ଚୋରାଚାଲାଣ ବେଳେ ୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ : ଗାଡ଼ି ମାଲିକ ଓ ଚାଳକ ଗିରଫ

384

କନକ ବ୍ୟୁରୋ : ଗଜପତି ଜିଲ୍ଲାର ମୋହନା ଥାନା ଅଞ୍ଚଳରୁ ପୁଣି ଗଞ୍ଜେଇ ଜବତ କରାଯାଇଥିବାର ଖବର ମିଳିଛି। ଏହି ମାମଲାରେ ଦୁଇଜଣଙ୍କୁ ଗିରଫ କରିଛି ପୁଲିସ୍। ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ  ଗଜପତି ଜିଲ୍ଲାର ମୋହନା ଥାନା ଅନ୍ତର୍ଗତ କଳାମେରୀ ଗ୍ରାମ ନିକଟରେ ଏକ ଟାଟା ଡାୟକର୍ ଗାଡ଼ିରୁ ୧୩ ବସ୍ତା ଗଞ୍ଜେଇ ଜବତ କରାଯାଇଛି। ଉକ୍ତ ଗାଡ଼ିର ନମ୍ବର ହେଲା- ଓଡି୦୫ଜେଡ୍ ୯୪୪୪। ଏହି ଗାଡ଼ିରେ ବ୍ରହ୍ମପୁରକୁ ଗଞ୍ଜେଇ ଚୋରାଚାଲାଣ ହେଉଥିବାର ପୂର୍ବରୁ ପୁଲିସ୍ ପାଖରେ ସୂଚନା ଥିଲା।

ଖବର ପାଇବା ପରେ ଗଜପତି ଏସପି ତପନ ପଟ୍ଟନାୟକଙ୍କ ନିର୍ଦେଶ କ୍ରମେ ଆର ଉଦୟଗିରି ଏସଡିପିଓ , ମୋହନା ଥାନା ଅଧିକାରୀ ଏବଂ ପୁଲିସ୍ କର୍ମଚାରୀମାନେ ମିଳିତ ଚଢାଉ କରି ଗଞ୍ଜେଇ ଜବତ କରିଥିଲେ। ଜବତ ଗଞ୍ଜେଇର ଓଜନ ୩୯୧ କିଲୋ ୭୦୦ ଗ୍ରାମ୍ ବୋଲି ଜଣାଯାଇଛି। ଏହାର ଆନୁମାନିକ  ମୂଲ୍ୟ ପ୍ରାୟ ୩୦ ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି। ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ଗାଡ଼ି ମାଲିକ ପାଉଲ ପାଣି  ଓ ଚାଳକ ଅନୁଗ୍ରହ ଲିମାଙ୍କୁ ଗିରଫ କରାଯାଇଛି ବୋଲି  ମୋହନା ଥାନା ଅଧିକାରୀ ସୁଜିତ କୁମାର ନାୟକ ସୂଚନା ଦେଇଛନ୍ତି।