ପାରାଦୀପରେ ସ୍ୱାମୀଙ୍କ ପାଇଁ ଭୋଟ ମାଗିଲେ ସ୍ତ୍ରୀ : ପ୍ରଚାର ମୈଦାନରେ ବିଜେପି, ବିଜେଡି, କଂଗ୍ରେସ ପ୍ରାର୍ଥୀଙ୍କ ପତ୍ନୀ । ଘରକୁ ଘର ବୁଲି କରୁଛନ୍ତି ଭୋଟ ଭିକ୍ଷା

353

କନକ ବ୍ୟୁରୋ : ସ୍ୱାମୀଙ୍କ ପାଇଁ ଘର ଘର ବୁଲି ଭୋଟ୍ ମାଗିଲେ ସ୍ତ୍ରୀ । ଗତକାଲି ରାତିରେ ପାରାଦୀପ ନିର୍ବାଚନ ମଣ୍ଡଳୀରେ ଦେଖିବାକୁ ମିଳିଛି ବିଧାୟକ ପ୍ରାର୍ଥୀଙ୍କ ପତ୍ନୀଙ୍କ ପ୍ରଚାର । ଜନତାଙ୍କ ମନ ଜିଣି ସ୍ୱାମୀଙ୍କୁ ବିଧାନସଭାକୁ ପଠାଇବା ପାଇଁ ଚେଷ୍ଟା କରୁଛନ୍ତି ବିଜେଡି, ବିଜେପି ଓ କଂଗ୍ରେସ ବିଧାୟକ ପ୍ରାର୍ଥୀଙ୍କ ସ୍ତ୍ରୀ । ବିଜେଡି ବିଧାୟକ ପ୍ରାର୍ଥୀ ସମ୍ବିତ ରାଉତରାୟଙ୍କ ପତ୍ନୀ ଗୀତାଂଜଳୀ ରାଉତରାୟ, କଂଗ୍ରେସ ବିଧାୟକ ପ୍ରାର୍ଥୀ ଅରିନ୍ଦମ ସର୍ଖେଲଙ୍କ ସ୍ତ୍ରୀ ମୁନିଦୀପ ସର୍ଖେଲ ଏବଂ ବିଜେପି ବିଧାୟକ ପ୍ରାର୍ଥୀ ସମ୍ପଦ ସ୍ୱାଇଁଙ୍କ ସ୍ତ୍ରୀ ସୁଚିତ୍ରା ସ୍ୱାଇଁ ।

କିଏ ପଂଚାୟତ ପଂଚାୟତ ବୁଲି ମହିଳାଙ୍କୁ ଏକାଠି କରି ସଭା କରି ଭୋଟ ପାଇବା ପାଇଁ ଚେଷ୍ଟା କରୁଛନ୍ତି ତ କିଏ ରୋଡ ସୋ କରି ସ୍ୱାମୀଙ୍କ ସପକ୍ଷରେ ଭୋଟ ହାତେଇବାକୁ ଉଦ୍ୟମ କରୁଛନ୍ତି । ବିଜେଡି ପ୍ରାର୍ଥୀ ସମ୍ବିତ ରାଉତରାୟଙ୍କ ସ୍ତ୍ରୀ ଗୀତାଂଜଳୀ ନବୀନ ସରକାରଙ୍କ ମିଶନ ଶକ୍ତିକୁ ଆଧାର କରି ମହିଳା ଭୋଟ ହାତେଇବା ପାଇଁ ଲକ୍ଷ୍ୟ ରଖିଛନ୍ତି । ସେହିପରି ବିଜେପି ପ୍ରାର୍ଥୀ ସମ୍ପଦଙ୍କ ସ୍ତ୍ରୀ ସୁଚିତ୍ରା ସ୍ୱାଇଁ ମୋଦିଙ୍କ ବିକାଶମୁଖୀ ଯୋଜନାକୁ ଲୋକଙ୍କୁ ଜଣାଇ ଭୋଟ ପାଇଁ ନିବେଦନ କରୁଛନ୍ତି । ସେପଟେ କଂଗ୍ରେସର ବାପି ସର୍ଖେଲଙ୍କ ସ୍ତ୍ରୀ ମୁନିଦୀପା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦୁର୍ନୀତିକୁ ଅସ୍ତ୍ର କରି ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ।