ଚର୍ଚ୍ଚାରେ ନେତାଙ୍କ ନାଚ । ଭୋଟରଙ୍କ ମନ ଜିଣିବାକୁ ପ୍ରାର୍ଥୀଙ୍କ ପ୍ରୟାସ ।

303

କନକ ବ୍ୟୁରୋ: ନାଁ ଘୋଷଣା ପରେ ପ୍ରାର୍ଥୀମାନେ ପ୍ରଚାର ମଇଦାନକୁ ଓହ୍ଲାଇଲେଣି । ଗାଁଠୁ ସହର ସବୁଠି ଜମିଲାଣି ନିର୍ବାଚନୀ ମାହୋଲ । ପ୍ରାର୍ଥୀମାନେ ଭିନ୍ନ ଭିନ୍ନ ଶୈଳୀରେ ପ୍ରଚାର କରି ଭୋଟରଙ୍କ ମନ ଜିଣିବାକୁ ପ୍ରୟାସ ଚଳାଇଛନ୍ତି ।

  • ଚର୍ଚ୍ଚାରେ ନେତାଙ୍କ ନାଚ
  • ମନ ଜିଣିବାକୁ ପ୍ରାର୍ଥୀଙ୍କ ପ୍ରୟାସ

ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରୁ ମଇଦାନକୁ ଓହ୍ଲାଇଥିବା, ବିଜେପି ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ ଏବଂ ବିଜେଡି ପ୍ରାର୍ଥୀ ମନ୍ମଥ ରାଉତରାୟ ପ୍ରଚାର ଜୋରଦାର କରିଛନ୍ତି । ସକାଳୁ ସକାଳୁ ଅପରାଜିତା ଷଡଙ୍ଗୀ ପାର୍କକୁ ଯାଇ ଲୋକଙ୍କୁ ଭେଟିବା ସହ ଲୋକଙ୍କ ସହ ଜୁମ୍ବା ଡ୍ୟାନ୍ସ କରି ପ୍ରଚାର କରିଛନ୍ତି । ଏଥସହ ଗତ ୫ ବର୍ଷରେ କଣ ସବୁ ବିକାଶମୂଳକ କାର୍ଯ୍ୟ କରିଛନ୍ତି, ତାର ରିପୋର୍ଟ କାର୍ଡ ବାଣ୍ଟିଛନ୍ତି ଅପରାଜିତା । ସେହିପରି ଫରେଷ୍ଟ ପାର୍କରେ ମନ୍ମଥ ଲୋକଙ୍କ ସହ ଜୁମ୍ବା ଡାନ୍ସ କରି ଭୁବନେଶ୍ୱରବାସୀଙ୍କ ମନ ଜିଣିବାକୁ ଉଦ୍ୟମ କରିିଛନ୍ତି ।

ଅନ୍ୟପଟେ ସମ୍ବଲପୁରର ବିଜେପି ବିଧାୟକ ପ୍ରାର୍ଥୀ ଜୟନାରାୟଣ ମିଶ୍ର ସାକ୍ଷୀପଡାରେ ଚାଲିଥିବା ଅଷ୍ଟପ୍ରହରୀ ନାମଯଜ୍ଞରେ ନାଚୁଥିବାରୁ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଭିଡିଓରେ ଦେଖାଯାଉଛି ଜୟନାରାୟଣ କୀର୍ତ୍ତନର ତାଳେ ତାଳେ ନୃତ୍ୟ କରୁଛନ୍ତି । ସେହିପରି ନିର୍ବାଚନ ପ୍ରଚାରବେଳେ ସ୍ଥାନୀୟ ମହିଳାଙ୍କ ସହ ମିଶି ନାଚିଛନ୍ତି ଝାରସୁଗୁଡା ବିଧାୟିକା ପ୍ରାର୍ଥୀ ଦୀପାଳି ଦାସ । ଲଇକେରାର ବ୍ଲକ ଜାମମାଲ ଗାଁରେ ନିର୍ବାଚନୀ ପ୍ରଚାରକୁ ଦୀପାଳି ଯାଇଥିବାବେଳେ ଆଦିବାସୀ କିସାନ ମହିଳା ତାଙ୍କୁ ନୃତ୍ୟ ଗୀତରେ ସ୍ୱାଗତ କରିଥିଲେ । ସେହି ସମୟରେ ଦୀପାଳି ସେମାନଙ୍କ ସହ ନାଚିଥିଲେ ।

ତେବେ ସତ୍ୟବାଦୀରେ ବିଭିନ୍ନ ସ୍ଥାନରେ କର୍ମୀ ସମ୍ମିଳନୀ କରିବା ପରେ, ଏବେ ପ୍ରଚାର ମଇଦାନକୁ ଓହ୍ଲାଇ ଶକ୍ତି ପ୍ରଦର୍ଶନ କରିଛନ୍ତି ବିଜେଡି ପ୍ରାର୍ଥୀ ସଞ୍ଜୟ ଦାସବର୍ମା । ପଟ୍ଟନାୟିକା ଛକରୁ ପଞ୍ଚସଖାଙ୍କ ପୀଠ, ଗୋପାଳଜୀଉ ମନ୍ଦିର, ବୀରଗୋବିନ୍ଦପୁର ଦକ୍ଷିଣକାଳୀଙ୍କ ମନ୍ଦିର ଓ ପରେ ସୁଆଣ୍ଡୋ ଯାଇ ଗୋପବନ୍ଧୁଙ୍କ ମାଟିରେ ପ୍ରଚାର କରିଛନ୍ତି ସଞ୍ଜୟ ।

ପ୍ରାର୍ଥୀମାନେ ପ୍ରଚାର କରିବା ସହ ଅନ୍ୟ ଦଳରୁ ତୃଣମୂଳସ୍ତରର ନେତା ଓ କର୍ମୀଙ୍କ ଆଣି ସଙ୍ଗଠନ ବଢ଼ାଉଥିବା ସାମନାକୁ ଆସିଛି । ଆଠଗଡରେ ମିଶ୍ରଣ ପର୍ବର ଆୟୋଜନ କରି ବିଜେପି ନେତାଙ୍କୁ ବିଜେଡିରେ ସାମିଲ କରିଛନ୍ତି ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ତା ସହ ପାଟଣାଗଡରେ ବିଜେଡି ଛାଡିଥିବା ନେତାଙ୍କୁ ବିଜେପିରେ ମିଶାଇଛନ୍ତି ବିଜେପି ବିଧାୟକ ପ୍ରାର୍ଥୀ କନକ ବର୍ଦ୍ଧନ ସିଂଦେଓ ।