ଓଡ଼ିଶାର ଏମିତି ଗାଁ । ଯେଉଁଠି ଲୋକେ ଗାଇ ପାଳନ୍ତି କିନ୍ତୁ କ୍ଷୀର ଦୁହଁନ୍ତି ନାହିଁ । 

129

କନକ ବ୍ୟୁରୋ : ଆଧୁନିକ ଯୁଗର ଦ୍ୱାହି ଦେଇ ମଣିଷ ଯେତେ ଆଗକୁ ବଢୁଥିଲେ ମଧ୍ୟ ଅନ୍ଧବିଶ୍ୱାସର ଫାଶରୁ ସେ ଆଦୌ ମୁକୁଳି ପାରୁନାହିଁ। କ୍ଷୀପ୍ର ଗତିରେ ଆଗକୁ ବଢିଚାଲିଥିବା ମଣିଷ ଅନେକ ସମୟରେ ପୁରୁଷ ପୁରୁଷ ଧରି ଗଢି ଆସୁଥିବା ବିଶ୍ୱାସକୁ ବା ଅନ୍ଧବିଶ୍ୱାସକୁ ନିଜ ଭିତରୁ ଦୂରେଇ ପାରୁନାହିଁ। ବିଶେଷକରି ଆଦିବାସୀ ସମାଜରେ ଏହାର ପ୍ରଭାବର ବହୁ ପରିମାଣରେ ଆଜି ବି ଦେଖିବାକୁ ମିଳିଛି। ଯୁଗ ସହ ତାଳ ମିଳାଇ ଚାଲୁଥିଲେ ମଧ୍ୟ ସଂସ୍କାର, ସଂସ୍କୃତି ଏବଂ ପରମ୍ପରା ଦ୍ୱାହି  ଦେଇ ଅନ୍ଧବିଶ୍ୱାସ ପାଖରୁ ନିଜକୁ ମୁକୁଳାଇ ପାରୁ ନାହାନ୍ତି। ବିଶ୍ୱାସରେ ନିଅ‌ା ଯାଇପାରୁ ନଥିଲେ ମଧ୍ୟ ଏକ ସତ୍ୟ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲାର ସ୍ବାଭିମାନ ଅଞ୍ଚଳରେ ବସବାସ କରୁଥିବା ଆଦିବାସୀଙ୍କ ନିକଟରେ।

ସ୍ୱାଭିମାନ ଅଂଚଳରେ ରହୁଥିବା ୭ଟି ପଞ୍ଚାୟତର ଗ୍ରାମବାସୀ ମାନେ ଏକ ଅଦ୍ଭୁତ ବିଶ୍ୱାସକୁ ନେଇ ଆଜି ଯାଏଁ ଚଳିଆସିଛନ୍ତି। ଏହି ସାତୋଟି ପଞ୍ଚାୟତ ଅଧିନରେ ରହିଥିବା ଗ୍ରାମବାସୀ ମାନେ ନିଜ ନିଜ ଘରେ ଗାଈ ପାଳନ୍ତି। ସାଧାରଣ ଲୋକେ ଗାଈଟିଏ ପାଳିଲେ ତା’ ପାଖର କ୍ଷୀର ତଥା କ୍ଷୀରରୁ ଲହୁଣି, ଦହି ଭଳି ଦ୍ରବ୍ୟ ଆଦାୟ କରି ନିତିଦିନିଆ ଖାଦ୍ୟରେ ସାମିଲ କରିଥାନ୍ତି। କିନ୍ତୁ ଆଶ୍ଚର୍ଯ୍ୟର କଥା ଏହି ପଞ୍ଚାୟତ ଗୁଡିକରେ ରହୁଥିବା ଗ୍ରାମବାସୀ ମାନେ ଗାଈ ପାଳିଛନ୍ତି ସତ କିନ୍ତୁ କେହି କେବେ ମଧ୍ୟ କ୍ଷୀର ଦୁହିଁ ନଥାନ୍ତି। ରାତି ପାହିଲେ ଗାଈ ସବୁକୁ ଚରିବା ପାଇଁ ଛାଡି ଦେଇଥାନ୍ତି। ଫେରିବା ପରେ ଗାଈରୁ କ୍ଷୀର ଦୁହାଁ ହୋଇନଥାଏ। ଗାଈଟି ଯେତେ ଦୁଧିଆଳି ହେଉ ପଛକେ ତାର ପହ୍ନାରେ ହାତ ମାରିନଥାନ୍ତି। ତେବେ କାହିଁକି ଏବଂ କେଉଁ କାରଣରୁ ଏମିତି କରି ଆସୁଛନ୍ତି ଏ ସଂପର୍କରେ ସେମାନଙ୍କ ନିକଟରେ କୌଣସି ନିର୍ଦ୍ଧିଷ୍ଟ ତଥ୍ୟ ମୂଳକ ଉତ୍ତର ନାହିଁ। ତେବେ ସେମାନେ ସ୍ୱୀକାର କରନ୍ତି ଯେ ପୁରୁଷ ପୁରୁଷ ଧରି ସେମାନଙ୍କର ଗ୍ରାମ ଗୁଡିକରେ ଏହା ଚାଲିଆସୁଛି।

ଅନ୍ଧବିଶ୍ୱାସ ହେଉ ବା ଦେବାଦେବୀଙ୍କୁ ସନ୍ତୁଷ୍ଟ କରିବାକୁ ହେଉ ଏହାକୁ ଏକ ବିଧିବଦ୍ଧ ନିୟମ ରୂପେ ପାଳି ଆସୁଛନ୍ତି। ଯଦିଓ ଆଧୁନିକ ସମାଜ ଏହାକୁ ଅନ୍ଧବିଶ୍ୱାସ କରି ଏଡାଇ ଦେଇପାରେ। ତଥାପି ଗ୍ରାମବାସୀ ମାନେ କିନ୍ତୁ ନିଜ ବିଶ୍ୱାସରୁ ଓହରି ଯିବା ପାଇଁ କୌଣସି ସମୟରେ ମଧ୍ୟ ମାନସିକସ୍ତରରେ ପ୍ରସ୍ତୁତ ନୁହଁନ୍ତି। ଏହିଭଳି ଏକ ଅଜବ ନିୟମକୁ ନେଇ ବଂଚୁଥିବା ସ୍ବାଭିମାନ ଅଂଚଳର ଗ୍ରାମବାସୀ ମାନେ ବିଭିନ୍ନ ସ୍ତରରୁ କ୍ଷତି ସହୁଥିବା ପ୍ରାଣୀ ବିଶେଷଜ୍ଞ ମାନଙ୍କର ମତ। ସେମାନଙ୍କ କହିବା ଅନୁଯାୟୀ, ଆଦିବାସୀ ସଂପ୍ରଦାୟର ଲୋକ ମାନେ ସରଳ ବିଶ୍ୱାସୀ ଏବଂ ଅନ୍ଧବିଶ୍ୱାସକୁ ଜାବୁଡି ଧରି ବସିଛନ୍ତି। କିନ୍ତୁ ଏହାଦ୍ବାରା ସେମାନଙ୍କର ଆର୍ଥିକ ମାନଦଣ୍ଡରେ ମଧ୍ୟ ବାଧା ସୃଷ୍ଟି ହେଉଛି।

କ୍ଷୀର ଦୁହିଁ ବିକ୍ରି କରିବା ଫଳରେ ସେମାନେ ଆର୍ଥିକସ୍ତରରେ ଯେଉଁଭଳି ଭାବେ ଲାଭବାନ ହୋଇଥାନ୍ତେ ସେଥିରୁ ବଂଚିତ ହେଉଛନ୍ତି। ଏକଥା ସତ ଯେ ବାଛୁରୀ ମାନେ ଯଥେଷ୍ଟ ପରିମାଣରେ କ୍ଷୀର ପିଇବାକୁ ପାଉଥିବାରୁ ସେମାନେ ହୃଷ୍ଟପୁଷ୍ଟ ହୋଇଥାନ୍ତି। ସେମାନଙ୍କୁ ଏ ସଂପର୍କରେ ସଚେତନ କରାଇବା ନିହାତି ଜରୁରୀ। ଜିଲ୍ଲା ପ୍ରଶାସନ ମଧ୍ୟ ଏଦିଗରେ କାମ କରିବ ବୋଲି କହିଛନ୍ତି। କେବେ ଏବଂ କେଉଁ ପରିସ୍ଥିତିରେ ଏଭଳି ନିୟମ କରାଯାଇଛି ତାହା ଜଣାନଥିଲେ ମଧ୍ୟ ନିୟମକୁ କଡାକଡି ପାଳନ କରୁଥିବାରୁ ଏହାକୁ ବଦଳାଇବା ପ୍ରଶାସନ ପାଇଁ ଏକ ବଡ ଚ୍ୟାଲେଞ୍ଜ ହେବ ବୋଲି କୁହାଯାଇଛି।