ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହେବା ପାଇଁ ୧୦ ଲକ୍ଷ ଟଙ୍କାର ଡିଲ୍ । ରଙ୍ଗେଇଲୁଣ୍ଡାରୁ ଆସିଲା ସାଂଘାତିକ ଅଭିଯୋଗ ।

143

କନକ ବ୍ୟୁରୋ : ବଲାଙ୍ଗିରରେ ସରପଞ୍ଚ ନିଲାମୀ ଖବର ପରେ ଏବେ ବ୍ରହ୍ମପୁରରୁ ଆସିଛି ସମାନ ଅଭିଯୋଗ । ସମିତି ସଭ୍ୟ ପ୍ରାର୍ଥୀ ଜଣକ ଗାଁ ବାଲାଙ୍କୁ ୧୦ ଲକ୍ଷ ଟଙ୍କାର ଚେକ୍ ଦେଇ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ସର୍ତ ଥିଲା ତାଙ୍କ ବିରୋଧରେ କେହି ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବେ ନାହିଁ । ଆଉ ଲୋକଙ୍କ ଭରସା ଜିତିବା ପାଇଁ ସମିତି ସଭ୍ୟ ପ୍ରାର୍ଥୀ ୧୦ଲକ୍ଷ ଟଙ୍କାର ଚେକ୍ ଗାଁ ଲୋକଙ୍କୁ ଦେଇଥିବା ପ୍ରମାଣ ମିଳିଛି ।

ଦଶ ଲକ୍ଷରେ ଡିଲ୍ ହେଲା ଦୁଇ ପଦବୀ । ନିଦ୍ୱର୍ନ୍ଦରେ ପ୍ରାର୍ଥୀ ହେଲେ ନିର୍ବାଚିତ । ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଲକ ଚାନ୍ଦପୁର ଗାଁ କମିଟି ସଭାପତି ପ୍ରଶାନ୍ତ କୁମାର ବେହେରା ଓ ସମିତିସଭ୍ୟା ପ୍ରାର୍ଥୀନୀ ପ୍ରିୟଙ୍କା ଦଳେଇଙ୍କ ସ୍ୱାମୀ ବାଲ୍ୟରାମ ଦଳେଇଙ୍କ ମଧ୍ୟରେ ହୋଇଛି ବୁଝାମଣା । ସର୍ତ ମୁତାବକ ପଞ୍ଚାୟତରେ ପ୍ରିୟଙ୍କା ଓ ସରପଞ୍ଚ ପ୍ରାର୍ଥିନୀ ଚିନି ରଶ୍ମୀତା ପାତ୍ରଙ୍କ ବିରୋଧରେ କେହି ପ୍ରତିଦ୍ୱନ୍ଦିତା କରିବେନି । ଏବେ ଦୁଇ ପ୍ରାର୍ଥୀନୀ ବିନା ପ୍ରତିଦ୍ୱନ୍ଦିତାରେ ନିର୍ବାଚିତ ହେବା ପରେ ଘଟଣାକୁ ନେଇ ବିବାଦ ବଢିଛି । ୫୩ ନମ୍ବର ଜୋନ ଜିଲ୍ଲା ପରିଷଦ ବିଜେପି ପ୍ରାର୍ଥୀନୀ କାଜଲ ପାତ୍ର ଏ ସମସ୍ତ ତଥ୍ୟ ସହ ନିର୍ବାଚନ କମିଶନଙ୍କୁ ଚିଠି ଲେଖି ଫେରାଦ ହୋଇଛନ୍ତି ।

ସେପଟେ ରାସ୍ତା ନିର୍ମାଣ ପାଇଁ ପଞ୍ଚାୟତବାସୀ ମିଳିତ ଭାବରେ ପ୍ରାର୍ଥୀ ଦେବା ପାଇଁ ଯୋଜନା କରିଥିଲେ ବୋଲି କହିଛନ୍ତି ଗ୍ରାମବାସୀ । ଅପରପକ୍ଷରେ ବ୍ୟବସାୟିକ ଉଦ୍ଦେଶ୍ୟରେ ଦିଆଯାଇଥିବା ଚେକକୁ ନେଇ ତାଙ୍କୁ ବଦନାମ କରିବାକୁ ମିଥ୍ୟା ଚୁକ୍ତିପତ୍ରର ସାହାରା ନିଆଯାଇଥିବା ପ୍ରକାଶ କରିଛନ୍ତି ବାଲ୍ୟରାମ । କିଛିଦିନ ପୂର୍ବରୁ ବଲାଙ୍ଗୀର ଜିଲ୍ଲାରେ ସରପଞ୍ଚ ପଦବୀ ନିଲାମ ପାଇଁ ଉଦ୍ୟମ ହୋଇଥିବା ଆଲୋଚନା ଥମିନଥିବା ବେଳେ ଏବେ ଗଞ୍ଜାମର ଏହି ଘଟଣା ଚର୍ଚ୍ଚା ସୃଷ୍ଟି କରିଛି । ଅଭିଯୋଗ ପରେ ନିର୍ବାଚନ କମିଶନ କଣ ନିଷ୍ପତି ନେଉଛନ୍ତି ଏବେ ତାକୁ ଅପେକ୍ଷା ।