କନକ ବ୍ୟୁରୋ : ପଞ୍ଚାୟତିରାଜ ଆଇନରେ ସଂଶୋଧନ । ଏନେଇ କ୍ୟାବିନେଟ ବୈଠକରେ ମୋହର ବାଜିଛି । ସଂଶୋଧିତ ଆଇନ ଅନୁଯାୟୀ, ଏଣିକି ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀ ମାନେ ନାମାଙ୍କନପତ୍ର ଦାଖଲ ସମୟରେ ସତ୍ୟପାଠ ଦାଖଲ କରିବେ । ଆଉ ଏହି ସତ୍ୟପାଠରେ ପ୍ରାର୍ଥୀ ଯଦି କୌଣସି ମିଛ ତଥ୍ୟ ଦେଇଥାନ୍ତି ତେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏନେଇ ଆଇନରେ ବ୍ୟବସ୍ଥା କରାଯାଇଛି । ପୂର୍ବରୁ ରାଜ୍ୟର ତ୍ରିସ୍ତରୀୟ ପଞ୍ଚାୟତିରାଜ ଆଇନ ବ୍ୟବସ୍ଥାରେ କୌଣସି ଶପଥ ପାଠର ବ୍ୟବସ୍ଥା ନଥିଲା । ତେଣୁ ମିଥ୍ୟା ଶପଥ ପାଠ ଦାଖଲ କ୍ଷେତ୍ରରେ କୌଣସି ଦଣ୍ଡ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ସମ୍ଭବ ହେଉନଥିଲା । ତେବେ ପଞ୍ଚାୟତିରାଜ ଆଇନ ସଂଶୋଧିତ ହେବା ପରେ ପ୍ରାର୍ଥୀ ମାନେ ସତ୍ୟପାଠରେ ଅପରାଧିକ ମାମଲା, ସମ୍ପତ୍ତି, ଆୟ, ଶିକ୍ଷାଗତ ଯୋଗ୍ୟତା ବାବଦରେ ସୂଚନା ଦେବେ ।
ଏହାବାଦ୍ ସଂଶୋଧିତ ଆଇନରେ ପଞ୍ଚାୟତ ପ୍ରତିନିଧି ମାନଙ୍କ ଉପରେ ଗୁରୁଦାୟିତ୍ୱ ନ୍ୟସ୍ତ କରିଛନ୍ତି ସରକାର । ଏଣିକି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ହେଉଥିବା ମୁକାବିଲା କାର୍ଯ୍ୟରେ ପଞ୍ଚାୟତ ପ୍ରତିନିଧିଙ୍କୁ ସାମିଲ କରାଯିବ । ବାତ୍ୟା, ବନ୍ୟା, ମହାମାରୀ, ମରୁଡି ଭଳି ବିପର୍ଯ୍ୟୟ ବେଳେ ଜନସଚେତନତା ବୃଦ୍ଧି, ସ୍ଥାନାନ୍ତର, ରିଲିଫ୍ ସହାୟତା ପ୍ରଦାନ, ମରାମତି, ପୁନରୁଦ୍ଧାର, ପୁନର୍ନିମାଣ କାର୍ଯ୍ୟରେ ପଞ୍ଚାୟତିରାଜ ଅନୁଷ୍ଠାନ ଗୁଡିକର ସକ୍ରିୟ ଭୂମିକା ଦେଖିବାକୁ ମିଳିଥାଏ । ତେଣୁ ଏହି ପଞ୍ଚାୟତ ପ୍ରତିନିଧି ମାନଙ୍କୁ ବିପର୍ଯ୍ୟୟ ମୁକାବିଲାର ଦାୟିତ୍ୱ ଦେବା ନେଇ କ୍ୟାବିନେଟରେ ନିଷ୍ପତ୍ତି ହୋଇଥିବା କହିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ।