ରାସ୍ତା କଡରେ ମନ ମୋହୁଛି ବେତ ତିଆରି ସାମଗ୍ରୀ । ଚେୟାରଠୁ ଆରମ୍ଭ କରି ବିଭିନ୍ନ କିସମର ସାମଗ୍ରୀ କିଣିବାକୁ ଜମୁଛି ଗ୍ରାହକଙ୍କ ଭିଡ ।

420

କନକ ବ୍ୟୁରୋ: ଅର୍ଥ ରୋଜଗାର ପାଇଁ ରହିଛି ଅନେକ ବାଟ । ଦେଶର ଯେକୌଣସି ସ୍ଥାନ ହେଉନା କାହିଁକି ନିଜ ଭିତରେ ଯଦି କଳା ଓ ଜ୍ଞାନ ରହିଛି ତାହା ହେଲେ ରୋଜଗାରର ବାଟ ମିଳିପାରିବ । ଏହାର ଉଦାହରଣ ହେଉଛି ଜୟପୁର ରାସ୍ତାକଡରେ ମେଲିଥିବା ବେତ ତିଆରି ସାମଗ୍ରୀର ପସରା । ଆନ୍ଧ୍ର ପ୍ରଦେଶର ନେଲୁର ଅଚଂଳରୁ ଆସି ଜୟପୁର ସହରର ରାସ୍ତା କଡରେ ବ୍ୟବସାୟ କରି ଭଲ ରୋଜଗାର କରୁଛନ୍ତି ରବି ନେଲୁର ।

ସହରର ଚଳଚଞ୍ଚଳ ରାସ୍ତା କଡ଼ରେ ଧାଡ଼ି ଧାଡ଼ି ହୋଇ ପଡ଼ିଛି ରଙ୍ଗ ବେରଙ୍ଗର ଚୌକି, ଆଲମାରି ସହ ସୋଫାସେଟ୍ ଓ ଝୁଲା । ଛୋଟ ପିଲାଙ୍କ ସୌଖିନ ସାମଗ୍ରୀଠାରୁ ଆରମ୍ଭ କରି ବଡଲୋକଙ୍କ ପାଇଁ ଆରମ ଦାୟକ ଚେୟାର । ସତେ ଯେମିତି ଲାଗୁଛି ଜାତୀୟ ରାଜପଥର ସୌନ୍ଦର୍ଯ୍ୟ ପାଇଁ ସଜା ହୋଇ ରହିଛି । ରାସ୍ତାରେ ଯିଏ ବି ଯାଉଛି କ୍ଷଣକ ପାଇଁ ଅଟକି ଯାଉଛି । କିଏ ଦାମ ପଚାରି ଆନନ୍ଦରେ କିଣି ନେଉଛି ତ କେହି ନିଜ ମୋବାଇଲରେ ଫଟୋ ଟିଏ ବାହର କରି ଚାଲି ଯାଉଛି । ହାତ ତିଆରି ଏହି ସବୁ ସାମଗ୍ରୀ ଆସାମରୁ ଆସୁଥିବା ବେଳେ ଏହା ବେତ ଓ ବାଉଁଷରେ ତିଆରି । ସହର ପାଇଁ ଏହା ନୁଆଁ ହୋଇଥିବାରୁ ଲୋକଙ୍କ ମନ ମୋହୁଛି । ଆଉ ଏହାର ଦାମ ୫୦୦ ଟଙ୍କାରୁ ଆରମ୍ଭ ହୋଇ ୫ ହଜାର ଟଙ୍କା ପଯ୍ୟଁନ୍ତ ରହିଛି ।

ଆସାମର ସାମଗ୍ରୀ ଜୟପୁର ସହରରେ ବିକ୍ରି, ଅଧିକ ପଇସା ମିଳିବା ସହ ଏହାକୁ ଏକ ବ୍ୟବସାୟର ରୁପ ଦେଇଛନ୍ତି ସୁଦୁର ଆନ୍ଧ୍ର ପ୍ରଦେଶର ନେଲୁର ଅଚଂଳର ରବି ନେଲୁର । ନିଜ ପରିବାର ସହ ଜାତୀୟ ରାଜପଥ କଡ଼ରେ ଥିବା ଏକ ଗଛ ମୁଳରେ ବ୍ୟବସାୟ କରୁଛନ୍ତି ସେ । ଦୀର୍ଘ ୧୫ ବର୍ଷ ହେବ ସେ ଦେଶର ବିଭିନ୍ନ ସ୍ଥାନରେ ଏହି ବ୍ୟବସାୟ କରି ଆସୁଛନ୍ତି । ନିଜ ବାପାଙ୍କ ଠାରୁ ଶିଖିଥିବା ଏହି କଳା, କରୋନା କାଳରେ ତାଙ୍କୁ ରୋଜଗାରର ମୁଖ୍ୟ ବାଟ ଦେଖାଇଛି । ନିଜେ ସେ ଆସାମରୁ କଚାଂମାଲ ଆଣି ସହରର ଆବଶ୍ୟକତା ଅନୁଶାରେ ରୁପ ଦେଇ ବିକ୍ରି କରିଥାନ୍ତି । ଖାଲି ବ୍ୟବସାୟ ନୁହେଁ ଯେଉଁ ମାନେ ଶିଖିବା ପାଇଁ ଚାହୁଛନ୍ତି ତାଙ୍କୁ ମଧ୍ୟ ସେ ଶିଖାଉଛନ୍ତି ।