ପଞ୍ଜାବ : କଂଗ୍ରେସ କନ୍ଦଳରେ ଲାଗିଲା ବ୍ରେକ୍, ସିଦ୍ଧୁଙ୍କ ଦାୟିତ୍ୱ ଗ୍ରହଣ ସମାରୋହରେ ସାମିଲ ହେବେ ମୁଖ୍ୟମନ୍ତ୍ରୀ

175

କନକ ବ୍ୟୁରୋ : ପଞ୍ଜାବ କଂଗ୍ରେସରେ ସିଦ୍ଧୁ ବନାମ ଅମରିନ୍ଦରସିଂ ମଧ୍ୟରେ ଲାଗିଥିବା କଳହର ବ୍ରେକ୍ ଲାଗିବ । ପଞ୍ଜାବ କଂଗ୍ରେସର ଅଧ୍ୟକ୍ଷ ଭାବେ ସିଦ୍ଧୁଙ୍କୁ ଦଳ ଚୟନ କରିବା ପରେ ୨୩ ତାରିଖରେ ହେବାକୁ ଥିବା ଦାୟିତ୍ୱ ଗ୍ରହଣ ସମାରୋହରେ ମୁଖ୍ୟମନ୍ତ୍ରୀ ଅମରିନ୍ଦରସିଂ ଯୋଗଦେବେ ବୋଲି ଜଣାପଡିଛି ।

ଦଳୀୟ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ଦଳର ହାଇକମାଣ୍ଡ ଏହି ଘଟଣାରେ ହସ୍ତକ୍ଷେପ କରିବା ପରେ ସମାରୋହରେ ଯୋଗଦେବାକୁ ରାଜି ହୋଇଛନ୍ତି ଅମରିନ୍ଦରସିଂ । ସମରୋହ ସ୍ଥଳକୁ ପଞ୍ଜାବ କଂଗ୍ରେସ ପ୍ରଭାରୀ ହରିସ ରାୱତଙ୍କ ସହ ଅମରିନ୍ଦର ସିଂ ଯିବେ । ସମାରୋହ ପୂର୍ବରୁ ଏକ ଚା ପାର୍ଟିର ଆୟୋଜନ କରାଯାଇଛି । ଏହି ପାର୍ଟିରେ ଦଳର ସମସ୍ତ ବିଧାୟକଙ୍କ ସହ କ୍ୟାପଟେନ୍ ଯୋଗଦେବେ ବୋଲି କୁହାଯାଇଛି ।

ସୂଚନା ଥାଉକି ପଞ୍ଜାବ କଂଗ୍ରେସର ବର୍ତମାନ ଅଧ୍ୟକ୍ଷ ଥିବା ସୁନିଲ ଝାକଡଙ୍କ ସ୍ଥାନରେ ସିଦ୍ଧୁ ଦାୟିତ୍ୱ ନେବେ । ଅନ୍ୟପଟେ କେନ୍ଦ୍ର କଂଗ୍ରେସର ଏଭଳି ନିଷ୍ପତ୍ତି ପରେ ସିଦ୍ଧୁ ଓ କ୍ୟାପଟେନଙ୍କ ମଧ୍ୟରେ କିଛିଟା ବିବାଦ ଦେଖା ଦେଇଥିଲା । ମୁଖ୍ୟମନ୍ତ୍ରୀ କହିଥିଲେ କି ମୋ ବିରୋଧରେ ଦେଇଥିବା ଆପତ୍ତିଜନକ ମନ୍ତବ୍ୟକୁ ନେଇ ସର୍ବସାଧାରଣରେ ସିଦ୍ଧୁ କ୍ଷମା ନମାଗିବା ଯାଏ ସେ ତାଙ୍କ ସହିତ ଭେଟ କରିବେ ନାହିଁ ।

କହିରଖୁ କି ମୁଖ୍ୟମନ୍ତ୍ରୀଙ୍କ କଡା ବିରୋଧ ପରେ ବି କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଗତ ରବିବାର ଦିନ ସିଦ୍ଧୁଙ୍କ ରାଜ୍ୟ କଂଗ୍ରେସର ଅଧ୍ୟକ୍ଷ ଭାବେ ନିଯୁକ୍ତ କରିଥିଲେ । ଆଗାମୀ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଶ୍ରୀମତୀ ଗାନ୍ଧୀ ସିଦ୍ଧୁଙ୍କ ସହ ରାଜ୍ୟରେ ୪ ଜଣ କାର୍ଯ୍ୟକାରୀ ଅଧ୍ୟକ୍ଷଙ୍କୁ ବି ନିଯୁକ୍ତ କରିଥିଲେ ।