କନକ ବ୍ୟୁରୋ : ତପ୍ତପାଣି ଘାଟିରେ ଦୁର୍ଘଟଣାରେ ଆହତ ଛାତ୍ରଛାତ୍ରୀଙ୍କ ପାଇଁ ଆସିଛି ଆଶ୍ୱସ୍ତିକର ଖବର । ଓଜେଇଇ ପରୀକ୍ଷାରୁ ବଂଚିତ ହୋଇଥିବା ଛାତ୍ରଛାତ୍ରୀଙ୍କ ପାଇଁ ଆଉ ଥରେ ହେବ ଓଜେଇଇ ପରୀକ୍ଷା । ଏନେଇ ସୂଚନା ଦେଇଛନ୍ତି ଓଜେଇଇ କର୍ତ୍ତୃପକ୍ଷ । ପାଖାପାଖି ୪୫ ଜଣ ଛାତ୍ରଛାତ୍ରୀ ଏହା ଦ୍ୱାରା ଉପକୃତ ହେବେ ।
ଗଜପତି ଜିଲ୍ଲା ପ୍ରଶାସନ ଦୁର୍ଘଟଣାଗ୍ରସ୍ତ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଓଜେଇଇ ଚେୟାରମ୍ୟାନଙ୍କୁ ପୁର୍ନବାର ଛାତ୍ରଛାତ୍ରୀଙ୍କ ପରୀକ୍ଷା କରିବା ପାଇଁ ଅନୁରୋଧ କରିବା ପରେ ଓଜେଇଇ ଏନେଇ ସହମତି ପ୍ରକାଶ କରିଛି । ଆସନ୍ତା ୨୨ ତାରିଖରେ ଏବେ ସେହି ୪୫ ଜଣ ଛାତ୍ରଛାତ୍ରୀ ଓଜେଇଇ ପରୀକ୍ଷା ଦେବେ । ଗତ ୧୫ ତାରିଖରେ ଓଜେଇଇ ପରୀକ୍ଷା ଦେବାକୁ ଆସୁଥିବା ସମୟରେ ତପ୍ତପାଣି ଘାଟିରେ ଘଟିଥିଲା ବସ୍ ଦୁର୍ଘଟଣା ।