କନକ ବ୍ୟୁରୋ: ବିରଳ ରୋଗର ଶିକାର ହୋଇଛନ୍ତି ବଲିଉଡର ଲୋକପ୍ରିୟ ଗାୟିକା ଅଲକା ୟାଗନିକ। ନ୍ୟୁରୋ ଜନିତ ସମସ୍ୟାରେ ପୀଡ଼ିତ ଅଲକା ନିଜର ଶ୍ରବଣ ଶକ୍ତି ହରାଇଛନ୍ତି। ଏନେଇ ସେ ନିଜ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି, ଯାହାକୁ ନେଇ ପ୍ରଶଂସକଙ୍କ ମଧ୍ୟରେ ନିରାଶା ଦେଖାଦେଇଛି।

Advertisment

ଅଲକା ୟାଗନିକ। ଯାହାଙ୍କ ସ୍ବର ସମସ୍ତଙ୍କୁ ମତୁଆଲା କରେ। ଯାହାର ଗୀତ ଶୁଣି ସଭିଏଁ ବିଭୋର ହୋଇଯାଆନ୍ତି। ଯାହାଙ୍କ ଗୀତ ଶୁଣିଲା ପରେ ଶାନ୍ତି ମିଳିଥାଏ। ସେହି ଲୋକପ୍ରିୟ ଗାୟିକା ଅଲକାଙ୍କ ସହ ଏମିତି କିଛି ଘଟିଛି, ଯାହା ସମସ୍ତଙ୍କୁ ଚକିତ କରିଛି। ସମସ୍ତଙ୍କୁ ନିଜ ଗୀତରେ ମତୁଆଲା କରୁଥିବା ଅଲକାଙ୍କୁ କିଛି ଶୁଭୁନାହିଁ।

କିଛି ଶୁଣିପାରୁନାହାନ୍ତି ବଲିଉଡର ଲୋକପ୍ରିୟ ଗାୟିକା ଅଲକା ୟାଗନିକ। ରେୟାର ସେନସୋରିନ୍ୟୁରାଲ ନର୍ଭ ହିୟରିଂ ଲସ୍ରେ ପୀଡ଼ିତ ହୋଇଛନ୍ତି ଅଲକା ୟାଗନିକ। ଏନେଇ ନିଜେ ଅଲକା ନିଜର ସୋସିଆଲ ମିଡିଆ ଆକାଉଂଟରେ ସୂଚନା ଦେଇଛନ୍ତି। ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି ତାଙ୍କର ଶ୍ରବଣ ଶକ୍ତି ଚାଲିଯାଇଥିବା କହିଛନ୍ତି। ଅଲକା ଲେଖିଛନ୍ତି, କିଛି ସପ୍ତାହ ତଳେ ଯେତେବେଳେ ମୁଁ ବିମାନ ଯାତ୍ରା କରି ବାହାରକୁ ବାହାରିଲି ହଠାତ ଅନୁଭବ କଲି ଯେ ମୁଁ କିଛି ଶୁଣିପାରୁନାହିଁ। କିଛି ସପ୍ତାହ ହେଲା ମୁଁ କାହିଁକ ମୋ କାର୍ୟ୍ୟରୁ ବିରତ ରହିଥିଲି ଓ କାହିଁକି ସାମ୍ନାକୁ ଆସୁନାହିଁ ବୋଲି ମୋତେ ଅନେକ ଲୋକ ପ୍ରଶ୍ନ ପଚାରିଛନ୍ତି। ବର୍ତ୍ତମାନ ଘଟଣାର କିଛି ଦିନ ପରେ ର୍ମୁ ସାହାସ ଯୁଟାଇ ସମସ୍ତଙ୍କ ସାମ୍ନାକୁ ଆସିଛି। ମୁଁ ମୋର ବନ୍ଧୁ ଓ ପ୍ରଶଂସକଙ୍କୁ ଏ ସମ୍ପର୍କରେ କହିବାକୁ ଚାହୁଁଛି। ମୁଁ ରେୟାର ସେନସୋରିନ୍ୟୁରାଲ ନର୍ଭ ହିୟରିଂ ଲସ୍ରେ ପୀଡ଼ିତ । ଭାଇରାଲ ସଂକ୍ରମଣ ଯୋଗୁଁ ଏହି ସମସ୍ୟା ହୋଇଥିବା ଡାକ୍ତର କହିଛନ୍ତି। ହଠାତ ଏପରି ଏକ ବଡ଼ ଧକ୍କା ମୋତେ ଆଶ୍ଚର୍ୟ୍ୟ କରିଛି। ମୁଁ ଏଥିରୁ ମୁକ୍ତି ପାଇବାକୁ ଚେଷ୍ଟା କରୁଛି। ମୋ ପାଇଁ ସମସ୍ତେ ପ୍ରାର୍ଥନା କରନ୍ତୁ। ମୋ ପ୍ରଶଂସକଙ୍କୁ କହିବା ପାଇଁ ଚାହୁଁଛି ଯେ ଉଚ୍ଚ ଶବ୍ଦରେ ସଙ୍ଗୀତ ଶୁଣନ୍ତୁନାହିଁ ଏବଂ ହେଡଫୋନ୍ ବ୍ୟବହାର କରିବାକୁ ବିରତ ରୁହନ୍ତୁ। ସମସ୍ତଙ୍କ ଭଲପାଇବା ଓ ସମର୍ଥନ ଯୋଗୁଁ ମୁଁ ଖୁବ୍ ଶୀଘ୍ର ପୁଣି ଆଗଭଳି ଫେରିବାକୁ ଆଶା କରୁଛି।

୫୮ବର୍ଷୀୟ ଅଲଗା ୟାଗନିକଙ୍କ ସହ ହଠାତ୍ ଏପରି ଘଟିଯିବା ଖୋଦ୍ ତାଙ୍କୁ ବି ଚିନ୍ତାରେ ପକାଇଛି। ଡାକ୍ତରଙ୍କ କହିବା ଅନୁସାରେ ପ୍ରାୟତଃ ଗୋଟିଏ କାନରେ ଏହି ନ୍ୟୁରୋ ଜନିତ ସମସ୍ୟା ଦେଖାଦେଇଥାଏ। ଏହା କୌଣସି ବୟସରେ ବି ମଣିଷକୁ ଆକ୍ରାନ୍ତ କରିପାରେ। ତେବେ ୫୦ରୁ ୬୦ ବର୍ଷ ବୟସର ଲୋକଙ୍କ ଏହି ରେୟାର ସେନସୋରିନ୍ୟୁରାଲ ନର୍ଭ ହିୟରିଂ ଲସର ଅଧିକ ପୀଡ଼ିତ ହୋଇଥାନ୍ତି।

ଅଲକା ୟାଗନିକ ଏହି ରୋଗରେ ପୀଡ଼ିତ ହୋଇ ନିଜର ଶ୍ରବଣ ଶକ୍ତି ହରାଇବା ତାଙ୍କ ପ୍ରଶଂସକଙ୍କୁ ବଡ଼ ଧକ୍କା ଦେଇଛି। ତେବେ ଏପରି ସମୟରେ ନିଜେ ଅଲକା ମଧ୍ୟ ତାଙ୍କ ପାଇଁ ପ୍ରାର୍ଥନା କରିବାକୁ ସମସ୍ତଙ୍କୁ ଅପିଲ କରିଛନ୍ତି। ଏବଂ ସୁସ୍ଥ ହୋଇ ଶୀଘ୍ର ପୁଣି ଆଗଭଳି କାମ କରିବେ ବୋଲି ଆଶା ରଖିଛନ୍ତି।