ସୁପ୍ରିମକୋର୍ଟରେ ସିବିଏସଇର ଆଉ ଏକ ସତ୍ୟପାଠ ଦାଖଲ : ଦ୍ୱାଦଶ ଶ୍ରେଣୀ ବିକଳ୍ପ ମୂଲ୍ୟାୟନରେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀଙ୍କ ପାଇଁ ଅଗଷ୍ଟ ୧୫ରୁ ସେପ୍ଟେମ୍ବର ୧୫ ମଧ୍ୟରେ ହୋଇପାରେ ପରୀକ୍ଷା

2,631

କନକ ବ୍ୟୁରୋ : ଦ୍ୱାଦଶ ଶ୍ରେଣୀ ପରୀକ୍ଷା ବିକଳ୍ପ ମୂଲ୍ୟାୟନରେ ଯେଉଁ ଛାତ୍ରଛାତ୍ରୀମାନେ ସନ୍ତୁଷ୍ଟ ହେବେ ନାହିଁ, ସେମାନେ କେବେ ଦେବେ ପରୀକ୍ଷା? ପରୀକ୍ଷା ଦେବାକୁ ଅପେକ୍ଷା କରି ସେମାନେ ପଛେଇ ଯିବେ ନାହିଁ ତ? ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମନରେ ଉଠୁଥିବା ଏମିତି ଏକାଧିକ ଦ୍ୱନ୍ଦ୍ୱକୁ ଦୂର କରିଛନ୍ତି ସିବିଏସଇ କର୍ତୁପକ୍ଷ । ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରି କହିଛନ୍ତି, ଯେଉଁ ଛାତ୍ରଛାତ୍ରୀମାନେ ବିକଳ୍ପ ମୂଲ୍ୟାୟନକୁ ନେଇ ଅସନ୍ତୁଷ୍ଟ ହେବେ ସେମାନଙ୍କ ପାଇଁ ଅଗଷ୍ଟ ୧୫ରୁ ସେପ୍ଟେମ୍ବର ୧୫ ମଧ୍ୟରେ ପରୀକ୍ଷା କରାଯିବ । ପରିସ୍ଥିତିକୁ ଦେଖି ନିଷ୍ପତି ନିଆଯିବ ।

ସତ୍ୟପାଠରେ ସିବିଏସଇ ପକ୍ଷରୁ କୁହାଯାଇଛି, ଜୁଲାଇ ଶେଷ ସୁଦ୍ଧା ପରୀକ୍ଷା ଫଳ ବାହାରିବ । ରେଜଲ୍ଟ ବାହାରିବା ପରେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀମାନେ ଅନଲାଇନରେ ପରୀକ୍ଷା ପାଇଁ ପଞ୍ଜିକରଣ କରିପାରିବେ । ଏବଂ ପରୀକ୍ଷାରେ ପରୀକ୍ଷାର୍ଥୀ ଯେଉଁ ମାର୍କ ପାଇବେ ତାହା ହିଁ ଚୂଡାନ୍ତ ହେବ । କରୋନା ଯୋଗୁଁ ପରୀକ୍ଷା ବାତିଲ ହେବା ପରେ ଦଶମ, ଏକାଦଶ ଓ ଦ୍ୱାଦଶ ପ୍ରି-ବୋର୍ଡ ଆଧାରରେ ନମ୍ବର ଦେବାକୁ ନିଷ୍ପତି ନେଇ ସିବିଏସଇ ।

ତେବେ ଏହାକୁ ନେଇ କେତେକ ଛାତ୍ରଛାତ୍ରୀ ଅସନ୍ତୁଷ୍ଟ ରହିବା ସହ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଅସନ୍ତୁଷ୍ଟ ଛାତ୍ରଛାତ୍ରୀମାନଙ୍କ ଆବେଦନ ଉପରେ ମଧ୍ୟ ଶୁଣାଣି କରାଯିବ ବୋଲି କହିଛନ୍ତି ଖଣ୍ଡପୀଠ । ଏଥିସହ ରାଜ୍ୟ ମାନଙ୍କୁ ସେମାନଙ୍କ ପକ୍ଷ ରଖିବାକୁ କହିଛନ୍ତି କୋର୍ଟ । ସମସ୍ତ ଦିଗରୁ ବିଚାର କରିବା ପରେ ଚଳିତ ସପ୍ତାହ ଶେଷ ସୁଦ୍ଧା ଚୂଡାନ୍ତ ରାୟ ଶୁଣାଇବେ ବୋଲି କହିଛନ୍ତି ଖଣ୍ଡପୀଠ ।