ବଢି ବଢି ଚାଲିଛି ଋଷ-ୟୁକ୍ରେନ୍ ବିବାଦ: ଦୁଇ ଦେଶ ମଧ୍ୟରେ କେବେ ବି ହୋଇପାରେ ଯୁଦ୍ଧ!

185

କନକ ବ୍ୟୁରୋ: ଋଷ ଓ ୟୁକ୍ରେନ୍ ଭିତରେ ବିବାଦ ଏତେ ଆଗକୁ ବଢିଯାଇଛି ଯେ, ଏବେ ଯୁଦ୍ଧ ପରିସ୍ଥିତିକୁ ଏଡାଇବା କଷ୍ଟକର ହୋଇ ପଡିଛି । ଆମେରିକାର କହିବା କଥା ପରିସ୍ଥିତି ଏବେ ଅସମ୍ଭାଳ ହୋଇ ସାରିଛି । କୌଣସି ବି ମୁହୂର୍ତରେ ଋଷିଆ, ୟୁକ୍ରେନ୍ ଉପରେ ଆକ୍ରମଣ କରିପାରେ । ଏଭଳି ଆଶଙ୍କା ଏଥିପାଇଁ କରାଯାଉଛି ଯେ, ଋଷ ଗୁପ୍ତ ଭାବେ ୟୁକ୍ରେନ୍ରେ ଥିବା ନିଜ ଦୂତାବାସ ଖାଲି କରିଦେଇଛି । ସେପଟେ ଋଷ ସହ ଲଢେଇ ପାଇଁ କାନାଡା ନିଜର କିଛି ସେନା ୟୁକ୍ରେନ୍ ପଠାଇ ଦେଇଛି । କେବଳ ସେତିକି ନୁହେଁ ବ୍ରିଟେନ୍ ମଧ୍ୟ ନିଜର ଋଷ ସହ ମୁକାବିଲା ପାଇଁ ନିଜର କିଛି ଲଢୁଆ ଟାଙ୍କ ୟୁକ୍ରେନ୍ ପଠାଇ ଦେଇଛି । ଯାହା ଲାଗୁଛି ୟୁକ୍ରେନ୍ ଓ ଋଷିଆ ମଧ୍ୟରେ ଯୁଦ୍ଧ ହେବା ଏକ ପ୍ରକାର ସ୍ଥିର ।..

ଋଷ ଓ ୟୁକ୍ରେନ ମଧ୍ୟରେ ଗତ କିଛି ମାସ ଧରି ବିବାଦ ଲାଗି ରହିଛି । ଆଉ ଏ ବିବାଦ ଏତେ ମାତ୍ରାରେ ବଢି ଯାଇଛି ଯେ, କୌଣସି ବି ମୁହୂର୍ତରେ ଦୁଇ ଦେଶ ମଧ୍ୟରେ ହୋଇପାରେ ଯୁଦ୍ଧ । ଯୁଦ୍ଧ ପରିସ୍ଥିତି ଦେଖି ୟୁକ୍ରେନ୍ ସପକ୍ଷରେ ୟୁରୋପର ବିଭିନ୍ନ ଦେଶ ଛିଡା ହେବା ସହ ଆମେରିକା ମଧ୍ୟ ସହଯୋଗର ହାତ ବଢାଇଥିବା ଦେଖିବାକୁ ମିଳିଛି । ଆଉ ଦୁଇ ଦେଶରେ କୌଣସି ବି ପରିସ୍ଥିତିରେ ଯୁଦ୍ଧ ହୋଇପାରେ ବୋଲି ଅନେକ ସଂକେତ ମିଳୁଛି ।

– ଋଷ ଗୁପ୍ତ ଭାବେ ୟୁକ୍ରେନ୍ରୁ ନିଜ ଦୂତାବାସ ଖାଲି କରିଦେଇଛି 

– ଆମେରିକା ମଧ୍ୟ ନିଜ ଦୂତାବାସ ଖାଲି କରିବା ସହ ୟୁକ୍ରେନ୍ରେ ଥିବା ଆମେରିକୀୟଙ୍କୁ ନିଜ ଦେଶ ଫେରିଯିବାକୁ କହିଛି

– ଋଷ – ୟୁକ୍ରେନ୍ ସୀମାରେ ଠୁଳ ହେବାରେ ଲାଗିଛି ଯୁଦ୍ଧାସ୍ତ୍ର 

– ଋଷ ୧ଲକ୍ଷରୁ ଅଧିକ ସେନାଙ୍କୁ ନିଜ ସୀମାରେ ମୁତୟନ କରିଛି

– ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ଝ-୫୫୦କୁ ଯୁଦ୍ଧ ପାଇଁ ପ୍ରସ୍ତୁତ ରଖିଛି ଋଷ 

ଋଷ ଗତ ତିନି ମାସ ଧରି ୟୁକ୍ରେନ୍ ସୀମାରେ ଟ୍ୟାଙ୍କ, ମିଜାଇଲ ଆଉ ଅନ୍ୟ ଯୁଦ୍ଧାସ୍ତ୍ର ସହ ଲକ୍ଷାଧିକ ସେନା ଠୁଳ କରିବାରେ ଲାଗିଛି । ସେପଟେ ୟୁକ୍ରେନ୍ ସମର୍ଥନରେ ବାହାରିଛି ନାଟୋ । ଆମେରିକା ସମର୍ଥିତ ପାଶ୍ଚାତ୍ୟ ଦେଶଗୁଡିକର ସୈନ୍ୟ ସଙ୍ଗଠନ ନାଟୋ ଋଷର ଆକ୍ରାମଣାତ୍ମକ ଆଭିମୁଖ୍ୟକୁ ନିନ୍ଦା କରିବା ସହ ୟୁକ୍ରେନ୍କୁ ସହାୟତା କରିବା ନେଇ ଘୋଷଣା କରିଛି । ୟୁକ୍ରେନ୍ ନାଟୋର ପୂର୍ଣ୍ଣ ସଦସ୍ୟ ହୋଇ ନଥିଲେ ବି ତାକୁ ନାଟୋର ପୂର୍ଣ୍ଣ ସମର୍ଥନ ମିଳିଛି । ନାଟୋର ସଦସ୍ୟ ଦେଶ ୟୁକ୍ରେନ୍କୁ ଯୁଦ୍ଧାସ୍ତ୍ର ପଠାଇବା ଆରମ୍ଭ କରିଦେଇଛି ।

– ବ୍ରିଟେନ୍ ନିଜର ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ସହ ଲଢୁଆ ଟ୍ୟାଙ୍କ ୟୁକ୍ରେନକୁ ପଠାଇଛି 

– ଆଂଟି ଟ୍ୟାଙ୍କ ମିସାଇଲ ମଧ୍ୟ ୟୁକ୍ରେନ୍କୁ ଯୋଗାଇଛି ବ୍ରିଟେନ୍ 

– କାନାଡା ନିଜ ସେନାର ସ୍ପେଶାଲ ରେଜିମେଂଟ୍ ୟୁକ୍ରେନ୍କୁ ପଠାଇଛି 

– ଆମେରିକା ମଧ୍ୟ ନିଜ ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ୟୁକ୍ରେନ୍ ପଠାଇଛି  

ଋଷ ଓ ୟୁକ୍ରେନ୍ ସୀମାରୁ ଯେଭଳି ଦୃଶ୍ୟ ଆସୁଛି, ତାକୁ ଦେଖି ଲାଗୁଛି କୌଣସି ବି ମୁହୁର୍ତରେ ଦୁଇ ଦେଶ ମଧ୍ୟରେ ହୋଇପାରେ ଯୁଦ୍ଧ । ଆଉ ଯଦି ପ୍ରକୃତରେ ଯୁଦ୍ଧ ହୁଏ ତାହାଲେ ମହାବିନାଶକୁ ଏଡାଇବା ଅସମ୍ଭବ ।

ୟୁକ୍ରେନ୍ ସହ ଲାଗିଥିବା ସୀମାରେ ଋଷ ଯୁଦ୍ଧ ପାଇଁ ସମସ୍ତ ପ୍ରସ୍ତୁତି ଶେଷ କରିଛି । କେବଳ ନିଜ ଦୂତାବାସ ହିଁ ନୁହେଁ ୟୁକ୍ରେନ୍ରେ ଥିବା ଅନ୍ୟ ସମସ୍ତ କାର୍ଯ୍ୟାଳୟକୁ ଖାଲି କରାଯାଇ, କର୍ମଚାରୀଙ୍କୁ ମସ୍କୋ ଡକାଇ ସାରିଛନ୍ତି ରାଷ୍ଟ୍ରପତି ପୁଟିନ । ଆଉ ୟୁକ୍ରେନ୍ ଉପରେ କେତେବେଳେ ବି ଆକ୍ରମଣ କରିପାରେ ଋଷ । ଗତ ବର୍ଷ ଏପ୍ରିଲରେ ଋଷ ସେନା ୟୁକ୍ରେନ୍ ସୀମା ନିକଟରେ ଯୁଦ୍ଧାଭାସ କଲା । ଯାହାକୁ ବିରୋଧ କଲା ୟୁକ୍ରେନ୍ । ଏହାକୁ ନେଇ ବିବାଦ ତେଜିବାରୁ ଯୁଦ୍ଧାଭାସକୁ ବନ୍ଦ କଲା ଋଷ । ହେଲେ ସୀମାରେ ନିଜ ସୈନ ବଳ ବଢାଇବାରେ ଲାଗିଲା । ଆଉ ଏବେ ପରିସ୍ଥିତି ଏପରି ହୋଇଛି ଯୁଦ୍ଧ ହେବା ଯେପରି ଏକପ୍ରାକର ନିଶ୍ଚିତ । ଆଉ ଯଦି ଯୁଦ୍ଧ ହୁଏ, ତାହାଲେ ମହାବିନାଶ ହେବା ଏକ ପ୍ରକାର ସ୍ପଷ୍ଟ ।