କରୋନାର ନୂଆ ଷ୍ଟ୍ରେନ ବିରୋଧରେ କାମ କରିବ କି ନାହିଁ ଭ୍ୟାକସିନ । ବିଶେଷଜ୍ଞ କହିଲେ, ଫଳପ୍ରଦ ହେବ କୋଭିଡ ଟିକା

96

କନକ ବ୍ୟୁରୋ : ବ୍ରିଟେନରେ ଦେଖାଦେଇଥିବା କରୋନା ଭୂତାଣୁର ନୂଆ ଷ୍ଟ୍ରେନ ପୁଣି ଥରେ ସାରା ବିଶ୍ୱର ଚିନ୍ତା ବଢାଇ ଦେଇଛି । ବ୍ରିଟେନରେ ଦେଖାଯାଉଥିବା କରୋନା ଭୂତାଣୁ ୭୦ ପ୍ରତିଶତ ବେଗରେ ବଢ଼ୁଛି । ତେବେ ଏହି ନୂଆ ଷ୍ଟ୍ରେନ ଦେଖାଦେବା ପରେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଉଠିଛି ଯେ, କରୋନା ଟିକା ଭୂତାଣୁର ଏହି ନୂଆ ରୂପ ଉପରେ କେତେ ପ୍ରଭାବୀ ହେବ । ସିଏସଆଇଆର ଡିଜିଙ୍କ ସୂଚନା ଅନୁଯାୟୀ ନୂଆ ଷ୍ଟ୍ରେନରେ ମଧ୍ୟ କୋଭିଡ ଟିକା ଫଳପ୍ରଦ ହେବ ।

ବ୍ରିଟେନରେ କରୋନା ଭୂତାଣୁର ନୂଆ ଷ୍ଟ୍ରେନ ଏବେ ଚିନ୍ତା ବଢାଇଛି । ଲଣ୍ଡନ ଓ ଦକ୍ଷିଣ-ପୂର୍ବ ଇଂଲଣ୍ଡରେ ଚିହ୍ନଟ ହୋଇଥିବା କରୋନାର ନୂଆ ରୂପ କେବଳ ଇଂଲଣ୍ଡ ନୁହେଁ ପୂରା ବିଶ୍ୱବାସୀଙ୍କୁ ଚିନ୍ତାରେ ପକାଇଛି । ଏବେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ହେଉଛି ନୂଆ ଷ୍ଟ୍ରେନ ପାଇଁ କେତେ ଫଳପ୍ରଦ ହେବ କୋଭିଡ ଟିକା ।

ଦୀର୍ଘ ମାସ ଧରି କରୋନା ଭୂତାଣୁ ସହ ଲଢେଇ ପରେ ବାହାରିଥିବା କରୋନା ଟିକା ଏହି ନୂଆ ଭୂତାଣୁ ସଂକ୍ରମଣ ରୋକିବା ଦିଗରେ ଫଳପ୍ରଦ ହେବ ନା ନାହିଁ ତାକୁ ନେଇ ଉଠିଛି ପ୍ରଶ୍ନ । ତେବେ ଏହି ନୂଆ ଷ୍ଟ୍ରେନରେ ମଧ୍ୟ କରୋନା ଟିକା କାର୍ଯ୍ୟ କରିବ ବୋଲି ସୂଚନା ଦେଇଛନ୍ତି ସିଏସଆଇଆର ଡିଜି । ସେ କହିଛନ୍ତି କରୋନା ଟିକା ନୂଆ ଷ୍ଟ୍ରେନରେ ବି କାମ ଦେବ । ଏବଂ ଏହାକୁ ନେଇ ଅଧିକ ଚିନ୍ତା କରିବା ଅନାବଶ୍ୟକ । ଭୂତାଣୁର ନୂଆ ରୂପ ‘ଏନ୍ ୫୦୧ ୱାଇ’ ତୁଳନାତ୍ମକ ଭାବେ ଶୀଘ୍ର ସଂକ୍ରମିତ ହୁଏ କିନ୍ତୁ ଏହାକୁ ଅଧିକ ମାରାତ୍ମକ ବୋଲି ବର୍ତମାନ କହିପାରିବା ନାହିଁ ।

ଇଣ୍ଡନର ନୂଆ ଷ୍ଟ୍ରେନ୍ ଯୋଗୁଁ ସାରା ବିଶ୍ୱରେ ପୁଣି ଥରେ କରୋନାକୁ ନେଇ ଆତଙ୍କ ଖେଳିଯାଇଛି । ଏହାରି ଭିତରେ ବ୍ରିଟେନରୁ ଭାରତକୁ ଆସିଥିବା କିଛି ଯାତ୍ରୀ ମଧ୍ୟ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

ଆଂଟିବଡି ପରି କେତେକ ଦିଗରେ ସାମାନ୍ୟ ଫରକ ଆସିପାରେ କିନ୍ତୁ କୋଭିଡ ଟିକା ପ୍ରଭାବୀ ହେବନାହିଁ ବୋଲି କହିବା ଅନୁଚିତ ବୋଲି ସୂଚନା ଦେଇଛନ୍ତି ସିଏସଆଇଆର ଡିଜି । ଭୂତାଣୁର ରୂପ ପରିବର୍ତନ ହୋଇଥିଲେ ମଧ୍ୟ ଟିକା ସମାନ ଭାବରେ ପ୍ରଭାବୀ ରହିବ । ଭାରତରେ କରୋନା ଭୂତାଣୁର ୪ହଜାରରୁ ଅଧିକ ଜିନୋମକୁ କ୍ରମାନୁସାରେ ରଖି ତାକୁ ଗ୍ଲୋବାଲ ଇନିସିଏଟିଭ ଅନ ସେୟାରିଂ ଅଫ ଇନଫ୍ଲୁଏଂଜା ଡାଟାକୁ ଯୋଗାଇ ଦିଆଯାଇଛି ।

ବିଶେଷଜ୍ଞଙ୍କ ମତରେ ସବୁ ପ୍ରକାର ଭୂତାଣୁ ସ୍ୱରୂପ ପରିବର୍ତନ କରିଥାନ୍ତି । ପରିବେଶ ସହିତ ଖାପ ଖୁଆଇ ନିଜକୁ ବଂଚାଇ ରଖିବାକୁ ଭୂତାଣୁର ପରିବର୍ତନ ହେବା ଏକ ସ୍ୱାଭାବିକ ପ୍ରକ୍ରିୟା । ସେହି କ୍ରମରେ କୋଭିଡ ଭୂତାଣୁ ୧୭ ଥର ମ୍ୟୁଟେସନ ବା ରୂପ ବଦଳାଇ ସାରିଲାଣି ।

କ୍ଷିପ୍ର ବେଗରେ ସଂକ୍ରମଣ ବଢ଼ାଉଥିବା ଏହି ନୂଆ ଷ୍ଟ୍ରେନ୍ ମୂଳ କୋଭିଡ ଭୂତାଣୁଠାରୁ ୭୦ ପ୍ରତିଶତ ଅଧିକ ବେଗରେ ସଂକ୍ରମିତ ହେଉଛି । କିଛି ୟୁରୋପୀୟ ଦେଶରେ ମଧ୍ୟ ଏପରି ଭୂତାଣୁ ଦେଖିବାକୁ ମିଳିଛି । ଭୂତାଣୁର ରୂପରେଖ ନେଇ ଗବେଷଣା ଚାଲିଥିବା ବେଳେ ଅନେକ ଦେଶ, ବିଟ୍ରେନକୁ ବିମାନ ଚଳାଚଳ ବାତିଲ କରି ଦେଇଛନ୍ତି ।