କନକ ବ୍ୟୁରୋ : ପଂଜାବ କଂଗ୍ରେସରେ ଚାଲିଥିବା ବିବାଦ ଥମିବାର ନାମ ନେଉନାହିଁ । ଗତକାଲି ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହ କଂଗ୍ରେସକୁ ଏକ ବଡ଼ ଝଟ୍କା ଦେଇଛନ୍ତି । ଅମରିନ୍ଦର କହିଛନ୍ତି, କଂଗ୍ରେସ ଦଳରେ ମୁଁ ବହୁତ ଅପମାନିତ ହୋଇଥିବାରୁ ଦଳରେ ଆଉ ରହିବି ନାହିଁ । ମୁଁ କଂଗ୍ରେସ ଛାଡ଼ିବି କିନ୍ତୁ ବିଜେପିରେ ମଧ୍ୟ ଯୋଗ ଦେଉନାହିଁ ବୋଲି ସେ କହିଛନ୍ତି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିବାର ଦିନକ ପରେ ଅମରିନ୍ଦର ଆଜି ବିଜେପିରେ ଯୋଗ ଦେବା ନେଇ ଚାଲିଥିବା କଳ୍ପନାଜଳ୍ପନାର ଅବସାନ ଘଟାଇଛନ୍ତି । ଅମରିନ୍ଦର ଗଣମାଧ୍ୟମକୁ କହିଛନ୍ତି, ଦଳରେ ତାଙ୍କୁ ବାରମ୍ବାର ଯୋଜନାବଦ୍ଧ ଭାବେ ଅପମାନିତ କରାଯାଇଛି । ଏପରିକି ବିଧାୟକ ଦଳ ବୈଠକ ଡକାଯିବା ବେଳେ ମଧ୍ୟ ତାଙ୍କୁ ବିଶ୍ବାସଙ୍କୁ ନିଆଯାଇ ନାହିଁ ଏବଂ ଶେଷ ମୁହୂର୍ତ୍ତରେ ଖବର ଦିଆଯାଇଥିଲା ।
ତେଣୁ ସେ କଂଗ୍ରେସରେ ଆଉ ରହିବା ପ୍ରଶ୍ନ ଉଠୁନାହିଁ ବୋଲି ଅମରିନ୍ଦର ଘୋଷଣା କରିବା ସହ ତାଙ୍କ ଟ୍ବିଟର୍ ବାୟୋ ମଧ୍ୟ ବଦଳାଇ ଦେଇଛନ୍ତି । ଟ୍ବିଟରରୁ ସେ କଂଗ୍ରେସ ଦଳର ନାମ ହଟାଇ ଦେଇଛନ୍ତି । ପଂଜାବରେ ଏବେ କଂଗ୍ରେସ ଦଳ ଚରମ ଦୁର୍ଗତି ଆଡ଼କୁ ଗତି କରୁଛି ବୋଲି ଦର୍ଶାଇ ଅମରିନ୍ଦ କହିଛନ୍ତି ଯେ କଂଗ୍ରେସ ଆଦୌ ଦାୟିତ୍ବସଂପନ୍ନ ନଥିବା ନବଜୋତ ସିଂହ ସିଦ୍ଧୁଙ୍କୁ ରାଜ୍ୟରେ ଦଳର ମୁଖ୍ୟ କରି ବସାଇଲା । ତାଙ୍କର ସମସ୍ତ କାର୍ଯ୍ୟକଳାପ ଦଳକୁ ଦିଗହରା କରିଦେଲା ବୋଲି ଅମରିନ୍ଦର କହିଛନ୍ତି । ‘ବିଧାୟକ ଦଳ ବୈଠକ ଡକାଯିବା ପୂର୍ବରୁ ଅଚାନକ ପୂର୍ବାହ୍ନ ୧୦.୩୦ରେ କଂଗ୍ରେସ ସଭାପତି କହିଲେ ଆପଣ ଇସ୍ତଫା ଦିଅନ୍ତୁ । କିନ୍ତୁ ମୁଁ କିଛି ପ୍ରଶ୍ନ ନକରି କହିଥିଲି ଏବେ ହିଁ ଇସ୍ତଫା ଦେଉଛି । ଗତକାଲି ଅପରାହ୍ନ ୪ଟାରେ ରାଜ୍ୟପାଳଙ୍କ ନିକଟକୁ ଯାଇ ଇସ୍ତଫା ଦେଇଛନ୍ତି । ୫୦ ବର୍ଷ ଦଳରେ ରହିବା ପରେ ବି ଯଦି ସେମାନଙ୍କର ମୋ ଉପରେ ବିଶ୍ବାସ ନାହିଁ ତେବେ ଦଳରେ ରହିବାର ଅର୍ଥ କ’ଣ ବୋଲି ଅମରିନ୍ଦର କହିଛନ୍ତି ।