କାନାଡା ଯାଉଥିବା ଭାରତୀୟ ଛାତ୍ରଙ୍କ ସଂଖ୍ୟା କ୍ରମାଗତ ହ୍ରାସ ପାଇବାରେ ଲାଗିଛି । ଜାଣନ୍ତୁ ଏହାକୁ ନେଇ କ’ଣ କହିଲେ କାନାଡା ମନ୍ତ୍ରୀ

123

କନକ ବ୍ୟୁରୋ : କାନାଡା ପାଠ ପଢିବାକୁ ଯାଉଥିବା ଭାରତୀୟ ଛାତ୍ରଛାତ୍ରୀଙ୍କ ସଂଖ୍ୟା ଗତ ୩ମାସ ମଧ୍ୟରେ ୮୬ ପ୍ରତିଶତ କମିଛି । ଗତବର୍ଷ ଜୁନ୍ ମାସରେ ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜ୍ଜରଙ୍କ ହତ୍ୟା ପରେ ଉଭୟ ଦେଶ ମଧ୍ୟରେ ସଂପର୍କ ଖରାପ ହେବାରେ ଲାଗିଛି । ଏହି କାରଣରୁ ଅନେକ ଛାତ୍ରଛାତ୍ରୀ ଏବେ କାନାଡା ଯିବାକୁ ରାଜି ହେଉ ନାହାଁନ୍ତି । ଏହା କହିଛନ୍ତି କି କାନାଡାର ଇମିଗ୍ରେସନ ମନ୍ତ୍ରୀ ।

ଗତବର୍ଷ ଜୁଲାଇ ରୁ ସେପ୍ଟେମ୍ବର ମାସ ମଧ୍ୟରେ ୧.୮ ଲକ୍ଷରୁ ଅଧିକ ଭାରତୀୟ ଛାତ୍ରଛାତ୍ରୀ ପାଠ ପଢିବା ପାଇଁ ଯିବାକୁ ଅନୁମତି ମିଳିଥିଲା । ଅକ୍ଟୋବର ରୁ ଡିସେମ୍ବର ମଧ୍ୟରେ ମାତ୍ର ୧୪,୯୧୦ ଜଣ ଛାତ୍ରଛାତ୍ରୀ ଷ୍ଟଡି ପରମିଟ୍ ପାଇଁ ଆବେଦନ କରିଥିଲେ । ଏଭଳି ଭାବେ ଛାତ୍ର ଛାତ୍ରୀଙ୍କ ସଂଖ୍ୟା ୮୬ ପ୍ରତିଶତ ହ୍ରାସ ପାଇଥିବା କୁହାଯାଉଛି ।

କାନାଡା ଇମିଗ୍ରେସନ ମନ୍ତ୍ରୀ ମାର୍କ ମିଲର କହିଛନ୍ତି କି, କାନାଡା ତରଫରୁ ଭାରତର ଛାତ୍ର ଛାତ୍ରୀଙ୍କୁ ମିଳୁଥିବା ଷ୍ଟଡି ପରମିଟରେ ହ୍ରାସ ଘଟିଛି । ୨୦୨୩ ଶେଷ ୩ମାସରେ ଏହି ସଂଖ୍ୟା ୮୬ ପ୍ରତିଶତ ହ୍ରାସ ପାଇଛି । କାନାଡାରେ ଶିଖ୍ ଆତଙ୍କବାଦୀ ନିଜ୍ଜରଙ୍କ ହତ୍ୟା ପରେ କୂଟନୈତିକ ବିବାଦ କାରଣରୁ ଭାରତୀୟ ଛାତ୍ରଙ୍କ ତରଫରୁ ଆବେଦନ ହ୍ରାସ ପାଇଛି । ହେଲେ ଖୁବଶୀଘ୍ର ଏହି ସଂଖ୍ୟା ବୃଦ୍ଧି ପାଇବ ବୋଲି ମାର୍କ ମିଲର କହିଛନ୍ତି ।

୨୦୨୩ ସେପ୍ଟେମ୍ବର ୧୮ ତାରିଖରେ କାନାଡା ଅଭିଯୋଗ କରିଥିଲା କି, ଆତଙ୍କବାଦୀ ନିଜ୍ଜର ହତ୍ୟା ପଛରେ ଭାରତର ହାତ ରହିଛି । ଭାରତ ତରଫରୁ ଏହି ଅଭିଯୋଗକୁ ଖଣ୍ଡନ କରାଯିବା ସହ ୪୧ ଜଣ କାନାଡାର କୂଟନୈତିଜ୍ଞଙ୍କୁ ଭାରତ ଛାଡିବାକୁ ଆଦେଶ ଦେଇଥିଲା । ଅକ୍ଟୋବର ୨୦ ତାରିଖରେ ଭାରତରେ ରହୁଥିବା ୬୧ ଜଣ କାନାଡା କୂଟନୈତିଜ୍ଞଙ୍କ ମଧ୍ୟରୁ ୪୧ ଜଣଙ୍କୁ ଭାରତ ତରଫରୁ ବାହାର କରିଦିଆଯାଇଥିଲା ।