କନକ ବ୍ୟୁରୋ :  ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ଆଜି କଂଗ୍ରେସରୁ ଇସ୍ତଫା ଦେଇଛନ୍ତି । ସେ ତାଙ୍କ ଇସ୍ତଫା ପତ୍ର କଂଗ୍ରେସ ହାଇକମାଣ୍ଡ ସୋନିଆ ଗାନ୍ଧୀଙ୍କ ନିକଟକୁ ପଠାଇ ଦେଇଛନ୍ତି । ଏହି ଚିଠିରେ କ୍ୟାପଟେନ୍ ତାଙ୍କ କାର୍ଯ୍ୟକାଳରେ ହାସଲ କରିଥିବା ଉପଲବ୍ଧି ଓ ସିଦ୍ଧୁଙ୍କ ସହ ବିବାଦକୁ ଚିଠିରେ ବିସ୍ତାର ଭାବେ ଲେଖିଛନ୍ତି । ଅନ୍ୟପଟେ ବିଗତ ୩ ଦିନ ଧରି କଂଗ୍ରେସ ସହିତ ତାଙ୍କର ଆଲୋଚନା ହେଉଥିବା ନେଇ ଚାଲିଥିବା ଚର୍ଚ୍ଚାକୁ ବି ଖଣ୍ଡନ କରିଛନ୍ତି । ସେ କହିଛନ୍ତି କି କଂଗ୍ରେସ ସହିତ ରହିବାର ସମୟ ଶେଷ ହୋଇଛି  ଓ ଦଳ ଛାଡିବା ନେଇ ଏହା ତାଙ୍କର ଶେଷ ନିଷ୍ପତ୍ତି ।

Advertisment

କହିରଖୁ କି ପୂର୍ବ ସପ୍ତାହରେ କ୍ୟାପଟେନ କହିଥିଲେ କି ଖୁବଶୀଘ୍ର ସେ ତାଙ୍କର ନୂଆ ପାର୍ଟି ଗଠନ କରିବେ । ଅନ୍ୟପଟେ କେନ୍ଦ୍ର ସରକାରଙ୍କ ଦ୍ୱାରା ପାରିତ ୩ ଟି କୃଷି ଆଇନକୁ ନେଇ ଯଦି ବିଜେପି କିଛି ସମାଧାନର ବାଟ ବାହାର କରିବାକୁ ପ୍ରସ୍ତାବ ଦେବ ତେବେ ସେ ବିଜେପି ସହିତ ମେଣ୍ଟ କରି ୨୦୨୨ ନିର୍ବାଚନ ଲଢିବେ ।

ସୂଚନା ଥାଉକି କ୍ୟାପଟେନ ଅମରିନ୍ଦର ସିଂ ଓ ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ନବଜୋତସିଂ ସିଦ୍ଧୁଙ୍କ ମଧ୍ୟରେ ଦୀର୍ଘଦିନ ହେବ ବିବାଦ ଲାଗି ରହିଛି । ଏହି ବିବାଦ ଫଳରେ କ୍ୟାପଟେନଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପଡିଥିଲା । ଏହାପରେ ଦଳର ହାଇକମାଣ୍ଡଙ୍କ ନିଷ୍ପତ୍ତି କ୍ରମେ ଚରଣଜିତସିଂ ଚନ୍ନିଙ୍କୁ ପଞ୍ଜାବର ମୁଖ୍ୟମନ୍ତ୍ରୀ ପଦରେ ଅବସ୍ଥାପିତ କରାଯାଇଥିଲା । ଏହି ବିବାଦ ଫଳରେ ଆଜି କ୍ୟାପଟେନ ଦଳରୁ ଇସ୍ତଫା ଦେଇଛନ୍ତି ।