ବିଜୟନଗରମ ଟ୍ରେନ୍ ଦୁର୍ଘଟଣା । ୪୫ଟି ଟ୍ରେନ ବାତିଲ, ୨୬ଟି ଟ୍ରେନର ଗତିପଥରେ ପରିବର୍ତ୍ତନ । ଜାଣନ୍ତୁ କେଉଁ ଟ୍ରେନ୍ ହୋଇଛି ବାତିଲ ଓ କେଉଁ ଟ୍ରେନର ଗତିପଥରେ ହୋଇଛି ପରିବର୍ତ୍ତନ? 

664

କନକ ବ୍ୟୁରୋ : ବିଜୟନଗରମ ଟ୍ରେନ୍ ଦୁର୍ଘଟଣାରେ ୧୪ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସେହିଭଳି ୫୦ରୁ ଅଧିକ ଆହତ ହୋଇଥିବା ବେଳେ ଜୋରସୋରରେ ଚାଲିଛି ଉଦ୍ଧାରକାର୍ଯ୍ୟ । ଟ୍ରାକ ଉପରେ ବଗି ପଡି ରହିଥିବାରୁ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଦୁର୍ଘଟଣା ପରେ ଏହି ରୁଟରେ ଆସିବାକୁ ଥିବା ୪୫ଟି ଟ୍ରେନକୁ ବାତିଲ କରାଯାଇଛି । ସେହିଭଳି ୧୧ଟି ଟ୍ରେନକୁ ଆଂଶିକ ବାତିଲ କରାଯାଇଛି । ୨୬ଟି ଟ୍ରେନର ଗତିପଥ ପରିବର୍ତ୍ତନ କରାଯାଇଥିବା ବେଳେ ୬ଟି ଟ୍ରେନର ସମୟ ପରିବର୍ତ୍ତନ କରାଯାଇଛି ।

ଦୁର୍ଘଟଣା ପରେ ଏବେ ବି ଦୁର୍ଘଟଣାଗ୍ରସ୍ତ ଟ୍ରେନର ବଗି ଭିତରେ ରହିଛି ମୃତଦେହ । ମୃତଦେହ ଉଦ୍ଧାର କରିବା ପାଇଁ ଉଦ୍ୟମ କରାଯାଉଛି । ଏନେଇ କନକ ନ୍ୟୁଜ୍କୁ ସୂଚନା ଦେଇଛନ୍ତି ବିଜୟନଗରମ ଯୁଗ୍ମ ଜିଲ୍ଲାପାଳ କେ ମୟୂର ଅଶୋକ । ମୃତକଙ୍କ ମଧ୍ୟରୁ ୧୧ ଜଣଙ୍କ ମୃତଦେହ ଚିହ୍ନଟ ହୋଇଛି । ଏହା ମଧ୍ୟରେ ଓଡ଼ିଶାର କେହି ନାହାନ୍ତି, ସମସ୍ତେ ଆନ୍ଧ୍ରପ୍ରବେଶର ବୋଲି ସ୍ପଷ୍ଟ କରିଛନ୍ତି ଯୁଗ୍ମ ଜିଲ୍ଲାପାଳ । ମେଡିକାଲରେ ଚିକିତ୍ସିତ ହେଉଥିବା ଆହତଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ସେ ସୂଚନା ଦେଇଛନ୍ତି ।