“ପାକିସ୍ତାନ ସହ ସାଙ୍ଗ ହେଉଛନ୍ତି ସିଦ୍ଧୁ । ମୁଖ୍ୟମନ୍ତ୍ରୀ ହେଲେ ବିରୋଧ କରିବି” – ସିଦ୍ଧୁଙ୍କୁ ଏମିତି ଶବ୍ଦବାଣ ମାରିଲେ କ୍ୟାପଟେନ୍ ।

234

କନକ ବ୍ୟୁରୋ: ବହୁ ଦିନର ବାଦ ବିବାଦ, ଆରୋପ ପ୍ରତ୍ୟାରୋପ ପରେ ଶେଷରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି କ୍ୟାପଟେନ୍ ଅମରିନ୍ଦର ସିଂହ । ହେଲେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ସେ ସିଧାସଳଖ ପ୍ରଦେଶ ନୂଆ କଂଗ୍ରେସ ଅଧ୍ୟକ୍ଷ ନବଜ୍ୟୋତ ସିଂହ ସିଦ୍ଧୁଙ୍କ ଉପରକୁ ତୀର ମାରିଛନ୍ତି । ସିଦ୍ଧୁଙ୍କୁ ଟାର୍ଗେଟ କରି କ୍ୟାପଟେନ୍ କହିଛନ୍ତି, “ସେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଏବଂ ଆର୍ମି ମୁଖ୍ୟଙ୍କ ସାଙ୍ଗ । ଯଦି ତାଙ୍କୁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭାବେ ବଛାଯାଏ ତେବେ ସେ ଏହାର ବିରୋଧ କରିବେ।”

ତା ସହିତ କ୍ୟାପଟେନ୍ ଅମରିନ୍ଦର ସିଂହ ଆହୁରି ମଧ୍ୟ କହିଛନ୍ତି ଯେ, ପାକିସ୍ତାନ କାଶ୍ମୀରରେ ଆମ ଯବାନମାନଙ୍କୁ ହତ୍ୟା କରୁଛିି । ହେଲେ ସେହି ପାକିସ୍ତାନ ସହିତ ସିଦ୍ଧୁ ସମ୍ପର୍କରେ ଅଛନ୍ତି । ବାଜବା (ପାକିସ୍ତାନ ଆର୍ମି ମୁଖ୍ୟ) ଓ ଇମ୍ରାନଙ୍କ ସହିତ ସିିଦ୍ଧୁଙ୍କ ସମ୍ପର୍କକୁ ନେଇ ଏଭଳି ଢଙ୍ଗରେ ତୀର ମାରିଛନ୍ତି କ୍ୟାପଟେନ୍ ଅମରିନ୍ଦର । ଅନ୍ୟପଟେ ପଞ୍ଜାବ ପାଇଁ ସିଦ୍ଧୁ ହେଉଛନ୍ତି ଗୋଟିଏ ବିପର୍ଯ୍ୟୟ, ସେ ଜଣେ ଅଯୋଗ୍ୟ ବ୍ୟକ୍ତି । ତେଣୁ ତାଙ୍କୁ ଯଦି ପଞ୍ଜାବର ମୁଖ୍ୟମନ୍ତ୍ରୀ କରାଯାଏ, ତେବେ ସେ ଏହାକୁ ବିରୋଧ କରିବେ । ଯେଉଁ ମଣିଷ ଗୋଟିଏ ମନ୍ତ୍ରାଳୟ ସମ୍ଭାଳି ପାରୁନି, ସେ ରାଜ୍ୟ କଣ ସମ୍ଭାଳିବ ବୋଲି ଅମିରନ୍ଦର ପ୍ରଶ୍ନ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଆଜି ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି କ୍ୟାପଟେନ୍ ଅମରିନ୍ଦର ସିଂହ । ଏହା ପଛରେ ଦଳୀୟ କନ୍ଦଳ ଏବଂ ନବଜ୍ୟୋତ ସିଂହ ସିଦ୍ଧୁଙ୍କର ହିଁ ପରୋକ୍ଷରେ ହାତ ରହିଥିବା ଚର୍ଚ୍ଚା ହେଉଛି । ଯେଉଁଥିପାଇଁ ପଦରୁ ଇସ୍ତଫା ଦେବା ସହିତ ସିଦ୍ଧୁଙ୍କୁ ଟାର୍ଗେଟ କରିଛନ୍ତି କ୍ୟାପଟେନ୍ । ଏପଟେ କ୍ୟାପଟେନଙ୍କ ଇସ୍ତଫା ପରେ ପଞ୍ଜାବର ମୁଖ୍ୟମନ୍ତ୍ରୀ କିଏ ହେବ ତାକୁ ନେଇ ମଧ୍ୟ କଳ୍ପନା ଜଳ୍ପନା ପ୍ରକାଶ ପାଇଛି ।