୫ ପଇସା ଦେଲେ ପେଟପୂରା ବିରିୟାନୀ ଖାଇବାକୁ ଦେବାକୁ ଘୋଷଣା କଲେ ଷ୍ଟଲ ମାଲିକ । ଦୋକାନ ଆଗରେ ଲାଗିଗଲା ଲୋକଙ୍କ ଲମ୍ବା ଲାଇନ୍, ତାପରେ କିଛି ଏମିତି ଘଟିଲା…

595

କନକ ବ୍ୟୁରୋ : ୫ ପଇସାରେ ପେଟ ପୂରା ବିରିୟାନୀ । ଦୋକାନ ଆଗରେ ଲାଗିଲା ପ୍ରବଳ ଭିଡ଼ । ଆଜିର ଯୁଗରେ କ’ଣ କାହା ପାଖରେ ୫ ପଇସାର କଏନ୍ ଥିବ ? ହୁଏତ ନଥିବ, କିଛି ଏହିଭଳି ଭାବି ଜଣେ ବିରିୟାନୀ ଷ୍ଟଲ୍ ମାଲିକ ଏକ ବଡ଼ ଘୋଷଣା କରିଦେଲେ । ଘୋଷଣା ଏଇୟା ଥିଲା ଯେ, ଯିଏ ୫ ପଇସା କଏନ୍ ନେଇ ଆସିବ, ତାଙ୍କୁ ପେଟପୂରା ବିରିୟାନୀ ଖାଇବାକୁ ଦିଆଯିବ । ବିରିୟାନୀ ଷ୍ଟଲ ମାଲିକଙ୍କ ଏହି ଚାଲ୍ ପୂରା ଓଲଟା ପଡିଗଲା । ଏବଂ ତାଙ୍କ ଷ୍ଟଲ ବାହାରେ ଲାଗିଗଲା ଶହ ଶହ ଲୋକଙ୍କ ଭିଡ । ଆଉ ସମସ୍ତଙ୍କ ହାତରେ ଥିଲା ୫ ପଇସା କଏନ୍ ।

ଏହି ଘଟଣା ହେଉଛି, ତାମିଲନାଡୁ ଚେନ୍ନାଇର । ଯେଉଁଠି ଜଣେ ବ୍ୟକ୍ତି ନୂଆ କରି ଏକ ବିରିୟାନୀ ଷ୍ଟଲ ଖୋଲିଥିଲେ । ନିଜ ଷ୍ଟଲର ପ୍ରମୋଶନ କରିବା ପାଇଁ ଏହି ଅଫର ଘୋଷଣା କରିଥିଲେ ମାଲିକ । ଯିଏବି ୫ ପଇସାର କଏନ୍ ଦେବ, ତାଙ୍କୁ ପେଟପୂରା ବିରିୟାନୀ ଖାଇବାକୁ ମିଳିବ । କିନ୍ତୁ ସେ କେବେ ଭାବିନଥିଲେ ତାଙ୍କର ଏପରି ଘୋଷଣା ଏତେ ବଡ ସମସ୍ୟା ସୃଷ୍ଟି କରିବ ।

ଷ୍ଟଲ ମାଲିକଙ୍କ ଏପରି ଘୋଷଣା ପରେ, ଚେନ୍ନାଇ ସେଲୁର ଅଂଚଳରେ ଏହି ବିରିୟାନୀ ଷ୍ଟଲ ଆଗରେ ଲାଗିଯାଇଥିଲା ଲୋକଙ୍କ ସାଂଘାତିକ ଗହଳି । ଏପରିକି ୩୦୦ରୁ ଅଧିକ ଲୋକ ଷ୍ଟଲ ଆଗରେ ଲାଇନ୍ ଲଗାଇଥିଲେ । ଏବଂ ସମସ୍ତଙ୍କ ହାତରେ ରହିଥିଲା ୫ ପଇସାର କଏନ୍ । ପରିସ୍ଥିତି ଏପରି ହୋଇଥିଲା ଯେ, ବିରିୟାନୀ ଷ୍ଟଲ୍ ମାଲିକଙ୍କୁ ଦୋକାନ ବନ୍ଦ କରିବାକୁ ପଡ଼ିଥିଲା ।

ଅନ୍ୟପଟେ ବିରିୟାନୀ ଖାଇବା ଚକ୍କରରେ ଲୋକେ ନିଜ ଜୀବନକୁ ବାଜିରେ ଲଗାଇଦେଲେ । କରୋନା ସଂକ୍ରମଣର ଦ୍ୱିତୀୟ ଲହର ଏବେବି ଯାଇନଥିବା ବେଳେ ଲୋକେ ଭୁଲିଯାଇଥିଲେ ସବୁ ନିୟମ ଆଉ କଟକଣା । ସାମାଜିକ ଦୂରତା ତ ଦୂରର କଥା, କାହାରି ମୁହଁରେ ମାସ୍କ ବି ନଥିଲା । ସମସ୍ତେ ହାତରେ ୫ ପଇସାର କଏନ୍ ଧରି ଭିଡ ଜମାଇଦେଇଥିଲେ ।

ଲୋକଙ୍କ ଭିଡ ଅସମ୍ଭାଳ ହେବା ପରେ ଘଟଣାସ୍ଥଳରେ ପହଂଚିଥିଲା ପୋଲିସ । ଆଉ ଲୋକଙ୍କୁ କରୋନା କଟକଣା ମାନିବାକୁ କହିବା ସହ ଘଟଣାସ୍ଥଳରୁ ଭିଡ ଖାଲିକରାଯାଇଥିଲା । ଆଉ ୫ ପଇସାର କଏନ ନେଇ ଆସିଥିଲେ ମଧ୍ୟ କାହିଁକି ବିରିୟାନୀ ମିଳିଲାନି ବୋଲି କିଛି ଲୋକେ ପ୍ରଶ୍ନ କରିଥିଲେ ।