମହଲ ଦେଇଥିବା ପ୍ରତିକ୍ରିୟା ଅନୁସାରେ, ଭେଟ୍ଘାଟ ସୌଜନ୍ୟମୂଳକ ଥିଲା । ଏନେଇ ଅଯଥା ଆକଳନ କରାନଯାଉ । ବଡ କଥା ହେଉଛି, ମୁଖ୍ୟମନ୍ତ୍ରୀ ପଦ ଛାଡିବା ପରେ କ୍ୟାପଟେନ୍ କହିଥିଲେ, ତାଙ୍କ ପାଇଁ ସମସ୍ତ ରାସ୍ତା ଖୋଲା ଅଛି । ଆଉ ସେବେ ଠାରୁ ହିଁ ବିଜେପିରେ ସାମିଲ ହେବା ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା ।

ମଙ୍ଗଳବାର ନାଟକୀୟ ଢଙ୍ଗରେ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଇଥିଲେ ନବଜୋତ୍ ସିଂ ସିଦ୍ଧୁ । ଆଉ ଏହାପରେ ଦିଲ୍ଲୀ ଗସ୍ତରେ କ୍ୟାପଟେନ୍ ଆସିବା ଅନେକ ଆକଳନକୁ ସାମ୍ନାକୁ ଆଣିଥିଲା । ଅମିରନ୍ଦର କହିଥିଲେ ଯେ, ସେ କୌଣସି ରାଜନୈତିକ ନେତାଙ୍କୁ ଭେଟିବାର କାର୍ଯ୍ୟକ୍ରମ ନାହିଁ । ହେଲେ ଆଜି ଆଶ୍ଚର୍ଯ୍ୟଜନକ ଭାବେ ଅମିତ ଶାହାଙ୍କୁ ସେ ଭେଟିଛନ୍ତି ।  ରାଜନୀତିରେ ପ୍ରଥମେ ମନା କରିବା ଓ ପରେ ସେହି କାମ କରିବା କିଛି ନୂଆ କଥା ନୁହେଁ । ଅମିରନ୍ଦରଙ୍କ କ୍ଷେତ୍ରରେ ଠିକ୍ ସେଇଆ ଘଟିପାରେ ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ଭବିଷ୍ୟତରେ ପଂଜାବ ରାଜନୀତିରେ ନିଜ ପ୍ରଭାବ ବିସ୍ତାର କରିବା ପାଇଁ କ୍ୟାପଟେନ କିଛି ବଡ ନିଷ୍ପତି ନେବା କଥାକୁ ବି ଅସ୍ୱୀକାର କରାଯାଇ ନପାରେ ।