ପ୍ରାର୍ଥୀ ଛୁଉଁଛନ୍ତି ପ୍ରସାଦ, ଭୋଟରଙ୍କ ସାମ୍ନାରେ ଶପଥ କରି କହୁଛନ୍ତି ଦେବେନି ଧୋକା । ମିଶନ ଶକ୍ତିର ମହିଳା ଜୟନ୍ତୀ ଏକ୍କା ବିଜେଡିରୁ କରୁଛନ୍ତି ଭାଗ୍ୟ ପରୀକ୍ଷା । ପୂର୍ବତନ ବିଧାୟକ ବି ଲଢୁଛନ୍ତି ନିର୍ବାଚନ

107

କନକ ବ୍ୟୁରୋ: ନେତାଙ୍କୁ ଶପଥପାଠ କରାଇଲେ ଜନତା । ଭୋଟରଙ୍କୁ ଭୁଲି ନଯିବାକୁ ଛୁଆଁଇଲେ ମହାପ୍ରସାଦ । ନିର୍ବାଚନରେ ବିଜୟୀ ହେବା ପରେ ନେତାମାନେ ଶପଥପାଠ କରୁଥିବାର ଖବର ଆପଣ ଜାଣିଥିବେ । ହେଲେ ପିପିଲି ବ୍ଲକ ମଙ୍ଗଳପୁର ପଂଚାୟତରୁ ଆସିଥିବା ଏହି ଖବର ଉପରେ ନଜର ପକାନ୍ତୁ । ଆଶାୟୀ ସରପଞ୍ଚ ପ୍ରାର୍ଥୀନୀଙ୍କୁ ଶପଥପାଠ କରାଇଛନ୍ତି ଭୋଟର । ସରପଞ୍ଚ ପ୍ରାର୍ଥୀନି ସଂଯୁକ୍ତା ବେହେରାଙ୍କୁ ଫୁଲମାଳ ଦେଇ ସ୍ୱାଗତ କରିଛନ୍ତି ଗ୍ରାମବାସୀ । କିନ୍ତୁ ତାପରେ ଜଗନ୍ନାଥଙ୍କ ନାଁରେ ମହାପ୍ରସାଦ ଓ ଦୁବ ବରକୋଳି ପତ୍ର ଦେଇ ଶପଥପାଠ ବି କରାଇଛନ୍ତି । ନିର୍ବାଚନରେ ଜିତିଲେ ପୁରା ୫ ବର୍ଷ ପଞ୍ଚାୟତର ଉନ୍ନତି କରିବା ସହ ଭୋଟରଙ୍କ ସୁଖ ଦୁଃଖରେ ରହିବାକୁ କହିଛନ୍ତି ।

ସେହିପରି ଏସଏଚଜି ସଦସ୍ୟାରୁ ଜିଲ୍ଲା ପରିଷଦ ପ୍ରାର୍ଥୀ ହୋଇଛନ୍ତି ଜୟନ୍ତୀ ଏକ୍କା । ୨୦୧୮ ମସିହାରେ ଭୁବନେଶ୍ୱରରେ ଆୟୋଜିତ ମେକଇନ ଓଡିଶା କନକ୍ଲେଭରେ ମୁଖ୍ୟମନ୍ତ୍ରୀଙ୍କୁ ଅଟକାଇ ନିଜର ଭାଷଣ ରଖିବା ପରେ ଚର୍ଚ୍ଚାକୁ ଆସିଥିଲେ ସୁନ୍ଦରଗଡ ଜିଲ୍ଲା ବାଲିଶଙ୍କରାର ମିଶନ ଶକ୍ତି ଏସଏଚଜି ସଦସ୍ୟା ଜୟନ୍ତୀ ଏକ୍କା । ଏହି ଘଟଣାକୁ ନେଇ ସେ ସାରା ରାଜ୍ୟରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଥିଲେ । ଏପରିକି ମୁଖ୍ୟମନ୍ତ୍ରୀ ତାଙ୍କୁ ବ୍ୟକ୍ତିଗତ ଭାବେ ଡାକି ସାକ୍ଷାତ କରିଥିଲେ । ଏବେ ଜୟନ୍ତୀ ଏକ୍କା ବିଜେଡି ଟିକେଟରେ ବାଲିଶଙ୍କରା ବ୍ଲକର ଖ ଜୋନ୍ରୁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

  • ପଞ୍ଚାୟତ ନିର୍ବାଚନ ଲଢ଼ିବେ ପୂର୍ବତନ ବିଧାୟକ
  • ଭଦ୍ରକ ୧୫ ନମ୍ବର ଜିଲ୍ଲା ପରିଷଦ ଜୋନରୁ ହେବେ ପ୍ରାର୍ଥୀ

ପଞ୍ଚାୟତନ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ଜାରି ରହିଥିବାବେଳେ ଚର୍ଚ୍ଚାକୁ ଆସିଛନ୍ତି ଭଣ୍ଡାରୀପୋଖରୀର ପୂର୍ବତନ ବିଧାୟକ ପ୍ରଫୁଲ ଜେନା । ସେ ଚଳିତ ଥର ଭଦ୍ରକ ଜିଲ୍ଲାର ୧୫ ନଂ ଜୋନ୍ ଜିଲ୍ଲା ପରିଷଦ ଆସନରୁ ବିଜେଡି ଟିକେଟରେ ପ୍ରାର୍ଥୀ ହୋଇଛନ୍ତି । ୧୯୯୧ ଉପନିର୍ବାଚନରେ ଜନତା ଦଳରୁ ପ୍ରାର୍ଥୀ ହୋଇଥିଲେ ପ୍ରଫୁଲ ଜେନା । ଆଉ ୨୧ ମାସ ପାଇଁ ବିଧାୟକ ହୋଇଥିଲେ ।

ଡାକ୍ତର ଲିପିକା ମାଝୀ । ଡାକ୍ତରୀ ପେଶାରୁ ରାଜନୀତି । ପୂର୍ବତନ ବିଧାୟକ ଭୁଜବଳ ମାଝିଙ୍କ ଝିଅ , ଡକ୍ଟର ଲିପିକା ମାଝି ଲଢିବେ ପଞ୍ଚାୟତ ନିର୍ବାଚନ । ଲିପିକା ପାପଡାହାଣ୍ଡି ବ୍ଲକ ଜିଲ୍ଲା ପରିଷଦ ଜୋନ-୨ ପାଇଁ କଂଗ୍ରେସ ଦଳ ପକ୍ଷରୁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଲିପିକା ପେଶାରେ ଜଣେ ଡାକ୍ତର ହୋଇଥିବାରୁ ସ୍ଥାନୀୟ ଅଞ୍ଚଳରେ ଲୋକମାନେ ଯେମିତି କୌଣସି ପ୍ରକାର ସ୍ୱାସ୍ଥ୍ୟ ସୁବିଧା ପାଇବାରୁ ବଞ୍ଚିତ ନହେବେ ତାହା ତାଙ୍କର ଲକ୍ଷ୍ୟ ବୋଲି କହିଛନ୍ତି ।