କନକ ବ୍ୟୁରୋ : ଆସନ୍ତା ଜାନୁଆରୀ ୨୬ରେ ଉଦଘାଟିତ ହେବ କ୍ୟାପିଟାଲ ହସ୍ପିଟାଲ ମିଲକ ବ୍ୟାଙ୍କ୍ । ଏଥିପାଇଁ ଆବଶ୍ୟକୀୟ ଭିତ୍ତିଭୂମି କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଡାକ୍ତର ଓ କର୍ମଚାରୀ ତାଲିମ ନେଇ ସାରିଛନ୍ତି । ଗତ ୨ବର୍ଷରୁ ଅଧିକ ସମୟ ଧରି ଏଥିପାଇଁ ପ୍ରସ୍ତୁତି ଚାଲିଥିଲେ ହେଁ କୋଭିଡ ପାଇଁ ଏହାର ଉଦ୍‌ଘାଟନ ବିଳମ୍ବିତ ହୋଇଥିଲା। ଉଦଘାଟନ ପରେ ଏହା ରାଜ୍ୟର ପ୍ରଥମ ମିଲ୍‌କ ବ୍ୟାଙ୍କ୍ ପାଲଟିବ।

Advertisment

କ୍ୟାପିଟାଲ ହସ୍ପିଟାଲର ଶିଶୁ ୱାର୍ଡରେ ନିକଟରେ ଇନ୍‌ଫାଣ୍ଟ ଏଣ୍ଡ ୟଙ୍ଗ ଚାଇଲ୍‌ଡ ଫିଡିଂ ବା ଆଇଏୱାଇଏଫ୍‌ କାଉନ୍‌ସେଲିଂ ସେଣ୍ଟର୍‌ କାର୍ଯ୍ୟକ୍ଷମ ହୋଇଛି। ଏଥିରେ ଜନ୍ମରୁ ୬ମାସ ପର୍ଯ୍ୟନ୍ତ ଶିଶୁଙ୍କୁ ସ୍ବତନ୍ତ୍ର ସ୍ତନ୍ୟପାନ ବା ଏକ୍ସକ୍ଲୁସିଭ୍ ବ୍ରେଷ୍ଟ ଫିଡିଂ ଉପରେ ଗୁରୁତ୍ବ ଦିଆଯାଉଛି। ପରବର୍ତୀ ସମୟରେ ଏହି କେନ୍ଦ୍ରକୁ ମିଲ୍‌କ ବ୍ୟାଙ୍କରେ ପରିଣତ କରିବା ପାଇଁ ଯୋଜନା ହୋଇଥିଲା। ଜାତୀୟ ସ୍ବାସ୍ଥ୍ୟ ମିସନ୍ ଜରିଆରେ ଏହି ବ୍ୟାଙ୍କ ଖୋଲିବ ବୋଲି ଜଣାପଡ଼ିଛି।

ମା’ମାନଙ୍କ କ୍ଷୀରକୁ ଆବଶ୍ୟକ ତାମପାତ୍ରାରେ ରଖାଯିବା ସହିତ ଅପରିପକ୍ବ ଶିଶୁମାନଙ୍କୁ ମିଲ୍‌କ ବ୍ୟାଙ୍କ ଜରିଆରେ କ୍ଷୀର ଖାଇବାର ସୁବିଧା ମିଳିବ। ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ବେକ୍ଷଣ ବା ଏନଏଫଏଚଏସରେ ଗ୍ରାମାଞ୍ଚଳ ଅପେକ୍ଷା ସହରାଞ୍ଚଳରେ ରହୁଥିବା ମା’ମାନେ ନିଜ ଶିଶୁକୁ ସ୍ତନ୍ୟପାନ ଅପେକ୍ଷା ଡବାକ୍ଷୀର ପିଆଇବାକୁ ଅଧିକ ପସନ୍ଦ କରୁଛନ୍ତି। ଏପରିକି କର୍ମଜୀବୀ ମା’ମାନଙ୍କ କ୍ଷେତ୍ରରେ ଏହା ଅଧିକ ଦେଖିବାକୁ ମିଳୁଛି। ଯାହାଫ‌ଳରେ ଉଭୟ ଶିଶୁ ଓ ମା’ମାନଙ୍କ ପ୍ରତି ବିପଦ ରହୁଛି। ତେବେ ସେମାନଙ୍କୁ ସ୍ତନ୍ୟପାନ ପାଇଁ ଉତ୍ସାହିତ କରିବାରେ ଏହି ବ୍ୟାଙ୍କ ସହାୟକ ହେବ।

କ୍ୟାପିଟାଲ ହସ୍ପିଟାଲ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ମିଲ୍‌କ ବ୍ୟାଙ୍କ ପାଇଁ ହସ୍ପିଟାଲ କେବଳ ଜାଗା ଯୋଗାଇ ଦେଇଥିବା ବେଳେ ଏଥିପାଇଁ ଆବଶ୍ୟକ ନିର୍ମାଣ କାର୍ଯ୍ୟ ‌ଶେଷ ହୋଇଛି। ଏହାସହ ଆବଶ୍ୟକ ଦୁଇଟି ମେସିନ୍‌ରୁ ଗୋଟିଏ ମେସିନ୍ ଲାଗିସାରିଛି।

ଏନଏଚଏମ୍ ପକ୍ଷରୁ ଅନ୍ୟ ମେସିନ୍ ଇନ୍‌ଷ୍ଟଲ ହେବା ପରେ ମିଲ୍‌କ ବ୍ୟାଙ୍କ୍ କାର୍ଯ୍ୟକ୍ଷମ ହେବ। ସେହିପରି ଏସସିବି ଓ ‌ଏମକେସିଜି ମେଡିକାଲ କଲେଜରେ ମଧ୍ୟ ଏହାକୁ କାର୍ଯ୍ୟକାରୀ କରିବା ଲାଗି ନିଷ୍ପତ୍ତି ହୋଇଛି। ମାତ୍ର ଜାଗା ସମସ୍ୟା ପାଇଁ ଏହା ଏ ପର୍ଯ୍ୟନ୍ତ ଆରମ୍ଭ ହୋଇପାରି ନାହିଁ। ତେଣୁ ଏଥିପାଇଁ ଆବଶ୍ୟକ ଜାଗା ଯୋଗାଇବା ପାଇଁ ଦୁଇ ମେଡିକାଲ କଲେଜର କର୍ତୃପକ୍ଷଙ୍କୁ କୁହାଯାଇଥିବା ସ୍ବାସ୍ଥ୍ୟ ବିଭାଗ ସୂତ୍ରରୁ ସୂଚନା ମିଳିଛି। ରାଜ୍ୟ ପରିବାର କଲ୍ୟାଣ ନିର୍ଦେଶକ ଡା.ବିଜୟ ପାଣିଗ୍ରାହୀ କହିଛନ୍ତି, ଏମକେସିଜି ମେଡିକାଲରେ ଏଥିପାଇଁ ଜାଗା ଚିହ୍ନଟ ହୋଇଥିଲା। ମାତ୍ର ‌କରୋନା ପାଇଁ ସଂପୃକ୍ତ ସ୍ଥାନକୁ କୋଭିଡ ପାଇଁ ବ୍ୟବହାର କରାଯାଉଛି। ମାତ୍ର ଏସ୍‌ସିବିରେ ଆବଶ୍ୟକ ଜାଗା ମିଳୁନାହିଁ। ତେଣୁ ବିକଳ୍ପ ଭାବେ କେଉଁଠାରେ ଏହାକୁ ନିର୍ମାଣ କରାଯିବ ତାହାକୁ ନେଇ ଆଲୋଚନା ଜାରି ରହିଛି। କ୍ୟାପିଟାଲ ହସ୍ପିଟାଲରେ ହେବାକୁ ଥିବା ମିଲକ ବ୍ୟାଙ୍କ୍ ପାଇଁ ଡାକ୍ତର ଓ କର୍ମଚାରୀଙ୍କ ନୂଆଦିଲ୍ଲୀସ୍ଥିତ ଲେଡି ହାର୍ଡିଂ ମେଡିକାଲ କଲେଜରେ ତାଲିମ ନେଇ ସାରିଛନ୍ତି। ଏହାର ଭିତ୍ତିଭୂମି କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ତେଣୁ ଆସନ୍ତା ୨୬ତାରିଖ ବେଳକୁ ଏହାର ଉଦଘାଟନ କରିବାକୁ ପ୍ରସ୍ତୁତି ଆରମ୍ଭ ହୋଇଥିବା ଡା. ପାଣିଗ୍ରାହୀ ସୂଚନା ଦେଇଛନ୍ତି।