ଲୋକସଭା ଆସନରେ ମିଳିଲା ଲଢ଼େଇର ଚିତ୍ର ! ବ୍ରହ୍ମପୁର ଓ ନବରଙ୍ଗପୁର ଆସନରେ ପ୍ରାର୍ଥୀ ତୟାର, କଳାହାଣ୍ଡିରେ ଛିଡିନି ବିଜେପି ଅଙ୍କ ।

343

କନକ ବ୍ୟୁରୋ : ଏପ୍ରିଲ୍ ୧୧ରେ ହେବ ଓଡ଼ିଶାର ପ୍ରଥମ ପର୍ଯ୍ୟାୟ ଫାଇଟ୍ । ୪ ଲୋକସଭାରେ ତିନି ପ୍ରମୁଖ ଦଳ ମଧ୍ୟରେ ହେବ ଟକ୍କର । ବ୍ରହ୍ମପୁର ଓ ନବରଙ୍ଗପୁର ଲୋକସଭା ପାଇଁ ତିନି ଦଳର ପ୍ରାର୍ଥୀ ସାମନାକୁ ଆସିଛନ୍ତି । କଳାହାଣ୍ଡି ପାଇଁ ବିଜେଡି ଓ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ବିଜେପିର ଦ୍ୱନ୍ଦ୍ୱ ଦୂର ହୋଇନାହିଁ । ସେପଟେ କୋରାପୁଟ ଆସନରେ କେବଳ ବିଜେଡି ପ୍ରାର୍ଥୀ ଘୋଷଣା କରିଛି । କଂଗ୍ରେସ ଓ ବିଜେପିର ଅଙ୍କ କଷା ଶେଷ ହୋଇନାହିଁ ।

କାହା ସହ କାହାର ହେବ ଟକ୍କର ? ପ୍ରଥମ ପର୍ଯ୍ୟାୟରେ କେଉଁଠୁ ଲଢ଼ିବେ କିଏ ? ଗତକାଲି ଓଡ଼ିଶାର ୧୦ ଲୋକସଭା ଓ ୯୯ ବିଧାନସଭା ପ୍ରାର୍ଥୀ ତାଲିକା ବିଜେପି ଘୋଷଣା ପରେ ଧିରେ ଧିରେ ସ୍ପଷ୍ଟ ହେଉଛି ଲଢ଼େଇର ରୂପରେଖ । ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା ୪ ଲୋକସଭା ମଧ୍ୟରୁ ୨ଟି ଲୋକସଭା ପାଇଁ ତିନି ପ୍ରମୁଖ ଦଳର ପ୍ରାର୍ଥୀ ଚୂଡାନ୍ତ ହୋଇଯାଇଛି ।

ବ୍ରହ୍ମପୁର ଲୋକସଭା ପାଇଁ ବିଜେଡି ପ୍ରାର୍ଥୀ – ଚନ୍ଦ୍ରଶେଖର ସାହୁ । ଗତ ନିର୍ବାଚନରେ ବ୍ରହ୍ମପୁର ଆସନରେ କଂଗ୍ରେସ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ି ହାରିଥିଲେ ଚନ୍ଦ୍ରଶେଖର । ତେବେ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗ ଦେବା ପରେ ତାଙ୍କୁ ମିଳିଛି ବିଜେଡି ଟିକେଟ୍ ।

ବିଜେପି ପ୍ରାର୍ଥୀ – ଭୃଗୁ ବକ୍ସିପାତ୍ର । ଗତ ନିର୍ବାଚନରେ ଜୟପୁର ବିଧାନସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରି ତୃତୀୟ ସ୍ଥାନରେ ରହିଥିଲେ । ହେଲେ ଏଥର ବ୍ରହ୍ମପୁର ଲୋକସଭା ପାଇଁ ତାଙ୍କୁ ପ୍ରାର୍ଥୀ କରିଛି ବିଜେପି ।

କଂଗ୍ରେସ ପ୍ରାର୍ଥୀ – ଭି ଚନ୍ଦ୍ରଶେଖର ନାଇଡୁ । ରାଜ୍ୟ ରାଜନୀତିରେ ବିଶେଷ ପରିଚିତି ନଥିଲେ ବି ବ୍ରହ୍ମପୁର ଭଳି ଗୁରୁତ୍ୱପୂର୍ଣ୍ଣ ଆସନରେ ତାଙ୍କ ଉପରେ ଭରସା କରିଛି କଂଗ୍ରେସ ।

ସେହିପରି ନବରଙ୍ଗପୁର ଆସନରେ ତିନି ପ୍ରମୁଖ ଦଳର ପ୍ରାର୍ଥୀ ସାମନାକୁ ଆସିଛନ୍ତି ।

ବିଜେଡି ପ୍ରାର୍ଥୀ – ରମେଶ ମାଝି । ବିଧାୟକ ଓ ମନ୍ତ୍ରୀ ରହିବା ପରେ ଏବେ ବିଜେଡି ତାଙ୍କୁ ଦିଲ୍ଲୀ ଦରବାରକୁ ଯିବା ପାଇଁ ଦେଇଛି ଟିକେଟ୍ ।

ବିଜେପି ପ୍ରାର୍ଥୀ – ବଳଭଦ୍ର ମାଝି । ଗତ ନିର୍ବାଚନରେ ବିଜେଡି ପ୍ରାର୍ଥୀ ଭାବେ ଲଢ଼ି ନବରଙ୍ଗପୁରରୁ ସାଂସଦ ବନିଥିଲେ ବଳଭଦ୍ର । ତେବେ ଦଳୀୟ ଟିକେଟ୍ ନମିଳିବାରୁ ବିଜେଡି ଛାଡି ବିଜେପି ଶିବିରରେ ଯୋଗ ଦେଇଥିଲେ । ପୁରସ୍କାର ସ୍ୱରୂପ ତାଙ୍କୁ ମିଳିଛି ବିଜେପି ଟିକେଟ୍ ।

କଂଗ୍ରେସ ପ୍ରାର୍ଥୀ – ପ୍ରଦୀପ ମାଝି । ନବରଙ୍ଗପୁର ଲୋକସଭାରେ ଗତ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରି କଡ଼ା ଟକ୍କର ଦେଇଥିଲେ । ଏଥର ପୁଣିଥରେ ମଇଦାନକୁ ଓହ୍ଲାଇଛନ୍ତି ପ୍ରଦୀପ ।

ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା କୋରାପୁଟ ଲୋକସଭା ପାଇଁ ସାଂସଦ ଝିନ୍ନ ହିକକାଙ୍କ ବଦଳରେ ତାଙ୍କ ପତ୍ନୀ କୌଶଲ୍ୟା ହିିକକାଙ୍କୁ ବିଜେଡି ପ୍ରାର୍ଥୀ କରିଥିବା ବେଳେ ବିଜେପି ଓ କଂଗ୍ରେସ ସେମାନଙ୍କ କାର୍ଡ ଖୋଲିନାହାନ୍ତି । ସେହିପରି କଳାହାଣ୍ଡି ଆସନରେ ପୁଷ୍ପେନ୍ଦ୍ର ସିଂହଦେଓଙ୍କୁ ପ୍ରାର୍ଥୀ କରିଛି ବିଜେଡି । ସେପଟେ ଅଭିଜ୍ଞ ନେତା ଭକ୍ତ ଚରଣ ଦାସଙ୍କୁ ପୁଣିଥରେ ମଇଦାନକୁ ଓହ୍ଲାଇଛି କଂଗ୍ରେସ । ତେବେ କଳାହାଣ୍ଡିକୁ ନେଇ ବିଜେପିର ଅଙ୍କକଷା ଶେଷ ହୋଇନାହିଁ ।