କନକ ବ୍ୟୁରୋ : ବିଜେପୁର ଉପନିର୍ବାଚନ ପାଇଁ ଏବେ ପୂରା ରାଜ୍ୟ ରାଜନୀତି ସରଗରମ । ନିର୍ବାଚନ ପାଇଁ ପ୍ରଚାର ଜୋରଦାର ଚାଲିଥିବା ବେଳେ ସାମ୍ନାକୁ ଆସିଛି ନିର୍ବାଚନ ଲଢୁଥିବା ତିନି ପ୍ରମୁଖ ଦଳର ପ୍ରାର୍ଥୀଙ୍କ ସମ୍ପତି ତାଲିକା । ବିଜେପୁର ଉପନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ସମୟରେ ପ୍ରାର୍ଥୀ ମାନେ ସତ୍ୟପାଠରେ ଦାଖଲ କରିଥିବା ତଥ୍ୟ ଅନୁଯାୟୀ ତିନି ପ୍ରମୁଖ ଦଳର ପ୍ରାର୍ଥୀଙ୍କ ସମ୍ପତି ତାଲିକା ନିର୍ବାଚନ କମିଶନଙ୍କ ୱେବସାଇଟରେ ପ୍ରକାଶ ପାଇଛି । ଏହି ତାଲିକା ପ୍ରକାଶ ପାଇବା ପରେ ବିଜେପୁର ମଇଦାନରେ ସବୁଠାରୁ ଧନୀ ପ୍ରାର୍ଥୀଙ୍କ ମୋଟ ସମ୍ପତିର ମୂଲ୍ୟ ମଧ୍ୟ ଜଣାପଡିଛି । ନଜର ପକାନ୍ତୁ କେଉଁ ପ୍ରାର୍ଥୀଙ୍କ ପାଖରେ କେତେ ଟଙ୍କାର ସମ୍ପତି ରହିଛି ।

Advertisment

bijepurସତ୍ୟପାଠରେ ପ୍ରାର୍ଥୀମାନେ ଦାଖଲ କରିଥିବା ତଥ୍ୟ ଅନୁସାରେ କଂଗ୍ରେସ ପ୍ରାର୍ଥୀ ପ୍ରଣୟ ସାହୁଙ୍କ ସ୍ଥାବର ସଂପତ୍ତିର ପରିମାଣ ୨,୪୫,୯୦୭ ଓ ତାଙ୍କ ପତ୍ନୀ କନକ ସାହୁଙ୍କ ନାମରେ ୨,୨୯,୧୬୯ ଟଙ୍କା ଥିବା ଦର୍ଶାଇଛନ୍ତି। ଏଥିରୁ ନିଜ ପାଖରେ ୫୦ ହଜାର ଟଙ୍କା ଓ ପତ୍ନୀଙ୍କ ପାଖରେ ୨୦ ହଜାର ଟଙ୍କା ନଗଦ ଏବଂ ଶ୍ରୀ ସାହୁଙ୍କ ପାଖରେ ୨୦ ଗ୍ରାମ ସୁନା ଓ ପତ୍ନୀଙ୍କ ପାଖରେ ୧୦୦ ଗ୍ରାମ ସୁନା ଥିବା ଦର୍ଶାଇଛନ୍ତି। ଏହାଛଡ଼ା ଉଭୟଙ୍କ ବ୍ୟାଙ୍କ ଖାତାରେ ଥିବା ବିଷଦ ଜମାଗୁଡ଼ିକ ମଧ୍ୟ ଏଥିରେ ଦିଆଯାଇଛି। ଶ୍ରୀ ସାହୁଙ୍କ ପାଖରେ ଗୋଟିଏ ଟ୍ରାକ୍ଟର ଯାହାର ବଜାର ମୂଲ୍ୟ ୧,୫୦,୦୦୦ ଟଙ୍କା ଥିବାର ସେ ଦର୍ଶାଇଛନ୍ତି। ଏହାଛଡ଼ା ଅସ୍ଥାବର ସଂପତ୍ତିରେ ଶ୍ରୀ ସାହୁଙ୍କ ନିଜ ନାମରେ ୩୧,୧୦,୦୦୦ ଟଙ୍କା ତାଙ୍କ ପତ୍ନୀଙ୍କ ନାମରେ ୧୨,୦୦,୦୦୦ ଟଙ୍କାର ବଜାର ମୂଲ୍ୟର ଜମି ଓ ଘର ରହିଛି। ଏହି ସଂପତ୍ତି ସହିତ ତାଙ୍କ ନିଜ ନାମରେ ୧,୯୮,୭୯୨ ଟଙ୍କା କୃଷି ଋଣ ଓ ପତ୍ନୀଙ୍କ ନାମରେ ମଧ୍ୟ ୨,୪୯,୫୦୨ ଟଙ୍କା କୃଷି ଋଣ ରହିଛି।

bijepurବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀ ଦାଖଲ କରିଥିବା ସତ୍ୟପାଠରେ ତାଙ୍କର ଅସ୍ଥାବର ସଂପତ୍ତି ତାଲିକାରେ ୬ ଲକ୍ଷ ୬୦ ହଜାର ଏବଂ ପତ୍ନୀଙ୍କ ପାଖରେ ୫୭,୭୬,୨୨୦ ଟଙ୍କା ଥିବା ଦର୍ଶାଇଛନ୍ତି। ଏଥିରୁ ତାଙ୍କ ପାଖରେ ୧ ଲକ୍ଷ ଟଙ୍କା ନଗଦ, ଷ୍ଟେଟବ୍ୟାଙ୍କ ଆକାଉଣ୍ଟରେ ୪୮,୪୭୩ ଟଙ୍କା, ୨୨୦ ଗ୍ରାମ ସୁନା ଏବଂ ୧ କେଜି ରୁପା ଥିବାବେଳେ ପତ୍ନୀଙ୍କ ନାମରେ ୪୦ ହଜାର ଟଙ୍କା ନଗଦ, ଜିପିଏଫ୍ ଆକାଉଣ୍ଟରେ ୨୫ ଲକ୍ଷ ୭୦୦୧ ଟଙ୍କା, ସାହାରା ଇଣ୍ଡିଆରେ ୧୦ ହଜାର ଟଙ୍କା, ଷ୍ଟେଟବ୍ୟାଙ୍କ ଖରିଆରରେ ୩,୧୫,୫୬୪ ଟଙ୍କା, ବରପାଲି ଷ୍ଟେଟବ୍ୟାଙ୍କରେ ୯୧,୮୦୮, ଆଇସିଆଇସିଆଇ ବରପାଲିରେ ୩୪,୯୨୭, ଏସବିଆଇ ବରପାଲିରେ ସ୍ଥାୟୀ ଜମା ୧୦ ଲକ୍ଷ ଟଙ୍କା ଓ ୬୪, ୧୫୭, ଏଲଆଇସିରେ ୧ ଲକ୍ଷ ୨୫ ହଜାର, ୬୫୦ ଗ୍ରାମ ସୁନା, ୫ଶହ ଗ୍ରାମ ରୁପା ଥିବା ଦର୍ଶାଇଛନ୍ତି। ଏହାଛଡ଼ା ସ୍ଥାବର ସଂପତ୍ତି ତାଲିକାରେ ଅଶୋକ ପାଣିଗ୍ରାହୀଙ୍କ ନିଜ ନାମରେ ୬୦ ଲକ୍ଷ ଟଙ୍କା ସଂପତ୍ତି ରହିଥିବା ବେଳେ ପତ୍ନୀଙ୍କ ନାମରେ ୧୨ ଲକ୍ଷ ଟଙ୍କାର ସଂପତ୍ତି ଥିବା ଦର୍ଶାଇଛନ୍ତି। ଷ୍ଟେଟବ୍ୟାଙ୍କ ବରପାଲି ଶାଖାରେ ତାଙ୍କର ୩,୪୧,୧୨୪ ଟଙ୍କା ଗୃହ ଋଣ ଥିବାର ଦର୍ଶାଇଛନ୍ତି।

bijepur ritaବିଜେଡିରୁ ପ୍ରାର୍ଥୀ ହୋଇଥିବା ରୀତା ସାହୁଙ୍କ ପାଖରେ ୪୬,୩୫,୬୬୯ ଟଙ୍କାର ସ୍ଥାବର ସଂପତ୍ତି ଥିବାର ସେ ନିଜର ସତ୍ୟପାଠରେ ଦର୍ଶାଇଛନ୍ତି। ଏଥିରୁ ସେ ସାଢ଼େ ୧୨ ଲକ୍ଷ ଟଙ୍କା ନଗଦ ରଖିଥିବା ବେଳେ ବ୍ୟାଙ୍କ ଆକାଉଣ୍ଟରେ ୧୦,୭୮,୬୬୯ ଓ ୪୦ହଜାର ଟଙ୍କା, ରିଲାଏନ୍ସ ଲାଇଫ୍ ଇନସ୍ୟୁରାନ୍ସ ପଲିସିରେ ଦେଢ଼ ଲକ୍ଷ, ୭.୫ ଲକ୍ଷ ଓ ୧.୬୭ ଲକ୍ଷ ଟଙ୍କା, ୪୦ ଭରି ସୁନା ଯାହାର ବଜାର ମୂଲ୍ୟ ୧୨ଲକ୍ଷ ଟଙ୍କା ବୋଲି ସେ ଦର୍ଶାଇଛନ୍ତି। ସେହିପରି ଅସ୍ଥାବର ସଂପତ୍ତି ତାଲିକାରେ ବଜାର ମୂଲ୍ୟରେ ତାଙ୍କ ପାଖରେ ୨୬.୫୦ ଲକ୍ଷ ଟଙ୍କାର ଜମି ଓ ଘର ଥିବା ସତ୍ୟପାଠରେ ଉଲ୍ଲେଖ ଅଛି। ଶ୍ରୀମତୀ ସାହୁଙ୍କ ନାମରେ କୌଣସି ଋଣ ନାହିଁ।