ଶାହାଙ୍କୁ ଭେଟିଲେ ଅମରିନ୍ଦର । ବିଜେପିରେ ହେବେ କି ସାମିଲ ?

126

କନକ ବ୍ୟୁରୋ : କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଛନ୍ତି ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂ । ଗୃହମନ୍ତ୍ରୀଙ୍କ ଦିଲ୍ଲୀ ସ୍ଥ୍ିତ ବାସଭବନରେ ଉଭୟଙ୍କ ମଧ୍ୟରେ ସାକ୍ଷାତ ଆଲୋଚନା ହୋଇଥିବା ବେଳେ ଅମରିନ୍ଦର ବିଜେପିରେ ସାମିଲ ହେବା ନେଇ ଚର୍ଚ୍ଚା ଜୋର ଧରିଛି । ଜାତୀୟ ଗଣମାଧ୍ୟମର ସୂଚନା ଅନୁସାରେ ଉଭୟଙ୍କ ମଧ୍ୟରେ ନୂଆ କୃଷି ଆଇନ୍ ନେଇ ଆଲୋଚନା ହୋଇଥିଲା । ହେଲେ ବିଜେପିରେ ସାମିଲ ହେବା ସଂକ୍ରାନ୍ତରେ କିଛି ସ୍ପଷ୍ଟ ତଥ୍ୟ ସାମ୍ନାକୁ ଆସିନାହିଁ ।

କ୍ୟାପଟେନ୍ ଅମରିନ୍ଦରଙ୍କ ନିକଟତମ ମହଲରୁ ମିଳିଥିବା ସୂଚନା ଅନୁସାରେ, ଭେଟଘାଟ ସୌଜନ୍ୟମୂଳକ ଥିଲା । ଏନେଇ ଅଯଥା ଆକଳନ କରାନଯାଉ । ବଡ କଥା ହେଉଛି, ମୁଖ୍ୟମନ୍ତ୍ରୀ ପଦ ଛାଡିବା ପରେ କ୍ୟାପଟେନ୍ କହିଥିଲେ, ତାଙ୍କ ପାଇଁ ସମସ୍ତ ରାସ୍ତା ଖୋଲା ଅଛି । ଆଉ ସେବେ ଠାରୁ ହିଁ ବିଜେପିରେ ସାମିଲ ହେବା ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା ।

ସେପଟେ ଗତକାଲି ନାଟକୀୟ ଢଙ୍ଗରେ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଇଥିଲେ ନବଜ୍ୟୋତ୍ ସିଂ ସିଦ୍ଧୁ । ଆଉ ଏହାପରେ ଦିଲ୍ଲୀ ଗସ୍ତରେ କ୍ୟାପଟେନ୍ ଆସିବା ଅନେକ ଆକଳନକୁ ସାମ୍ନାକୁ ଆଣିଥିଲା । ଗତକାଲି ଅମିରନ୍ଦର କହିଥିଲେ, ସେ କୌଣସି ରାଜନୈତିକ ନେତାଙ୍କୁ ଭେଟିବାର କାର୍ଯ୍ୟକ୍ରମ ନାହିଁ । ହେଲେ ଆଜି ଆଶ୍ଚର୍ଯ୍ୟଜନକ ଭାବେ ଅମିତ ଶାହାଙ୍କୁ ସେ ଭେଟିଛନ୍ତି । ରାଜନୀତିରେ ପ୍ରଥମେ ମନା କରିବା ଓ ପରେ ସେହି କାମ କରିବା କିଛି ନୂଆ କଥା ନୁହେଁ । ଅମରିନ୍ଦରଙ୍କ କ୍ଷେତ୍ରରେ ଠିକ୍ ସେଇଆ ଘଟିପାରେ ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ।