କ୍ୟାନସର ଆଗରେ ହାରି ନାହାନ୍ତି ହରିଶ୍ଚନ୍ଦ୍ର: ରୋଗରେ ପଡିବି ଭଙ୍ଗା ବାଇକ୍ ଯନ୍ତ୍ରାଂଶରୁ ତିଆରି କରିଛନ୍ତି ସାଇକେଲ ବାଇକ୍

65

କନକ ବ୍ୟୁରୋ: କ୍ୟାନ୍ସରରେ ପୀଡ଼ିତ ୨୯ ବର୍ଷିୟ ଯୁବକ । ଶରୀରର ବିଭିନ୍ନ ଜାଗାରେ ବଢୁଛି ମାଂସ ପିଣ୍ଡୁଳା । କଟକ ଆଚାର୍ଯ୍ୟ ହରିହର ହସ୍ପିଟାଲରେ ପରୀକ୍ଷା ନିରୀକ୍ଷା କରିବା ପରେ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଅସ୍ତ୍ରୋପଚାର କରାଇଛନ୍ତି । ତଥାପି ଶରୀରରେ ମାଂସ ପିଣ୍ଡୁଳା ଗୁଡ଼ିକ ବଢ଼ୁଛି । କିନ୍ତୁ ସେ ରୋଗ ଆଗରେ ହାର ମାନିନାହାନ୍ତି । କିଛି ନିଆରା କରିବା ନିଶା ତାଙ୍କୁ ରୋଗକୁ ଡେଇଁ ଆଗକୁ ଯିବାକୁ ପ୍ରେରଣା ଯୋଗାଇଛି । ଏକ ସୁନ୍ଦର ସାଇକେଲ୍ ବାଇକ୍ ତିଆରି କରି ଚର୍ଚ୍ଚାକୁ ଆସିଛନ୍ତି କୋରାପୁଟର କ୍ୟାନସ୍ର ପୀଡିତ ଯୁବକ ।

କୋରାପୁଟ ଲମତାପୁଟ ବ୍ଲକ୍ ପେଟା ଗାଁର ହରିଶ୍ଚନ୍ଦ୍ର କୁମ୍ଭାର । ଶରୀରକୁ କ୍ୟାନସର ରୋଗ ଆକ୍ରମଣ କରିଛି କିନ୍ତୁ ମନବଳକୁ ଭାଙ୍ଗି ପାରିନି । ରୋଗାକ୍ରାନ୍ତ ହେବା ପରେ ଦେହରେ ପୂର୍ବଭଳି ବଳ ନାହିଁ, ଜୀବନ ପ୍ରତି ବିପଦ ଥିବା କଥା ଜଣାଅଛି, କିନ୍ତୁ ମନରେ ପ୍ରବଳ ଶକ୍ତି ଅଛି । ଯାହାକୁ ଭରସା କରି ବିଭିନ୍ନ ପ୍ରକାର ଗାଡିର ଯନ୍ତ୍ରାପାତିକୁ ବ୍ୟବହାର କରି ସୁନ୍ଦର୍ ସାଇକେଲ ବାଇକ୍ ତିଆରି କରିଛନ୍ତି ହରିଶ୍ଚନ୍ଦ୍ର ।

କ୍ୟାନ୍ସର ପୀଡିତ ୨୯ ବର୍ଷିୟ ଏହି ଯୁବକ ନିଜ ଗାଁରେ ଏକ ଗ୍ୟାରେଜ କରି ପେଟ ପୋଷୁଛନ୍ତି । ନିଜ ଗ୍ୟାରେଜକୁ ଆସୁଥିବା ଭଙ୍ଗା ଗାଡିରୁ ବିଭିନ୍ନ ଯନ୍ତ୍ରାଂଶ ଯୋଗାଡ କରି ସାଇକେଲ୍ ବାଇକ୍ ତିଆରି କରିଛନ୍ତି ହରିଶ୍ଚନ୍ଦ୍ର । ୨୦ ହଜାର ଟଙ୍କା ଖର୍ଚ୍ଚରେ ତିଆରି ହୋଇଥିବା ଗାଡି ଘଂଟା ପ୍ରତି ୪୦ କିଲୋମିଟର ବେଗରେ ଯାଉଛି । ୧ ଲିଟର ପେଟ୍ରୋଲରେ ପ୍ରାୟ ୭୦ କିଲୋମିଟର ରାସ୍ତା ଅତିକ୍ରମ କରୁଛି । ହରିଶ୍ଚନ୍ଦ୍ରଙ୍କ ଏହି ଉଦ୍ୟମକୁ ସ୍ଥାନୀୟ ଲୋକେ ପ୍ରଶଂସା କରି, ଆଉ ୫ରୁ ୬ ଟି ଏମିତି ଗାଡି ତିଆରି କରିବାକୁ କହିଛନ୍ତି । ଏସବୁ ପରେ କ୍ୟାନ୍ସର ସହ ଲଢୁଥିବା ହରିଶ୍ଚନ୍ଦ୍ରଙ୍କ ଚିକିତ୍ସା ପାଇଁ ସରକାରୀ ସହାୟତା ପାଇଁ ପରିବାର ଓ ଗ୍ରାମବାସୀ ନିବେଦନ କରିଛନ୍ତି ।

କୋରାପୁଟ, ବିଶାଖାପାଟଣା, କଟକ, ଭୁବନେଶ୍ୱର ବୁଲି ଖର୍ଚ୍ଚାନ୍ତ ହେଉଛନ୍ତି କିନ୍ତୁ ହରିଶ୍ଚନ୍ଦ୍ରଙ୍କ ଚିକିତ୍ସାର ଅନ୍ତ ହେଉନି । କେମୋଥେରାପି ଓ ଅସ୍ତ୍ରପୋଚାର ପାଇଁ ଆର୍ôଥକ ସହାୟତା ଯୋଗାଇ ଦେବାକୁ ନିବେଦନ କରିଛନ୍ତି । କେହି ସହହୃଦୟ ବ୍ୟକ୍ତି ଯଦି ହରିଶ୍ଚନ୍ଦ୍ରଙ୍କୁ ସହାୟତା କରିବାକୁ ଚାହାନ୍ତି ତେବେ ତାଙ୍କ ଆକାଉଂଟ ନମ୍ବରରେ ନିଜର ଅର୍ଥ ରାଶି ଜମା କରିପାରିବେ ।