ଦିଲ୍ଲୀ ଆସୁଛନ୍ତି କ୍ୟାପଟେନ! ଶାହା ଓ ନଡ୍ଡାଙ୍କୁ ଭେଟିବେ, ବିଜେପିରେ ସାମିଲ ହେବେ କି ଅମରିନ୍ଦର?

199

କନକ ବ୍ୟୁରୋ : ପଞ୍ଜାବ ରାଜନୀତିରେ ପୁଣିଥରେ ଦେଖିବାକୁ ମିଳିଛି ବଡ ଧରଣର ହଲଚଲ ।  ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା କ୍ୟାପଟେନ ଅମରିନ୍ଦର ସିଂ ଆଜି ଦିଲ୍ଲୀ ଗସ୍ତ କରିପାରନ୍ତି । ଅମରିନ୍ଦରଙ୍କ ଦିଲ୍ଲୀ ଗସ୍ତକୁ ନେଇ ଏଥିପାଇଁ ଚର୍ଚ୍ଚା ବଢୁଛି କାରଣ ଦିଲ୍ଲୀରେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଓ ଅମିତ ଶାହାଙ୍କୁ ଭେଟିପାରନ୍ତି ଅମରିନ୍ଦର । ଆଉ ଏଭଳି ଏକ ଖବର ସାମ୍ନାକୁ ଆସିବା ପରେ ଅମରିନ୍ଦର ହାତ ଛାଡି ପଦ୍ମ ଧରିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଆଉ ଏଭଳି ଚର୍ଚ୍ଚା ପଞ୍ଜାବ ରାଜନୀତିକୁ ଆହୁରି ଉଷ୍ମ କରିଛି ।

ଗତ କିଛି ଦିନ ପୂର୍ବେ ସିଦ୍ଧୁଙ୍କ ସହ ବିବାଦ ପରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ଅମରିନ୍ଦର ସିଂ । ପରେ ଚରଣଜିତ୍ ସିଂ ଚନ୍ନିଙ୍କୁ ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ କରିଥିଲା କଂଗ୍ରେସ । ସିଦ୍ଧୁଙ୍କ ନାଁ ଚର୍ଚ୍ଚାରେ ଥିଲେ ମଧ୍ୟ ଚନ୍ନିଙ୍କ ନାଁରେ ମୋହର ମାରିଥିଲେ କଂଗ୍ରେସର ହାଇକମାଣ୍ଡ । ଅମରିନ୍ଦର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ସହ କହିଥିଲେ ଦଳରେ ଏମିତି କିଛି ଘଟଣା ଘଟିଥିଲା ଯାହା ମୋତେ ବେଶ ଅପମାନିତ କରିଥିଲା । କାରଣ ବାରମ୍ବାର ବିଧାୟକ ଦଳ ବୈଠକ ଡକାଇ ମୋତେ ଅପମାନିତ କରିବାକୁ ପ୍ରୟାସ କରାଯାଉଥିଲା । ଏହାଛଡା ସରକାର ଚଲାଇବା ପାଇଁ ତାଙ୍କ ଉପରେ ବୋଧହୁଏ କଂଗ୍ରେସ ହାଇକମାଣ୍ଡ ଭରସା କରିପାରିଲେନି ଯେଉଁଥି ପାଇଁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଥିବା କହିଥିଲେ ଅମରିନ୍ଦର ।

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ସହ ଅମରିନ୍ଦର କହିଥିଲେ, ୨୦୨୨ରେ ଯଦି ବି କଂଗ୍ରେସ ପଞ୍ଜାବରେ ବିଜୟୀ ତଥାପି ସିଦ୍ଧୁଙ୍କୁ ମୁଖ୍ୟମନ୍ତ୍ରୀ କରାଇ ଦେବି ନାହିଁ । ସିଦ୍ଧୁଙ୍କ ବିପକ୍ଷରେ ଏକ ଶକ୍ତିଶାଳୀ ପ୍ରାର୍ଥୀ ଓହ୍ଲାଇବି ବୋଲି କହି ଚେତାବନୀ ଦେଇଥିଲେ ଅମରିନ୍ଦର । ସିଦ୍ଧୁଙ୍କ ଭଳି ବିପଦଜନକ ବ୍ୟକ୍ତିଙ୍କ ଠାରୁ ଦେଶକୁ ବଞ୍ଚାଇବାକୁ ବଳିଦାନ ଦେବାକୁ ବି ପ୍ରସ୍ତୁତ ବୋଲି କହିଥିଲେ ଅମରିନ୍ଦର । ସେହିଭଳି ରାହୁଲ ଓ ପ୍ରିୟଙ୍କାଙ୍କୁ ଅନୁଭବହୀନ ବୋଲି କହିବାକୁ ପଛାଇନଥିଲେ ଅମରିନ୍ଦର । ଏହାଛଡା ଆଗାମୀ ରାଜନୀତିକ ଭବିଷ୍ୟତ ପାଇଁ ଅନେକ ବିକଳ୍ପ ରହିଛି ବୋଲି କହିଥିଲେ ଅମରିନ୍ଦର । ଯାହା ଦର୍ଶାଉଥିଲା ଖୁବଶୀଘ୍ର କଂଗ୍ରେସ ଛାଡିପାରନ୍ତି ଅମରିନ୍ଦର ।

ଏହାବାଦ୍ ମୁଖ୍ୟମନ୍ତ୍ରୀ ପଦ ଛାଡିବା ପରେ କ୍ୟାପଟେନ ଅମରିନ୍ଦର ସିଂଙ୍କୁ ରାଷ୍ଟ୍ରବାଦୀ ନେତା କହିଥିଲେ ବିଜେପି ନେତା ତଥା ହରିୟାଣା ସରକାରରେ ମନ୍ତ୍ରୀ ଥିବା ଅନୀଲ ବିଜ୍ । ଏପରିକି ପଞ୍ଜାବରେ କଂଗ୍ରେସକୁ ରୋକିବାକୁ ରାଷ୍ଟ୍ରବାଦୀ ନେତାଙ୍କୁ ହାତ ମିଳାଇବା ଉଚିତ୍ ବୋଲି କହିଥିଲେ ଅନୀଲ । ଆଉ ଏଭଳି କରି ବିଜେପିରେ ସାମିଲ ହେବାକୁ ଅମରିନ୍ଦରଙ୍କୁ ପରୋକ୍ଷରେ ସଂକେତ ଦେଇଥିଲେ ଅନୀଲ ।