କମାଲ କଲେ କ୍ୟାପିଟାଲ ହସ୍ପିଟାଲ କର୍ମଚାରୀ । ବାତ୍ୟାକୁ ଖାତିର ନକରି ଜୀବନକୁ ବାଜି ଲଗାଇ ବଞ୍ଚାଇଲେ ୨୨ ନବଜାତ ଶିଶୁଙ୍କ ଜୀବନ ।

230

କନକ ବ୍ୟୁରୋ: ପ୍ରଳୟଙ୍କାରୀ ବାତ୍ୟା ‘ଫୋନି’ରେ ସାହାସ ଦେଖାଇଲେ କ୍ୟାପିଟାଲ ହସ୍ପିଟାଲର ଡାକ୍ତର, ସେବିକା ଓ ସହାୟକ । ଫଳରେ ବାତ୍ୟା ମୁହଁରୁ ବର୍ତ୍ତିଗଲେ ୨୨ଜଣ ନବଜାତ । ଗତ ୩ ତାରିଖରେ ବାତ୍ୟା ‘ଫୋନି’ ସମଗ୍ର ରାଜଧାନୀରେ ଧ୍ୱଂସର ତାଣ୍ଡବ ଚଳାଇବାଥିବାବେଳେ ଡାକ୍ତରଖାନା ଶିଶୁ ବିଭାଗର ଏସଏନସିୟୁଟି ମଧ୍ୟ ବାତ୍ୟା ପ୍ରକୋପରୁ ରକ୍ଷା ପାଇନଥିଲା । ପ୍ରଖର ପବନରେ ଏହାର ସିଲିଂ ଗୁଡିକ ଭାଙ୍ଗିରୁଜି ଯାଇଥିଲା । ବିଦ୍ୟୁତ୍ ସାଜ ସରଞ୍ଜାମ ସହିତ ସିଲିଂ ଗୁଡିକ ତଳେ ଥିବା ନବଜାତକମାନଙ୍କ ଉପରକୁ ପଡିବା ଆରମ୍ଭ କରିବା ମାତ୍ରେ ସେଠାରେ ଉପସ୍ଥିତ କର୍ମଚାରୀମାନେ ନିଜ ଜୀବନକୁ ବାଜି ଲଗାଇ ଶିଶୁମାନଙ୍କୁ ଉଠାଇ ଜାବୁଡି ଧରିଥିଲେ । ଏଥି ସହିତ ଉପସ୍ଥିତ ବୁଦ୍ଧି ଖଟାଇ ଇନକ୍ୟୁବେଟରୁ ତୁରନ୍ତ ବିଦ୍ୟୁତ ସଂଯୋଗ କାଟି ଦେବାରୁ ସେଥିରେ ଥିବା ନବଜାତକମାନେ ମଧ୍ୟ ରକ୍ଷାପାଇ ଯାଇଥିଲେ ।

ଅନ୍ୟପଟେ ଏସଏନସିୟୁଟି ବାତ୍ୟା ମାଡରେ ଚୂରମାର ହୋଇଯାଇଥିବାବେଳେ ଶିଶୁମାନଙ୍କ ଜୀବନ କିନ୍ତୁ ବଂଚି ଯାଇଥିଲା । ଯେତେବେଳେ ବାତ୍ୟାର ପ୍ରକୋପକୁ ଦେଖି ଶିଶୁଙ୍କ ପିତାମାତା ଓ ଅନ୍ୟ ଲୋକେ ଆତଙ୍କିତ ହେବା ସହିତ ନିଜ ଜୀବନ ବଂଚାଇବାପାଇଁ ଉଦ୍ୟମ ଚଳାଇଥିଲେ ସେତେବେଳେ ଏସ୍ଏନସିୟୁରେ କର୍ତବ୍ୟରତ ଡାକ୍ତର, ସେବିକା ଓ ସହାୟିକାମାନେ କିନ୍ତୁ ଶିଶୁଙ୍କ ପାଇଁ ନିଜ ଜୀବନକୁ ବାଜି ଲଗାଇ ଦେଇଥିଲେ ।

ସବୁଠାରୁ ବଡ଼ କଥା ହେଲା କି, ବାତ୍ୟା ପ୍ରଭାବରେ ମୁଣ୍ଡ ଉପରୁ ବଡ ବଡ ସିଲିଂ ଖଣ୍ଡ ସହିତ ବିଦ୍ୟୁତ ସାଜ ସରଞ୍ଜାମ ପଡିବାକୁ ଖାତିର ନକରି ସେବାକୁ ପ୍ରାଥମିକତା ଦେଇ ସେମାନେ ଶିଶୁଙ୍କ ଅମୂଲ୍ୟ ଜୀବନ ବଂଚାଇ ପାରିଛନ୍ତି । କ୍ୟାପିଟାଲ ହସ୍ପିଟାଲ ଡାକ୍ତର, ସେବିକା ଓ ସହାୟିକାମାନଙ୍କ ଏଭଳି ସାହସିକ କାର‌୍ୟ୍ୟ ଓ ସେବା ମନୋବୃତିକୁ ସବୁଆଡୁ ପ୍ରଶଂସାର ସୁଅ ଛୁଟିଛି ।