କନକ ବ୍ୟୁରୋ: କଟକ ବଡ଼ ମେଡ଼ିକାଲରେ ବଡ଼ ଅବ୍ୟବସ୍ଥା, ବେଡ୍ ନମିଳିବାରୁ ୩ ଦିନ ହେବ ଖୋଲା ଆକାଶ ତଳେ ରାସ୍ତାକଡ଼ରେ କ୍ୟାନସର ପୀଡିତ ଓ ତାଙ୍କ ପତ୍ନୀ। କଟକ ଏସସିବି ପରିସରରେ ଏଭଳି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି, ଯାହା ସରକାରୀ ସ୍ୱାସ୍ଥ୍ୟସେବାର ଉଦବେଗଜନକ ଚିତ୍ରକୁ ସାମ୍ନାକୁ ଆଣିଛି।
କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ବାଲିପାଟଣା ଅଞ୍ଚଳର ଜଣେ କ୍ୟାନସର ପୀଡିତ ଗୁରୁବାରରୁ ନିଜ ପତ୍ନୀଙ୍କୁ ଧରି କଟକ ଏସସିବି ମେଡିକାଲକୁ ଆସିଥିବା ବେଳେ ତାଙ୍କୁ ଏଯାଏଁ ବେଡ଼ ମିଳିନାହିଁ। ୱାର୍ଡରେ ବେଡ୍ ମିଳୁନଥିବା ବେଳେ ଆବଶ୍ୟକୀୟ ପରୀକ୍ଷା ମଧ୍ୟ ହୋଇପାରୁନି। ପାଖରେ ଟଙ୍କା ନଥିବା ବେଳେ ସ୍ୱାମୀଙ୍କୁ ଧରି କଟକ ବଡ଼ ମେଡିକାଲକୁ ଆସିଥିବା ବେଳେ ଏଭଳି ଅବ୍ୟବସ୍ଥାର ଶିକାର ହୋଇଥିବା ରୋଗୀଙ୍କ ପତ୍ନୀ କହିଛନ୍ତି।
କେବଳ ଏହି କ୍ୟାନସର ପୀଡିତ ନୁହେଁ ଏଭଳି ଅନେକ ରୋଗୀ କଟକ ବଡ଼ ମେଡିକାଲରେ ଅବ୍ୟବସ୍ଥାର ଶିକାର ହେଉଛନ୍ତି। ଗୋଟିଏ ପଟେ କଟକ ଏସସିବିକୁ ବିଶ୍ୱସ୍ତରୀୟ କରିବା ଲାଗି ସରକାର ପଦକ୍ଷେପ ନେଉଥିବା କହୁଥିବା ବେଳେ ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଭିନ୍ନ ଦେଖିବାକୁ ମିଳିଛି।