ଟି-୨୦ ବିଶ୍ୱକପ ପରାଜୟର ପ୍ରତିଶୋଧ ନେଇପାରିବ ତ ଟିମ୍ ଇଣ୍ଡିଆ ? ଆସନ୍ତାକାଲି ଏସିଆ କପରେ ଭେଟାଭେଟି ହେବେ ଭାରତ-ପାକିସ୍ତାନ ।

159

କନକ ବ୍ୟୁରୋ: ଟି-୨୦ ବିଶ୍ୱକପ୍ ହାରର ବଦଲା । ପଡିଆ ମଝିରେ ପୂର୍ବ ପରାଜୟର ପ୍ରତିଶୋଧ । ଆସନ୍ତାକାଲି ଏସିଆ କପରେ ପାକିସ୍ତାନକୁ ଧୂଳି ଚଟେଇବା ଲକ୍ଷ୍ୟରେ ରହିବ ଟିମ୍ ଇଣ୍ଡିଆ । ଆଉ ଏକ ବଡ ବିଜୟରୁ ଏସିଆ କପ୍ ଅଭିଯାନ ଆରମ୍ଭ କରିବାକୁ ଟାର୍ଗେଟ କରିଛି ରୋହିତ ବାହିନୀ ।

ଦୀର୍ଘ ୧୦ ମାସ ପରେ କ୍ରିକେଟକୁ ଫେରିଛି ଭାରତ-ପାକ୍ ମ୍ୟାଚ୍ । ବିଶ୍ୱକପ୍ ପରେ ପ୍ରଥମ କରି ଏସିଆ କପରେ ମୁହାଁମୁହିଁ ହେବେ ଏହି ଚିର ପ୍ରତିଦ୍ୱନ୍ଦ୍ୱୀ । ଗୋଟେ ପଟେ ରୋହିତ ବାହିନୀ ଆଉ ଗୋଟେ ବାବର ସେନା । ଗୋଟେ ପଟେ ବିଶ୍ୱର ଧୂଆଁଧାର ବ୍ୟାଟ୍ସମ୍ୟାନ୍ । ଅନ୍ୟପଟେ ବିଶ୍ୱର ଶାଣିତ ବୋଲିଂ ଲାଇନ୍ ଅପ୍ । କ୍ରିକେଟ୍ ପଡିଆରେ ଭାରତ ପାକିସ୍ତାନ ମ୍ୟାଚକୁ ନେଇ ଖେଳାଳିମାନେ ଯେତିକି ଉତ୍ସାହିତ ଅଛନ୍ତି, ତାଠୁ ଅଧିକା ଦୁଇ ଦେଶର କ୍ରିକେଟ୍ ପ୍ରେମୀମାନେ ଏହି ମ୍ୟାଚକୁ ଅନେଇ ବସିଛନ୍ତି ।

ଏସିଆ କପ୍ ଟୁର୍ଣ୍ଣାମେଣ୍ଟରେ ଦୁଇ ଫେଭରିଟ୍ ଟିମ୍ ହେଉଛନ୍ତି ଭାରତ ଆଉ ପାକିସ୍ତାନ । ଏସିଆ କପ୍ ଇତିହାସରେ ଟିମ୍ ଇଣ୍ଡିଆ ସବୁଠୁ ଅଧିକ ଥର ଏସିଆ କପ୍ ଚାମ୍ପିୟନ ହୋଇଥିବା ବେଳେ, ପାକିସ୍ତାନ ବି କିଛି କମ୍ ନୁହେଁ । ଭାରତ ୭ ଥର ଏସିଆ କପ୍ ଜିତିଥିବାବେଳେ, ପାକିସ୍ତାନ ମଧ୍ୟ ଦୁଇ ଥର କପକୁ ନିଜ ନାଁରେ କରିଛି ।

ଏସିଆ କପ୍ ଇତିହାସକୁ ଓଲଟେଇ ଦେଖିଲେ, ଭାରତ ପାକ ମ୍ୟାଚ୍ ସବୁବେଳେ ଦର୍ଶକଙ୍କ ହାର୍ଟକୁ ଛୁଇଁଛି । ଦୁଇ ଦଳ ୧୪ ଥର ପରସ୍ପରକୁ ଭେଟିଥିବାବେଳେ, ତା ଭିତରୁ ଭାରତ ୮ଥର ଆଉ ପାକିସ୍ତାନ ୫ ଥର ମ୍ୟାଚ୍ ଜିତିଛନ୍ତି । ତେଣୁ ଆସନ୍ତାକାଲି ୧୫ ତମ ମ୍ୟାଚରେ ଭାରତ ଆଉ ପାକିସ୍ତାନ କିଏ ମ୍ୟାଚ୍ ଜିତୁଛି ତା ଉପରେ ନଜର ରହିବ ।

ଗତ ଟି-୨୦ ବିଶ୍ୱକପରେ ପାକିସ୍ତାନ ପାଖରୁ ଟିମ୍ ଇଣ୍ଡିଆ ପରାଜିତ ହୋଇଥିଲା । ତା ବି ପୁଣି ୧୦ ୱିକେଟରେ । ତେଣୁ ଆସନ୍ତାକାଲି ମ୍ୟାଚରେ ଏହି ପୁରୁଣା ପରାଜୟର ପ୍ରତିଶୋଧ ନେବାକୁ ଟିମ୍ ଇଣ୍ଡିଆ ଲକ୍ଷ୍ୟ ରଖିଛି । ତା ସହ ଆସନ୍ତାକାଲିର ମ୍ୟାଚରୁ ଦୁଇ ଦଳର ଏସିଆ କପ୍ ଅଭିଯାନ ଆରମ୍ଭ ହେଉଥିବାରୁ ଏହି ମ୍ୟାଚ ଦୁଇ ଦଳ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ।

ଦୁଇ ଦେଶର ଖେଳାଳିମାନଙ୍କୁ ଦେଖିଲେ, ରୋହିତ ଶର୍ମା ଟିମ୍ ଇଣ୍ଡିଆର ଭାର ସମ୍ଭାଳୁଛନ୍ତି । ଆଉ ପାକିସ୍ତାନ ଦଳର ମଙ୍ଗ ଧରିଛନ୍ତି ଷ୍ଟାର ବ୍ୟାଟ୍ସମ୍ୟାନ୍ ବାବର ଆଜମ୍ । ଏଇ ଦୁଇ ଖେଳାଳିଙ୍କ ସହିତ ବିଶ୍ୱର ଆଗ ଧାଡିର ଖେଳାଳିମାନେ ଦୁଇ ଟିମରେ ଭର୍ତି ହେଇ ରହିଛନ୍ତି । କେ ଏଲ ରାହୁଲ, ବିରାଟ କୋହଲି, ରିଷଭ ପନ୍ତଙ୍କ ଭଳି ଖେଳାଳି ଟିମ୍ ଇଣ୍ଡିଆରେ ଥିବାବେଳେ । ପାକିସ୍ତାନ ପାଖରେ ବାବର ଆଜମ୍, ଫକର ଜମାନ୍, ମହମ୍ମଦ ରିଜବାନଙ୍କ ସହିତ ଅନ୍ୟ ଖେଳାଳିମାନେ ରହିଛନ୍ତି । ତେଣୁ ଆସନ୍ତାକାଲି ରାତି ସାଢେ ୭ଟାରେ ସମସ୍ତଙ୍କ ନଜର ଟିଭି ପରଦା ଉପରେ ନିଶ୍ଚୟ ରହିବ । ଆଉ କେଉଁ ଦଳ ଏହି ମ୍ୟାଚ୍ ବାଜିମାରିବ । ତା ଉପରେ ବି ସମସ୍ତଙ୍କର ନଜର ରହିବ ।