କାନଡା ପ୍ରଧାନମନ୍ତ୍ରୀଙ୍କ ପତ୍ନୀଙ୍କୁ ବି କରୋନା । ବ୍ରିଟେନରୁ ଫେରିବା ପରେ ଆସିଲା ସାମ୍ପଲ ପଜିଟିଭ୍

ସେପଟେ ନମସ୍କାର କରି ଅତିଥିଙ୍କୁ ସ୍ୱାଗତ କଲେ ଆମେରିକା ରାଷ୍ଟ୍ରପତି

2,163

କନକ ବ୍ୟୁରୋ: କାନଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ପତ୍ନୀ ସେଫି ଟ୍ରୁଡୋଙ୍କ ଶରୀରରେ ବି କରୋନା ଭୂତାଣୁ ଚିହ୍ନଟ ହୋଇଛି । ସେ କିଛି ଦିନ ତଳେ ବ୍ରିଟେନରୁ ଫେରିଥିଲେ । ପ୍ରତିଷେଧମୂଳକ ବ୍ୟବସ୍ଥା ସ୍ୱରୂପ ସେ ନିଜ ପତ୍ନୀଙ୍କ ଠାରୁ କିଛିଦିନ ହେଲା ଅଲଗା ହୋଇ ରହୁଥିଲେ । କିଛିଦିନ ତଳେ ଜଷ୍ଟିନଙ୍କ ପତ୍ନୀଙ୍କ ନମୁନାକୁ ପରୀକ୍ଷା ପାଇଁ ପଠାଯାଇଥିଲା । ବ୍ରିଟେନରୁ ଫେରିବା ତାଙ୍କୁ ଜ୍ୱର ହୋଇଥିବା ସେଫି ନିଜ ଡାକ୍ତରଙ୍କୁ କହିଥିଲେ । ଏହା ପରେ ତାଙ୍କ ଶରୀରରେ କରୋନା ଭୂତାଣୁ ଥିବା ପରୀକ୍ଷାରୁ ଜଣାପଡିଛି ।

ଅନ୍ୟପଟେ, କରୋନା ଭୟକୁ ଦୃଷ୍ଟିରେ ରଖି ଭାରତୀୟ ସଂସ୍କୃତିକୁ ଆପଣାଉଛନ୍ତି ଅନ୍ୟ ଦେଶର ରାଷ୍ଟ୍ରମୁଖ୍ୟ । ହ୍ୱାଇଟ ହାଉସରେ ନମସ୍କାର କରି ଅତିଥିଙ୍କୁ ସ୍ୱାଗତ କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ହାତ ମିଳାଇବା ବଦଳରେ ଆୟରଲାଣ୍ଡର ରାଷ୍ଟ୍ରପତିଙ୍କୁ ସେ ନମସ୍କାର କରିଥିଲେ । ୱାଶିଂଟରେ ସେ କହିଛନ୍ତି ଯେ, କରୋନା ଭାଇରସକୁ ଦୃଷ୍ଟିରେ ଏଭଳି ନମସ୍କାର କରିବା ଜରୁରୀ । ଆମେରିକାରେ ବି କରୋନାର ଭୟାବହତାକୁ ଦୃଷ୍ଟିରେ ରଖି ଅନେକ ପ୍ରତିଷେଧକମୂଳକ ପଦକ୍ଷେପ ନିଆଯାଇଛି ।

ଭାରତରେ କରୋନା ଆକ୍ରାନ୍ତ ସଂଖ୍ୟା ୭୫ରେ ପହଁଚିଗଲାଣି । ପୁଣେରେ ଆଉ ଏକ ମାମଲା କରୋନା ପଜିଟିଭ୍ ଆସିବା ପରେ କରୋନା ଆକ୍ରାନ୍ତ ସଂଖ୍ୟା ୭୫କୁ ବୃଦ୍ଧି ହୋଇଛି । ସେପଟେ ସଂକ୍ରମଣକୁ ରୋକିବା ପାଇଁ ମୁକାବିଲା ଆରମ୍ଭ କରିଛନ୍ତି ଭାରତ ସରକାର । କରୋନାକୁ ମହାମାରୀ ଘୋଷଣା କରିଛନ୍ତି । ଦିଲ୍ଲୀରେ ୩୧ ମାର୍ଚ୍ଚ ଯାଏ ସମସ୍ତ ସ୍କୁଲ ଓ ସିନେମା ହଲକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆଗାମୀ ମାସେ ପାଇଁ ସମଗ୍ର ବିଶ୍ୱ ସହିତ ସଂପର୍କ ଛିନ୍ନ କରିବାକୁ ଘୋଷଣା କରିଛନ୍ତି ଭାରତ ସରକାର । ଏପ୍ରିଲ ୧୫ ଯାଏଁ ସମସ୍ତ ଭିସାକୁ ବାତିଲ କରାଯାଇଛି । କେନ୍ଦ୍ର ସରକାରଙ୍କ ନିଷ୍ପତି ଅନୁଯାୟୀ, ମାର୍ଚ୍ଚ ୧୩ ରୁ ଏପ୍ରିଲ ୧୫ ଯାଏଁ ସମସ୍ତ ଭିସା ବାତିଲ କରାଯାଇଛି ।

କୂଟନୈତିକ ଅଧିକାରୀ, ଜାତିସଂଘ କିମ୍ବା ଅନ୍ୟ ଅନ୍ତର୍ଜାତୀୟ ସଂସ୍ଥା, ନିଯୁକ୍ତି ଓ ସରକାରୀ ପ୍ରକଳ୍ପ ପାଇଁ ଆସୁଥିବା ଅଧିକାରୀଙ୍କୁ ଏଥିରୁ ବାଦ ଦିଆଯାଇଛି । ଫେବ୍ରୁଆରୀ ୧୫ ପରେ ଚୀନ, ଇଟାଲି, ଇରାନ, ଦକ୍ଷିଣ କୋରିଆ, ଫ୍ରାନ୍ସ, ସ୍ପେନ ଓ ଜର୍ମାନୀରୁ ଆସିଥିବା ବିଦେଶୀ ଓ ଭାରତୀୟଙ୍କୁ ୧୪ ଦିନ ନୀରିକ୍ଷଣରେ ରଖାଯିବ ବୋଲି ସରକାର ସୂଚନା ଦେଇଛନ୍ତି । ଶେଷ ଖବର ସୁଦ୍ଧା ଦିଲ୍ଲୀରେ କରୋନା ଭୂତାଣୁରେ ଆକ୍ରାନ୍ତ ୬ ଜଣ, ହରିୟାଣାରେ ୧୪ ଜଣ , କେରଳରେ ୧୭ , ରାଜସ୍ଥାନରେ ୩ , ତେଲଙ୍ଗାନାରେ ଗୋଟିଏ, ଉତରପ୍ରଦେଶରେ ୧୧, ଲଦାଖରେ ୩ ଜଣ , ତାମିଲନାଡୁରେ ଗୋଟିଏ, ଜାମ୍ମୁକାଶ୍ମୀରରେ ଗୋଟିଏ, ପଞ୍ଜାବରେ ଗୋଟିଏ, କର୍ଣ୍ଣାଟକରେ ୪ଟି ମହାରାଷ୍ଟ୍ରରେ ୧୧ ଜଣ କରୋନା ଆକ୍ରାନ୍ତ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।