କନକ ବ୍ୟୁରୋ : ଗୁଜୁରାଟ ପଞ୍ଚାୟତ ନିର୍ବାଚନର ଫଳାଫଳ ସାମ୍ନାକୁ ଆସୁଛି । ଅଧିକାଂଶ ପଞ୍ଚାୟତର ଫଳାଫଳ ସାମ୍ନାକୁ ଆସିଥିବା ବେଳେ ଆଉ କିଛି ପଞ୍ଚାୟତ ଆସନର ଭୋଟ ଗଣତି ଜାରି ରହିଛି । ଚଳିତଥର ୮୬୮୬ଟି ପଞ୍ଚାୟତରେ ନିର୍ବାଚନ ହୋଇଛି । ବାଲାଟ ପେପରରେ ଭୋଟିଂ ହୋଇଥିବା ବେଳେ ମୋଟ୍ ୭୭ ପ୍ରତିଶତ ଭୋଟିଂ ହୋଇଛି । ତେବେ ଚଳିତ ନିର୍ବାଚନ ଫଳାଫଳ ଘୋଷଣା ସହ ଅନେକ ରୋଚକ ଘଟଣା ସାମ୍ନାକୁ ଆସିଛି । ସେହିଭଳି ଏକ ଘଟଣା ଗୁଜୁରାଟର ଭାପି ଜିଲ୍ଲାରୁ ସାମ୍ନାକୁ ଆସିଛି । ଯେଉଁଠୁ ନିର୍ବାଚନ ଲଢିଥିବା ସନ୍ତୋଷଭାଇଙ୍କ ପରାଜୟକୁ ନେଇ ଜୋରଦାର ଚର୍ଚ୍ଚା ହେଉଛି ।
ସୂଚନା ଅନୁଯାୟୀ, ସନ୍ତୋଷ ଚଳିତ ପଞ୍ଚାୟତ ନିର୍ବାଚନରେ ସରପଞ୍ଚ ଭାବେ ନାମାଙ୍କନପତ୍ର ଦାଖଲ କରିଥିଲେ । ଛରୱାଲା ଗ୍ରାମ ପଞ୍ଚାୟତରୁ ସେ ସରପଞ୍ଚ ଭାବେ ପ୍ରାର୍ଥୀ ହୋଇଥିଲେ । ଆଶା ଥିଲା ଲୋକଙ୍କ ଭୋଟ ପାଇବେ ଏବଂ ସରପଞ୍ଚ ହେବେ । କିନ୍ତୁ ଯେତେବେଳେ ମତଗଣନା ହେଲା ସେତେବେଳେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । କାରଣ ଏହି ନିର୍ବାଚନରେ ମାତ୍ର ଗୋଟିଏ ଭୋଟ ପାଇଥିଲେ ସନ୍ତୋଷ । ଆଉ ତାହା ବି ନିଜର ଭୋଟ । ସନ୍ତୋଷଙ୍କ ପରିବାର ସଦସ୍ୟଙ୍କ ସଂଖ୍ୟା ୧୨ ଜଣ ଥିଲେ ମଧ୍ୟ କେହି ଜଣେ ମଧ୍ୟ ସନ୍ତୋଷଙ୍କୁ ଭୋଟ ଦେଇନଥିଲେ । ଆଉ ଯେତେବେଳେ ଫଳାଫଳ ପ୍ରକାଶ ପାଇଲା ସେତେବେଳେ ଅତି ଭାବୁକ ହୋଇଯାଇଥିଲେ ସନ୍ତୋଷ । ମତଗଣନା କେନ୍ଦ୍ରରେ ହିଁ ଭୋ ଭୋ ହୋଇ କାନ୍ଦିବାକୁ ଲାଗିଲେ । ସନ୍ତୋଷ କହିଲେ, କେହି ନଦେଲେ ବି ପରିବାର ଲୋକ ଭୋଟ ଦେବେ ବୋଲି ଆଶା ଥିଲା । କିନ୍ତୁ ପରିବାର ପକ୍ଷରୁ ମଧ୍ୟ ଖଣ୍ଡିଏ ଭୋଟ ମିଳିଲାନି ।
ଚଳିତଥର ଗୁଜୁରାଟରେ ପଞ୍ଚାୟତ ନିର୍ବାଚନରେ ସରପଞ୍ଚ ପଦ ପାଇଁ ୨୭ ହଜାର ପ୍ରାର୍ଥୀ ମୈଦାନକୁ ଓହ୍ଲାଇଛନ୍ତି । ସେହିଭଳି ୧.୧୯ ଲକ୍ଷ ସଭ୍ୟ ପଦ ପାଇଁ ନିର୍ବାଚନ ଲଢୁଛନ୍ତି । ପଞ୍ଚାୟତ ନିର୍ବାଚନରେ ସରପଞ୍ଚ, ସମିତି ସଭ୍ୟ କୌଣସି ଦଳୀୟ ଚିହ୍ନରେ ନିର୍ବାଚନ ଲଢିନଥାନ୍ତି ।