ବଡ ବ୍ୟବସାୟ ପଛରେ ଗଞ୍ଜେଇ କାରବାର : ପୋଲିସ ହାତରେ ଧରା ହେଲେ ରାଇସ ମିଲର, ଖୋଲୁଛି ମିଲ୍ ଆଢୁଆଳରେ ଚାଲିଥିବା ଚୋରା ଗଂଜେଇ ବେପାରର ରହସ୍ୟ

ଚର୍ଚ୍ଚାରେ ବଲାଙ୍ଗିରର କ୍ଲାସ ୱାନ୍ ଠିକାଦାର ତୁସୁରାର କୋଟିପତି ଗଂଜେଇ ବେପାରୀ

993

କନକ ବ୍ୟୁରୋ : ଲୋକ ଦେଖିବାକୁ ଚାଲିଛି ବଡ ବ୍ୟବସାୟ । ହେଲେ ତା ଭିତରେ ଗଞ୍ଜେଇ କାରବାରର ବଡ ବ୍ୟବସାୟ । ବଲାଙ୍ଗିରରେ ରାଇସ ମିଲ ଆଳରେ ଚାଲିଥିଲା ବଡ ଧରଣର ଗଂଜେଇ କାରବାର । କୋଟିପତି ବ୍ୟବସାୟୀଙ୍କୁ ଗିରଫ ପରେ ସାମ୍ନାକୁ ଆସିଛି କଳା ବେପାରର ସତ କାହାଣୀ । ଆଉ ଏହା ସହିତ ଖୋଲିଛି ରାଇସ ମିଲ୍ ଆଢୁଆଳରେ ଚାଲିଥିବା ଅନ୍ତଃରାଜ୍ୟ ଚୋରା ଗଂଜେଇ ବେପାର ରହସ୍ୟ । ଗିରଫ କୋଟିପତି ବ୍ୟବସାୟୀ ହେଉଛନ୍ତି ବଲାଙ୍ଗିରର କ୍ଲାସ ୱାନ ଠିକାଦାର ନିରଞ୍ଜନ କେଡିଆ ।

ଗତ ଅକ୍ଟୋବର ୩ ତାରିଖ ମୁନିଗୁଡା ପୋଲିସ ଗୋଟିଏ ଟ୍ରକକୁ ଧରିଥିଲା । ଟ୍ରକ କୁ ଯାଂଚ ବେଳେ ତା ଭିତରେ କୁଣ୍ଡା ବସ୍ତା ଭିତରେ ଥିଲା ବିପୁଳ ପରିମାଣର ଗଞ୍ଜେଇ । ଏହା ମଧ୍ୟ ପ୍ରଦେଶର ସାଗର ଜିଲ୍ଲାକୁ ଯାଉଥିଲା । ପୋଲିସ ୬ ଜଣକୁ ଗିରଫ କରିଥିଲା ହେଲେ ମାଷ୍ଟର ମାଇଣ୍ଡ ନିରଞ୍ଜନ କେଡିଆକୁ ଧରିବାକୁ ନାକେ ଦମ ହେବାକୁ ପଡିଥିଲା ପୋଲିସକୁ । ଗିରଫ ଅଭିଯୁକ୍ତଙ୍କୁ ଜେରା ଓ ବିଭିନ୍ନ ସ୍ଥାନରେ ଚଢାଉ ପରେ ଶେଷରେ ବଲାଙ୍ଗିର ସହରରେ ଏହି କୋଟିପତି ଗଂଜେଇ ବେପାରୀଙ୍କୁ ପୋଲିସ ଗିରଫ କରିଛି ।

ଏହି ଗିରଫଦାରୀ ପରେ ସାମ୍ନାକୁ ଆସିଛି କିପରି ବଡ ବେପାର ଆଳରେ ଚାଲିଥିଲା ଗଂଜେଇ ବେପାର । ରାଇସ ମିଲ ଆଳରେ ଅନ୍ତଃରାଜ୍ୟ ଭେଇକିଲ ଟ୍ରାସପୋର୍ଟ ମାଧ୍ୟମରେ ବଲାଙ୍ଗିର ତୁସୁରାରୁ ଗଞ୍ଜେଇ ଚାଲାଣ ହେଉଥିଲା । ଏହି ଘଟଣା ଜିଲ୍ଲାରେ ବେଧଡକ ଗଞେଇ ଚାଲାଣକୁ ସାମ୍ନାକୁ ଆଣିଛି । କୋଟିପତି ବ୍ୟବସାୟୀଙ୍କର ତିନୋଟି ରାଇସମିଲ ଓ ଗୋଟିଏ କ୍ରସର ରହିଛି ।