ବିହାର ପଞ୍ଚାୟତ ନିର୍ବାଚନରେ ଅଜବ ଚିତ୍ର, ଭୋଟରଙ୍କ ବିଶ୍ୱାସ ଜିତିବାକୁ ଏମିତି କଲେ ପ୍ରାର୍ଥୀ

65

କନକ ବ୍ୟୁରୋ : ଭୋଟ ଆସିଲେ ନେତାମାନଙ୍କର ରଙ୍ଗ ବଦଳେ । ଭୋଟର ମାନଙ୍କୁ କେଉଁ ପ୍ରାର୍ଥୀ ମଉସା, ମାଉସୀ ସହ ଦୂର ସଂପର୍କୀୟ କହି ସଂପର୍କ ଯୋଡିଥାନ୍ତି ତ କେଉଁ ପ୍ରାର୍ଥୀ ଟଙ୍କା ଓ ବିଭିନ୍ନ ଲୋଭ ଦେଖାଇ ଭୋଟରଙ୍କ ମନ ଜିଣିବାକୁ ଚେଷ୍ଟା କରିଥାନ୍ତି । ହେଲେ ବିହାର ପଞ୍ଚାୟତ ନିର୍ବାଚନରେ ଜଣେ ଆଶାୟୀ ସରପଞ୍ଚ ପ୍ରାର୍ଥୀ ଭୋଟଙ୍କ ବିଶ୍ୱାସ ଜିତିବାକୁ ଅବିଶ୍ୱସନୀୟ କାର୍ଯ୍ୟ କରିଛନ୍ତି । ଯାହା ଜାଣିଲେ ଆପଣ ପୁଣିଥରେ ଭାବିବାକୁ ବାଧ୍ୟ ହେବେ ଯେ ନେତାମାନେ କେତେ ପ୍ରକାର ଅଭିନୟ କରିପାରନ୍ତି ।

ବିହାରରେ ଚାଲିଥିବା ପଞ୍ଚାୟତ ନିର୍ବାଚନକୁ ନେଇ ଆଶାୟୀ ପ୍ରାର୍ଥୀମାନେ ଭୋଟରଙ୍କ ବିଶ୍ୱାସ ଜିତିବାକୁ ଯଥା ସମ୍ଭବ ଚେଷ୍ଟା ଚଳାଇଛନ୍ତି । ଏହି ସମୟରେ ବିହାରର ଗୋପାଳଗଞ୍ଜ ଜିଲ୍ଲାର ସେର ପଞ୍ଚାୟତରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଏଠାରେ ପ୍ରଧାନ ବା ସରପଞ୍ଚ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଥିବା ଜଣେ ବ୍ୟକ୍ତି ନିଆଁରେ ଚାଲି ଭୋଟରଙ୍କ ବିଶ୍ୱାସ ଜିତିବାକୁ ଚେଷ୍ଟା କରିବାର ଦୃଶ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

କହିରଖୁ କି ଗୋପାଳଗଞ୍ଜ ଜିଲ୍ଲାର ସେର ଗ୍ରାମପଞ୍ଚାୟତରେ ନବମ ଚରଣ କ୍ରମରେ ନଭେମ୍ବର ୨୯ ତାରିଖରେ ଭୋଟ ଗ୍ରହଣ ହେବ । ଏହି କ୍ରମରେ ବିଭିନ୍ନ ପଦପାଇଁ ନିର୍ବାଚନ ଲଢୁଥିବା ପ୍ରାର୍ଥୀମାନେ ଭିନ୍ନ ଭିନ୍ନ ତରିକା ଆପଣାଇ ଭୋଟରଙ୍କୁ ଆକୃଷ୍ଟ କରିବାକୁ ଚେଷ୍ଟା କରୁଛନ୍ତି ।

ଏହି କ୍ରମରେ ସେର ପଞ୍ଚାୟତରେ ପ୍ରଧାନ ପଦ ପାଇଁ ପ୍ରାର୍ଥୀ ହୋଇଥିବା ମୁନ୍ନା ମହତୋ ନିଜକୁ ଦେବୀ ମା’ଙ୍କ ଭକ୍ତ କହି ନିଆଁରେ ଚାଲି ଅଗ୍ନିପରୀକ୍ଷା ଦେଇଛନ୍ତି । ଏହି ସମୟରେ ସେ କହିଛନ୍ତି କି ଜିତିବା ପରେ ସେ ସବୁଠାରୁ ଭଲ କାମ କରିବେ । ସେ କହିଛନ୍ତି କି ଅନ୍ୟ ପ୍ରାର୍ଥୀଙ୍କ ଭଳି ନିର୍ବାଚନରେ ଦେଇଥିବା ପ୍ରତିଶ୍ରୂତିକୁ ନଭୂଲି ଲୋକଙ୍କ ପାଇଁ ଯଥା ସମ୍ଭବ କାମ କରିବେ ।