କୋହଳ ହେଲା କଟକଣା : ପ୍ରାର୍ଥୀଙ୍କ ସହ ୨୦ ଜଣ ଘରକୁ ଘର ବୁଲି କରିପାରିବେ ପ୍ରଚାର । ୩୦୦ ଲୋକଙ୍କୁ ନେଇ ରାଜନୈତିକ ସଭା

135

କନକ ବ୍ୟୁରୋ: କୋହଳ ହେଲା ପଞ୍ଚାୟତ ନିର୍ବାଚନ ପ୍ରଚାର କଟକଣା । ଏଣିକି ୨୦ଜଣ ଘରକୁ ଘର ବୁଲି କରିପାରିବେ ନିର୍ବାଚନୀ ପ୍ରଚାର । ପୂର୍ବରୁ ୫ ଜଣଙ୍କ ପାଇଁ ଅନୁମତି ଥିବା ବେଳେ ଏବେ ୨୦ ଜଣଙ୍କ ପାଇଁ ଅନୁମତି ମିଳିଛି । ଏହାସହ ରାଜନୈତିକ ସଭା ପାଇଁ ଅନୁମତି ଦେଇଛନ୍ତି ନିର୍ବାଚନ କମିଶନ । ୩ଶହ ଲୋକଙ୍କୁ ନେଇ ରାଜନୈତିକ ସଭା କରିହେବ । ସାମାଜିକ ଦୂରତା ଓ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ତେବେ ଏହି ନୂଆ ନିୟମ ସୋମବାରଠାରୁ ଲାଗୁ ହେବ ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ରାଜ୍ୟ ନିର୍ବାଚନ କମିସନର ଆଦିତ୍ୟ ପ୍ରସାଦ ପାଢୀ ।

କ’ଣ ହେଲା କୋହଳ, କେଉଁଠି ରହିବ କଟକଣା

  • ଏଣିକି ପ୍ରାର୍ଥୀଙ୍କ ସହ ୨୦ ଜଣ ଘରକୁ ଘର ବୁଲି କରିପାରିବେ ପ୍ରଚାର
  • ପୂର୍ବରୁ ୫ ଜଣଙ୍କ ପାଇଁ ଅନୁମତି ଥିଲା
  • ରାଜନୈତିକ ସଭା ପାଇଁ ଅନୁମତି ଦେଇଛନ୍ତି ରାଜ୍ୟ ନିର୍ବାଚନ କମିସନ
  • କରୋନା କଟକଣା ଭିତରେ ୩୦୦ ଲୋକଙ୍କୁ ନେଇ ରାଜନୈତିକ ସଭା କରିହେବ
  • ସାମାଜିକ ଦୂରତା ଓ ମାସ୍କ ପିନ୍ଧିବା ବାଧ୍ୟତାମୂଳକ
  • ପୂର୍ବପରି ରାଲି, ବାଇକ୍ ରାଲି, ପଦଯାତ୍ରା, ବିଜୟ ଶୋଭାଯାତ୍ରା ଉପରେ କଟକଣା ରହିବ

ରାଜ୍ୟ ନିର୍ବାଚନ କମିଶନ କହିଛନ୍ତି ୮୦ରୁ ୯୦ ପ୍ରତିଶତ ପୁଲିଂ କର୍ମଚାରୀଙ୍କୁ ପ୍ରିକସନ୍ ଡୋଜ୍ ଦିଆଗଲାଣି । ଆଉ ୨ ଦିନ ଭିତରେ ଅବଶିଷ୍ଟ ଡୋଜ୍ ଦିଆଯିବ । ପୋଲିଂ କର୍ମଚାରୀଙ୍କ ଟ୍ରେନିଂ ସାରିବା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ନିର୍ବାଚନ କମିଶନ କହିଛନ୍ତି, ପୌର ନିର୍ବାଚନ ପାଇଁ ୧୦ ତାରିଖରେ ଡ୍ରାଫ୍ଟ ଲିଷ୍ଟ ପ୍ରତ୍ୟେକ ରାଜନୈତିକ ଦଳଙ୍କୁ ଦିଆଯିବ ।

ମତଦାନର ୪୮ ଘଣ୍ଟା ପୂର୍ବରୁ ମଦ ବିକ୍ରି ନିଷେଧ

ସ୍ୱଚ୍ଛ ଓ ନିରପେକ୍ଷ ନିର୍ବାଚନ ପାଇଁ ମତଦାନ ଦିନର ୪୮ ଘଣ୍ଟା ପୂର୍ବରୁ ଡ୍ରାଏ ଡେ’ ଘୋଷଣା କରିଛି ଅବକାରୀ ବିଭାଗ । ନିର୍ବାଚନମଣ୍ଡଳୀ ଅନୁଯାୟୀ ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ ହେବ । ଭୋଟ ଗଣତି ଦିନ ମଧ୍ୟ ମଦ ବିକ୍ରିକୁ ସଂପୂର୍ଣ୍ଣ ନିଷେଧ କରାଯାଇଛି ।

  • ମଦ ଦୋକାନ, ହୋଟେଲ, ରେଷ୍ଟ୍ରୁରାଣ୍ଟ, କ୍ଲବ ଏବଂ ଅନ୍ୟ କୌଣସି ସଂସ୍ଥା ମଦ ବିକ୍ରି କରିପାରିବେ ନାହିଁ
  • ମଦ ବିତରଣ ଉପରେ ବି ନିଷେଧାଦେଶ
  • ୧୬, ୧୮, ୨୦, ୨୨, ୨୪ ତାରିଖରେ ମତଦାନ ଥିବାରୁ ୪୮ ଘଣ୍ଟା ପୂର୍ବରୁ ମଦ ବିକ୍ରି ଉପରେ କଟକଣା
  • ୨୬ରୁ ୨୮ ତାରିଖ ପର୍ଯ୍ୟନ୍ତ ଭୋଟ ଗଣତି ଥିବାରୁ ମଦ ବିକ୍ରି ନିଷେଧ