ରାତି ଅଧରେ ଭାଙ୍ଗିଲା କେନାଲ । ସୃ୍ଷ୍ଟି ହେଲା ଘାଇ । ଭାସିଗଲା ଫସଲ, ରାତି ଉଜାଗର ରହି ଜଗି ରହିଲେ ଗ୍ରାମବାସୀ

105

କନକ ବ୍ୟୁରୋ: ରାତି ଅଧରେ ଭାଙ୍ଗିଲା କେନାଲ ବନ୍ଧ, ସୃଷ୍ଟି ହେଲା ଘାଇ । ଚାଷ ଜମିରେ ମାଡ଼ିଗଲା କୋଲବ ଡ୍ୟାମର ପାଣି । ରାତି ଅନିଦ୍ରା ହୋଇ ପାଣିକୁ ଜଗିଲେ ଗ୍ରାମବାସୀ । ତେଣୁ ଅଳ୍ପକେ ବର୍ତିଗଲା ଘରଦ୍ୱାର । ପାଣି ମାଡି ଫସଲ ନଷ୍ଟ ହେବା ଖବର ପାଇଁ ଘଟଣା ସ୍ଥଳରେ ପହଂଚିଥିଲେ ପ୍ରଶାସନିକ ଅଧିକାରୀ । ବିଭାଗୀୟ ଅଧିକାରୀ କେନାଲ ମରାମତି କାମରେ ଲାଗିଥିବା ବେଳେ ଜିଲ୍ଲାପାଳ ସ୍ଥିତି ଅନୁଧ୍ୟାନ କରି ପ୍ରଭାବିତ ଚାଷୀଙ୍କୁ କ୍ଷତିପୂରଣ ଦେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ।

କିଛି ବୁଝିବା ଆଗରୁ ପ୍ରବଳ ବେଗରେ ମାଡ଼ିଆସିଲା ପାଣି । ରାତି ଅଧିଆ ଚାଷ ଜମିରେ ଲହଡ଼ି ଖେଳିଲା ପାଣି । ଘର ଭିତରେ ପାଣି ପଶିବା ଭୟରେ ରାତି ଉଜାଗର ରହିଲେ ଗ୍ରାମବାସୀ । ଜୟପୁର ସହର ନିକଟ ଯାଇଥିବା କୋଲାବ ଡ଼୍ୟାମର ମୁଖ୍ୟ ଶାଖା କେନାଲ ବନ୍ଧ ଭାଙ୍ଗିବାରୁ ଏକଟାଗୁଡ଼ା ଗାଁର ଚାଷ ଜମିରେ ପାଣି ମାଡିଯାଇଛି ।

ଘଟଣା ସ୍ଥଳରେ ରାତି ଅଧିଆ ଜୟପୁର ବିଧାୟକ ସହ ପୋଲିସ କର୍ମଚାରୀ ପହଚିଂ ଲୋକଙ୍କୁ ଭୟଭିତ ନହେବା ପାଇଁ କହିବା ସହ ଆବଶ୍ୟକ ପଦକ୍ଷେପ ନେବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ । ତେବେ ବିଭାଗୀୟ କର୍ମଚାରୀ ବନ୍ଧ ବାନ୍ଧିବା ଆଗରୁ ଚାଷ ଜମିରେ ପାଣି ମାଡ଼ି ଫସଲ ନଷ୍ଟ ହୋଇ ସାରିଥିଲା ।

ତେବେ କେନାଲ ଭାଙ୍ଗିବା ପରେ ସ୍ଥାନୀୟ ଅଂଚଳରେ ଅସନ୍ତୋଷ ଦେଖିବାକୁ ମିଳିଛି । ୪୦ ବର୍ଷର ପୁରୁଣା କେନାଲ, ଏହାର କୌଣସି ମରାମତି ହୋଇନାହିଁ । ତେଣୁ କେନାଲ ବନ୍ଧ ଭାଙ୍ଗି ଚାଷ ଉଜୁଡି ଯାଇଛି, ଏଭଳି ସ୍ଥିରିରେ ଚାଷୀ ଏବେ ରବି ଚାଷ କରିବ ନାଁ ଜମି ସଜାଡିବ ବୋଲି ପ୍ରଶ୍ନ କରିଛନ୍ତି ସ୍ଥାନୀୟ ବାସିନ୍ଦା । ତେବେ ସାପ ଗାତ ଓ କଙ୍କଡ଼ା ଗାତ ଯୋଗୁଁ ଏପରି ସ୍ଥିତି ଉପୁଜି ଥିବା କହିଛନ୍ତି କେନାଲ ମରାମତି ଦାୟୀତ୍ୱରେ ଥିବା କନିଷ୍ଟ ଯନ୍ତ୍ରୀ ।

ଭଙ୍ଗା ବନ୍ଧର ମରାମତି କାମରେ ୪୦ରୁ ଅଧିକ ଗାଡ଼ି ଲାଗିଥିବା ବେଳେ ୪୦ରୁ ଅଧିକ ଶ୍ରମିକ ଲାଗିଛନ୍ତି । ଅନ୍ୟପକ୍ଷେ କୋରାପୁଟ ଜିଲ୍ଳାପାଳ ସ୍ଥିତି ଅନୁଧ୍ୟାନ କରି କହିଛନ୍ତି, କେନାଲ ପୁରୁଣା ହୋଇଥିବାରୁ ଏପରି ହୋଇଛି । ଆଗକୁ ଏପରି ଅଘଟଣ ଯେମିତି ନହୁଏ ତାର ସ୍ଥାୟୀ ସମାଧାନ ପାଇଁ ରାଜ୍ୟ ସରକାରଙ୍କୁ ଅବଗତ କରାଯିବ ଏବଂ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।