କନକ ବ୍ୟୁରୋ: ପ୍ରତିବର୍ଷ ମହାମାରୀ ଆଣୁଛି କର୍କଟ । ପ୍ରତିବର୍ଷ ଓଡ଼ିଶାରେ ପ୍ରାୟ ୫୦ ହଜାର ଲୋକ କର୍କଟ ରୋଗରେ ଆକ୍ରାନ୍ତ ହେଉଥିବା ବେଳେ ପ୍ରାୟ ୧୮ ହଜାର ରୋଗୀଙ୍କ ମୃତ୍ୟୁ ହେଉଛି । କର୍କଟ ରୋଗରେ ପୁରୁଷଙ୍କ ମଧ୍ୟରେ ମୁଖ କର୍କଟ ଏବଂ ମହିଳାଙ୍କ ମଧ୍ୟରେ ସ୍ତନ କର୍କଟ ଅଧିକ ଦେଖିବାକୁ ମିଳୁଛି । ଆଜି କର୍କଟ ସଚେତନା ଦିବସରେ ଜାଣନ୍ତୁ, ଏହି ରୋଗ ପାଇଁ ସଚେତନତା କେତେ ଜରୁରୀ?
ବିଜୟ ସାହୁ, ଘର କଟକ ଜିଲ୍ଲା ହରିପୁରରେ । ଦେଢ଼ ବର୍ଷ ତଳେ ପାଟି ସମସ୍ୟା ଯୋଗୁଁ ହଠାତ୍ ଖାଇବାରେ ଅସୁବିଧା ହେଲା । ଡାକ୍ତରଙ୍କୁ ପରାମର୍ଶ କରିବାର ଜଣାପଡ଼ିଲା ମୁଖ କର୍କଟରେ ପୀଡ଼ିତ ଅଛନ୍ତି ବିଜୟ । ଏହି ଖବର ଶୁଣି ବିଚଳିତ ହେବା ପରିବର୍ତ୍ତେ ଦୃଢ଼ ମନୋବଳ ଓ ବିଶ୍ୱାସ ରଖି ଚିକିତ୍ସା ଜାରି ରଖିଥିଲେ ବିଜୟ । ସେହିପରି ନିମସାହିର ଭାଗ୍ୟଶ୍ରୀ ରାଓଙ୍କୁ ବି ସମାନ ଢ଼ଙ୍ଗରେ ମୁଖ କର୍କଟ ହୋଇଥିଲା । ଏବେ ଚିକିତ୍ସା ପରେ ଦୁଇ ଜଣ ଯାକ ସୁସ୍ଥ ଅଛନ୍ତି ।
କ୍ୟାନସର ରୋଗକୁ ନେଇ ସଚେତନତା କେତେ ଜରୁରୀ ବିଜୟ ଏବଂ ଭାଗ୍ୟଶ୍ରୀଙ୍କ ଏହି କାହାଣୀରୁ ସ୍ପଷ୍ଟ ଜଣାପଡୁଛି । ଠିକ ସମୟରେ ରୋଗର ଚିହ୍ନଟ ଏବଂ ଚିକିତ୍ସା କରାଗଲେ, ରୋଗୀଙ୍କ ଜୀବନ ବଞ୍ଚାଇବା ସମ୍ଭବ । କାରଣ, ଅଧିକାଂଶ ରୋଗୀ, ତାଙ୍କୁ କ୍ୟାନସର ରୋଗ ହୋଇଛି ବୋଲି ଜାଣିବା ବେଳକୁ ଅନ୍ତିମ ପର୍ଯ୍ୟାୟରେ ରୋଗ ପହଞ୍ଚିଯାଇଥାଏ । ଯେଉଁପାଇଁ ତାଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଥାଏ । ସଚେତନତା ପାଇଁ ପାଳିତ ହେଉଥିବା ଏହି ଦିନରେ ଗୁରୁତ୍ୱପୂର୍ଣ୍ଣ ଦୁଇଟି ଦିଗ ହେଲା, ସଚେତନା ଏବଂ ଲକ୍ଷଣ । ପ୍ରଥମେ ନଜର ପକାନ୍ତୁ କେଉଁ କେଉଁ ଲକ୍ଷଣ ଦେଖାଗଲେ ଡାକ୍ତରଙ୍କ ପରାମର୍ଶ ନେଇପାରିବେ ।
ଲକ୍ଷଣ
- ଦେହରେ ଘା’ ହୋଇ ନଶୁଖିବା
- ଦେହରେ କଳାଜାଇ ହେବା ଏବଂ ଏହା କ୍ରମଶଃ ବଢ଼ିବା
- ଶରୀରର କୌଣସି ସ୍ଥାନରେ ଆବୁ ହେବା ଏବଂ କ୍ରମଶଃ ବଢ଼ି ଚାଲିବା
- ଋତୁସ୍ରାବ ସମୟରେ ଅସ୍ୱାଭାବିକ ଭାବେ ରକ୍ତ ବୋହିବା
- କାଶ କିମ୍ବା କଫରେ ଅସ୍ୱାଭାବିକ ଭାବେ ରକ୍ତ ପଡ଼ିବା
ସେହିପରି କ୍ୟାନସର ଏକ ଲାଇଫ୍ ଷ୍ଟାଇଲ୍ ଡିଜିଜ୍ ହୋଇଥିବାରୁ ଖାଦ୍ୟପେୟ ଓ ଜୀବନଶୈଳୀରେ ସୁଧାର ଆଣିବା ଜରୁରୀ । କେଉଁ କେଉଁ ଦିଗ ପ୍ରତି ସଚେତନ ହେବା ଜରୁରୀ ନଜର ପକାନ୍ତୁ...
ଉତ୍ତମ ଜୀବନ ଶୈଳୀ
- ଧୁମ୍ରପାନଠାରୁ ଦୂରେଇ ରହିବା ଜରୁରୀ
- ନିୟମିତ ବ୍ୟାୟାମ କରିବା ଆବଶ୍ୟକ
- ଜଙ୍ଗଫୁଡ ବଦଳରେ ସବୁଜ ପନିପାରିବା ଖାଇବା ଆବଶ୍ୟକ
Follow Us