କନକ ବ୍ୟୁରୋ : ପଞ୍ଜାବରୁ ଆସିଲା ବଡ ଖବର । ପଞ୍ଜାବ ପରୀକ୍ଷାରେ ଫେଲ ମାରିଲେ କ୍ୟାପଟେନ୍ । ପରାଜିତ ହେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ । ପଟିଆଲା ସହରାଞ୍ଚଳ ଆସନରୁ ପରାଜିତ ହେଲେ ଅମରିନ୍ଦର । କଂଗ୍ରେସ ହାତ ଛାଡିବା ପରେ ନିଜେ ଦଳ ଗଢି ନିର୍ବାଚନ ମୈଦାନକୁ ଓହ୍ଳାଇଥିଲେ ଅମରିନ୍ଦର । କିନ୍ତୁ ପଞ୍ଜାବ ବାସିନ୍ଦା ତାଙ୍କୁ ଭରସି ପାରିନଥିଲେ । ଆମ୍ ଆଦମୀ ପାର୍ଟିର ପ୍ରାର୍ଥୀ ଅଜିତ ପାଲ ସିଂ କୋହଲିଙ୍କ ଠାରୁ ପରାଜିତ ହୋଇଛନ୍ତି ଅନୁଭବୀ କ୍ୟାପଟେନ୍ । ୧୩ ହଜାରରୁ ଅଧିକ ଭୋଟରେ ପରାଜିତ ହୋଇଛନ୍ତି କ୍ୟାପଟେନ୍ ।

Advertisment

୨୦୧୭ରେ ପଞ୍ଜାବରେ କଂଗ୍ରେସକୁ ବିଜୟୀ କରିବାରେ ବଡ ଭୂମିକା ଗ୍ରହଣ କରିଥିଲେ କ୍ୟାପଟେନ ଅମରିନ୍ଦର ସିଂ । ଆଉ ଏହାପରେ ମୁଖ୍ୟମନ୍ତ୍ରୀ ଆସନରେ ବସିଥିଲେ କ୍ୟାପଟେନ । ତେବେ ନବଜୋତ ସିଂ ସିଦ୍ଧୁ ଦଳରେ ଯୋଗ ଦେବା ପରେ କ୍ୟାପଟେନଙ୍କ ସହ ଆରମ୍ଭ ହୋଇଥିଲା ବିବାଦ । ବିଭିନ୍ନ ପ୍ରସଙ୍ଗରେ ସିଦ୍ଧୁ ଓ କ୍ୟାପଟେନ ପରସ୍ପରକୁ ଟାର୍ଗେଟ କରିବାକୁ ମଧ୍ୟ ପଛାଉନଥିଲେ । ଯାହାକୁ ନେଇ ଅନେକ ସମୟରେ ବିବାଦ ଦେଖାଦେଇଥିଲା । ଏପରିକି କ୍ୟାପଟେନଙ୍କୁ ନେଇ ବିଭିନ୍ନ ଅଭିଯୋଗ ଆଣିଥିଲେ ସିଦ୍ଧୁ । ଆଉ ଏହାପରେ ଏହି ବିବାଦ ଆହୁରି ଉଗ୍ର ହୋଇଥିଲା । ତେବେ ନିର୍ବାଚନ ପୂର୍ବରୁ ହିଁ କ୍ୟାପଟେନ କଂଗ୍ରେସ ଛାଡି ନିଜର ଏକ ଦଳ ଗଢିଥିଲେ । ବିଜେପି ସହ ମେଣ୍ଟ କରି ନିର୍ବାଚନ ମୈଦାନକୁ ଓହ୍ଲାଇଥିଲେ ମଧ୍ୟ ଏଥିରେ ମାତ୍ ଖାଇଥିଲେ ଅମରିନ୍ଦର ।