ପାଖଉଛି ଛାତ୍ର ସଂସଦ ନିର୍ବାଚନ ତାରିଖ ! ଚାଲିଛି ପ୍ରାର୍ଥୀ ଖୋଜା ! ନୂଆମୁହଁକୁ ଅଗ୍ରାଧିକାର ! ବିଜେବି କ୍ୟାମ୍ପସ ମଇଦାନରେ ବିଜେପି

42

କନକ ବ୍ୟୁରୋ: ଛାତ୍ର ସଂସଦ ନିର୍ବାଚନ ତାରିଖ ଘୋଷଣା ହେବା ପରେ ଏବେ କଲେଜ କ୍ୟାମ୍ପସରେ ବସୁଛି ଛାତ୍ରନେତାଙ୍କ ବୈଠକ । ଚାଲିଛି ପ୍ରାର୍ଥୀ ଖୋଜା । କାହାକୁ ପ୍ରାର୍ଥୀ କଲେ ବିଜୟ ଅନିବାର୍ଯ୍ୟ ହେବ ସେ ନେଇଛି ହେଉଛି ଅଙ୍କକଷା ।

ଉଷ୍ମ ହେଉଛି କ୍ୟାମ୍ପସ ପଲିଟିକ୍ସ । ଛାତ୍ର ସଂସଦ ନିର୍ବାଚନ ତାରିଖ ପାଖେଇ ଆସୁଥିବାରୁ ଛାତ୍ରନେତାଙ୍କ ଘନଘନ ବୈଠକ ବସୁଛି । ପ୍ରାର୍ଥୀ ଖୋଜା ଚାଲୁଛି । କାହାକୁ ପ୍ରାର୍ଥୀ କଲେ ସଂଗଠନ ବିଜୟ ହାସଲ କରିବ ସେନେଇ ଚାଲୁଛି ମାନସମଂଥନ । ଆବଶ୍ୟକସ୍ଥଳରେ ପୂର୍ବତନ ଛାତ୍ରନେତାମାନଙ୍କ ପରାମର୍ଶ ମଧ୍ୟ ନିଆଯାଉଛି । ହେଲେ ଏଯାଏଁ ତିନି ଛାମୁଆ ଛାତ୍ର ସଂଗଠନ ପ୍ରାର୍ଥୀ ଚୟନ କରିପାରିନାହାଁନ୍ତି ।

ଛାତ୍ର ସଂସଦ ନିର୍ବାଚନରେ ଜିତିବା ପାଇଁ ସବୁଠୁ ବଡ ଭୁମିକା ଗ୍ରହଣ କରେ ପ୍ରାର୍ଥୀଚୟନ । କାରଣ ପ୍ରାର୍ଥୀଙ୍କ ମୁହଁ ଦେଖି ଭୋଟ ଦିଅନ୍ତି ଛାତ୍ରଛାତ୍ରୀ । ପ୍ରାର୍ଥୀଙ୍କ ଗୋଟିଏ ଭୋଟ ଭିକ୍ଷା ବି ଫିକା ପକାଇଦିଏ ସବୁ ପଲିଟିକାଲ ଏଜେଣ୍ଡାକୁ । ଯାହାର ଲୋକପ୍ରିୟତା ଯେତେ ବେଶୀ ସେହି ପ୍ରାର୍ଥୀଙ୍କ ବିଜୟ ଏକରକମ ସୁନିଶ୍ଚିତ । ତେଣୁ ଏହି ଦିଗରେ ଜଗିରଖି ନିଷ୍ପତି ନିଅନ୍ତି ଛାତ୍ରନେତାମାନେ ।

ଏହାରି ଭିତରେ ଛାତ୍ରସଂସଦ ନିର୍ବାଚନ ଘୋଷଣା ତାରିଖକୁ ୧୦ ଦିନ ବିତି ଗଲାଣି । ଅଗଷ୍ଟ ଶେଷ ହେବାକୁ ବସିଲାଣି । ଚାହୁଁଚାହୁଁ ସମୟ ସରିଯିବ ଆଉ ନିର୍ବାଚନ ତାରିଖ ପାଖରେ ପହଂଚିଯିବ । ତଥାପି ବିଭିନ୍ନ କଲେଜରେ ଆଜି ପର୍ଯ୍ୟନ୍ତ ପ୍ରାର୍ଥୀ ଚୟନ ଗଣିତ ଛିଣ୍ଡୁନି । କାହାକୁ ପ୍ରାର୍ଥୀ କରାଯିବ ଜାଣିପାରୁ ନାହାଁନ୍ତି ନେତାଏ । ଅବଶ୍ୟ ଛାତ୍ର ବିଜେଡି କେତେକ କ୍ୟାମ୍ପସ ପାଇଁ ପ୍ରାର୍ଥୀ ସ୍ଥିର କରିଛି କିନ୍ତୁ ସେମାନେ ବି ସମସ୍ତଙ୍କର ମନୋନିତ୍ୟ ହୋଇ ନାହାଁନ୍ତି । ଯଦିଓ ସଙ୍ଗଠନର ବ୍ୟାନରରେ ଫଟୋ ଲାଗିଛି ହେଲେ ସେହି ପ୍ରାର୍ଥୀମାନଙ୍କୁ ଗ୍ରହଣ କରିପାରୁନାହାଁନ୍ତିି ସମସ୍ତେ ।

ଛାତ୍ର କଂଗ୍ରେସ ଓ ଏବିଭିପି ଏଯାଏଁ ପ୍ରାର୍ଥୀ କାହାକୁ କରିବେ ସ୍ଥିର କରିପାରିନାହାଁନ୍ତି । ଛାତ୍ର ସଂଗଠନ ଭିତରର ଫାଟ ସ୍ପଷ୍ଟ ବାରି ହେଉଛି ରମାଦେବୀ ମହିଳା ମହା ବିଦ୍ୟାଳୟରେ । ଗତଥର ଛାତ୍ର ବିଜେଡିକୁ ଚକମା ଦେଖାଇଥିବା ଷ୍ଟୁଡେଣ୍ଟସ ଭଏସର କିଛି ଜଣ ପୁଣି ଫେରି ଆସିଛନ୍ତି ପୁରୁଣା ଘରକୁ । ମାନେ ଛାତ୍ର ବିଜେଡି ବ୍ୟାନରକୁ ଘରବାହୁଡା କରିଛନ୍ତି ଏମାନେ । ଗତଥର ସଭାପତି ଓ ସାଧାରଣ ସଂପାଦକ ହୋଇଥିବା ଛାତ୍ରୀ ଏଥର ଛାତ୍ର ରାଜନୀତିରୁ ନିଜକୁ ଦୂରେଇ ରଖିଛନ୍ତି । କିଛି ଜଣ ଏକାକୀ ଲଢ଼ିବାକୁ ଚାହୁଁଥିବା ବେଳେ ଆଉ କିଛି ଷ୍ଟୁଡେଣ୍ଟସ ଭଏସ ନେତୃତ୍ୱରେ ଲଢ଼ିବାକୁ ଚାହୁଁଛନ୍ତିି । ତେଣୁ ଏହି ସଙ୍ଗଠନ ଭିତରେ ଏବେ ଟଣାଓଟରା ସ୍ଥିତି ଲାଗିରହିଛି ।

ସେପଟେ ଛାତ୍ର କଂଗ୍ରେସ ଗତଥର ଏହାକୁ ବାହାରୁ ସମର୍ଥନ ଦେଇଥିବା ବେଳେ ଚଳିତ ଥର ସମର୍ଥନ ଦେବା ନା ନିଜେ ପ୍ରାର୍ଥୀ ଦେବା ତାହା ସ୍ଥିର ହୋଇନି । ପୁଣି ବାଣୀବିହାର କ୍ୟାମ୍ପସରେ ସଂଗଠନର ଗୋଟିଏ ଗୋଷ୍ଠୀର ଦବଦବା ରହିଥିବା ବେଳେ ରାଜ୍ୟସ୍ତରୀୟ ଛାତ୍ରନେତାମାନେ ଏଠାକୁ ପଶିପାରୁ ନାହାଁନ୍ତି । ଯାହାକୁ ନେଇ ଗୋଟି ଚାଳନା କରାଯାଉଥିବା କୁହାଯାଉଛି ।

ଛାତ୍ର ବିଜେଡିର ଅବସ୍ଥା ବି ସଂଗୀନ । ଉକ୍ରଳ ବିଶ୍ୱ ବିଦ୍ୟାଳୟରେ ଗତଥର ଛାତ୍ର ବିଜେଡି ପାଇଁ ପ୍ରଚାର କରୁଥିବା କିଛି ଆଗଧାଡିର ଛାତ୍ରନେତା ଏବିଭିପି ଆଡକୁ ଢ଼ଳୁଥିବା କୁହାଯାଉଛି । ଉଭୟ ଛାତ୍ର କଂଗ୍ରେସ ଓ ଛାତ୍ର ବିଜେଡି ରାଜ୍ୟ ନେତୃତ୍ୱଙ୍କ ପାଖରେ ସମାଧାନର ରାସ୍ତା ବାହାର କରିବେ ବୋଲି ଆକଳନ କରାଯାଉଛି ।

ତେବେ ଏଥର ବିଜେବି କଲେଜରେ ଦେଖିବାକୁ ପଡିବ ଭିନ୍ନ ଚିତ୍ର । ଏଥର ବିଜେବିରେ କ୍ୟାମ୍ପସ ପଲିଟିକ୍ସକୁ ଓହ୍ଲାଇଛି ବିଜେପି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଦର୍ଶକୁ ନେଇ ପୂର୍ବତନ ଛାତ୍ର ପ୍ରତିନିଧୀମାନେ ବିଜେପି ବ୍ୟାନରରେ ନିର୍ବାଚନ ଜିତିବେ ବୋଲି କହିଛନ୍ତି । ଏକପ୍ରକାର ଛାତ୍ର ବିଜେଡି ସହ ମୁହାଁମୁହିଁ ହେବ ବିଜେପି । ପୂର୍ବରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ବିଜୟ ହାସଲ କରିଥିବା ଛାତ୍ରନେତାମାନେ ଏହାରି ଭିତରେ ବିଜେପିରେ ଯୋଡି ହୋଇଥିବାରୁ ଏଥର ବି ବିଜୟକୁ କବଜା କରିବେ ବୋଲି ବିଜେବି କଲେଜର ପୂର୍ବତନ ଛାତ୍ର ସଂସଦ ସଭାପତି ଲଗ୍ନଜିତ ପାତ୍ର କହିଛନ୍ତିି ।

ତେବେ ନିର୍ବାଚନକୁ ଆହୁରି ମାସେ ରହିଛି । ତେଣୁ ସ୍ଥିତି କେତେବେଳେ ବି ଓଲଟି ଯାଇପାରେ । ବିଜୟର ସ୍ୱାଦ ଚାଖିବାକୁ ହେଲେ ପ୍ରାର୍ଥୀ ଚୟନ ନେଇ ଛାମୁଆ ସଙ୍ଗଠନ ମାନେ ଉଚିତ ପଦକ୍ଷେପ ନେବେ ବୋଲି ଛାତନେତା ଆଶାବାଦୀ । ତେବେ କେଉଁ କ୍ୟାମ୍ପସରେ କିଏ ବାଜି ମାରିବ ତାହା ନିର୍ବାଚନ ଫଳାଫଳ ଘୋଷଣା ସମୟରେ ହିଁ ଜଣାପଡିବ ।