କନକ ବ୍ୟୁରୋ : ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ ଗଢିବେ ନୂଆ ଦଳ । ଟୁଇଟ୍ କରି ଅମରିନ୍ଦର ସିଂହ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି । ନୂଆ ଦଳ ପଞ୍ଜାବବାସୀ ଏବଂ ଚାଷୀଙ୍କ ପାଇଁ କାମ କରିବ ବୋଲି ଅମରିନ୍ଦର କହିଛନ୍ତି । ଯଦି ଚାଷୀ ସମସ୍ୟାର ସମାଧାନ ହୋଇଯିବ ତାହେଲେ ତାଙ୍କ ନୂଆ ଦଳ ବିଜେପି ସହିତ ମେଂଟ କରିବ ବୋଲି ଅମରିନ୍ଦର କହିଛନ୍ତି । ଆସନ୍ତା ବର୍ଷ ପଞ୍ଜାବରେ ବିଧାନସଭା ନିର୍ବାଚନ ରହିଛି ।
ତେଣୁ ନୂଆ ଦଳ ଗଢି ଶାସକ କଂଗ୍ରେସକୁ ଟକ୍କର ଦେବାକୁ ଅମରିନ୍ଦର ଲକ୍ଷ୍ୟ ରଖିଛନ୍ତି । ନିକଟରେ ଅମରିନ୍ଦର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ଏହାପରେ ସେ କଂଗ୍ରେସରେ ରହିଥିଲେ ମଧ୍ୟ ଦଳ ବିରୋଧରେ ଅନେକ ମନ୍ତବ୍ୟ ଦେଇ ଆସୁଛନ୍ତି । ଏମିତିକି ରାଜ୍ୟ କଂଗ୍ରେସର ସଭାପତି ନବଜୋତ ସିଂହ ସିଦ୍ଧୁଙ୍କୁ ମଧ୍ୟ ବାରମ୍ବାର ଟାର୍ଗେଟ କରୁଛନ୍ତି । ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଅମରିନ୍ଦର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଥିଲେ । ତେଣୁ ସେ ବିଜେପିରେ ମିଶିବେ ବୋଲି ଚର୍ଚ୍ଚା ବଢିଥିଲା । ଏବେ କିନ୍ତୁ ସେ ନୂଆ ଦଳ ଗଢିବେ ବୋଲି ଘୋଷଣା କରିଛନ୍ତି ।