କନକ ବ୍ୟୁରୋ: ଲୋକେ ବର୍ଷ ବର୍ଷ ଧରି ରୋଜଗାର କରିବା ପରେ ବି ରାଜଧାନୀରେ ଜାଗା ଖଣ୍ଡିଏ କିଣିବା ସେମାନଙ୍କ ପାଇଁ ସ୍ୱପ୍ନ ହେଉଛି । ଯଦି କଷ୍ଟେମଷ୍ଟେ ଜାଗା ଖଣ୍ଡିଏ କିଣୁଛି, ସେଥିପାଇଁ ରୁଣ କରିବାକୁ ବାଧ୍ୟ ହେଉଛି । ହେଲେ, ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ରାଜଧାନୀ ଭୁବନେଶ୍ୱରର ପ୍ରାୟ ୫ଶହ ଏକର ଜମିକୁ ଜବରଦଖଲକାରୀ କବଜା କରି ରଖିଛନ୍ତି । ହେଲେ, ସେହି ସବୁ ଜମିକୁ ଜବରଦଖଲ ମୁକ୍ତ କରିବା ପାଇଁ ପ୍ରଶାସନ ସେଭଳି ପଦକ୍ଷେପ ନେଉଥିବା ଦେଖିବାକୁ ମିଳିନାହିଁ ।

Advertisment

ରାଜଧାନୀ ଭୁବନେଶ୍ୱରରେ ଜାଗା କମି କମି ଚାଲିଛି । ବିଶେଷକରି ଯେଉଁସବୁ ସରକାରୀ ଜାଗା ଖାଲି ପଡିଥିଲା ସେଗୁଡିକ ଆଉ ଦେଖିବାକୁ ମିଳୁନି । ବିଡିଏ, ଲୋକସେବା ଭବନ, ବିଧାନସଭାର ନାକ ତଳେ ସରକାରୀ ଜମିକୁ ଜବରଦଖଲକାରୀମାନେ କବଜା କରି ରଖିଛନ୍ତି । ନଜର ପକାନ୍ତୁ ବିିଧାନସଭାରେ ଦିଆଯାଇଥିବା ଏହି ଲିଖିତ ଉତର ଉପରେ । ୨୦୧୩ର ବିଧାନସଭା ତଥ୍ୟ ଅନୁସାରେ,

- ଭୁବନେଶ୍ୱର ସହରାଂଚଳରେ ୪୭୪ ଏକର ୨୯୬ ଡିସିମିଲ ଜମି ଜବରଦଖଲକାରୀଙ୍କ କବଜାରେ ଅଛି
- ୧୦୫୭୯ ଜଣ ଜବରଦଖଲକାରୀ ସରକାରୀ ଜମିକୁ କବଜାରେ ରଖିଛନ୍ତି
- ଜବରଦଖଲକାରୀଙ୍କ ମଧ୍ୟରେ ୧୩୨ଜଣ ଉଚ୍ଚପଦାଧିକାରୀ ଅଛନ୍ତି

ତେବେ ଏହି ଜବରଦଖଲକାରୀଙ୍କ କବଜାରୁ ଜମିକୁ ମୁକୁଳାଇବା ପାଇଁ ପଦକ୍ଷେପ ନିଆଯାଉଥିବା ବିଧାନସଭାରେ ଦର୍ଶାଇଥିଲେ ତକ୍ରାଳୀନ ବିଭାଗୀୟ ମନ୍ତ୍ରୀ । ହେଲେ, ସେହି ଜମି ଜବରଦଖଲ ମୁକ୍ତ ହେଲା କି ନାହିଁ? ଏବେ କେତେ ଜମି ଜବରଦଖଲକାରୀଙ୍କ କବଜାରେ ଅଛି ସେ ନେଇ ସରକାର ଏବେ ଚୁପ୍ ।

ନଜର ପକାନ୍ତୁ ସୂଚନା ଅଧିକାରୀ ଆଇନ ଅନୁସାରେ ସୂଚନା ଅଧିକାର କର୍ମୀ ଜୟନ୍ତ କୁମାର ଦାସ ମାଗିଥିବା ତଥ୍ୟର ଜବାବରେ କଣ ଉତର ରଖିଛି ବିଏମସି ।
- ସୁଧୀର ସାମଲ ବିଧାନସଭା ଉତ୍ତର..
ସେହିପରି ୨୦୧୯ରେ ଜବରଦଖଲ ଜାଗାର ପରିମାଣ ନେଇ, ବିଧାୟକ ସୁଧୀର କୁମାର ସାମଲଙ୍କୁ ସେ ସମୟରେ ମୁଖ୍ୟମନ୍ତ୍ରୀ କଣ ଦେଇଥିଲେ ଉତ୍ତର । ଧାଡିକିଆ ଉତ୍ତର ଥିଲା, ତଥ୍ୟ ସଂଗ୍ରହ କରାଯାଉଛି ।

ବିଏମସିର ଏଭଳି ଆଭୁମୁଖ୍ୟକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ସୂଚନା ଅଧିକାର କର୍ମୀ ଜୟନ୍ତ ଦାସ ।

ଏବେ କିନ୍ତୁ ସମୟ ବଦଳିଛି । ବିଜେଡି ସରକାର ଯାଇ ବିଜେପି ସରକାର ହୋଇଛି । ତେଣୁ ପ୍ରଶ୍ନ ଉଠୁଛି, ନୂଆ ସରକାର ଜବରଦଖଲକାରୀଙ୍କ କବଜାରୁ ସରକାରୀ ଜମିକୁ ମୁକ୍ତ କରିବେ କି?
- ବଡବଡିଆ ଜବରଦଖଲକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବେ କି?