ପୁଣି ଫେରିବ କି କରୋନାର ଦ୍ୱିତୀୟ ସଂକ୍ରମଣ । ଶୀତ ଦିନ ପାଇଁ ସତର୍କ ରହିବାକୁ ବିଶେଷଜ୍ଞ ଦେଲେ ପରାମର୍ଶ । ଡାକ୍ତର ନିରୋଜ ମିଶ୍ର କହିଲେ, ସତର୍କ ନରହିଲେ, ୟୁରୋପ ଭଳି ବଢ଼ିପାରେ ଅଡୁଆ । ସେପଟେ ବିଏମ୍ସି କମିଶନର କହିଲେ, ୧୦ ଦିନ ଧରି କମୁଛି ଭୁବନେଶ୍ୱରରେ ସଂକ୍ରମିତଙ୍କ ସଂଖ୍ୟା

303

କନକ ବ୍ୟୁରୋ : ୟୁରୋପୀୟ ଦେଶଗୁଡିକରେ ପୁଣି ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ । ଗତ କିଛି ଦିନ ମଧ୍ୟରେ ଏହା ୧୦ ପ୍ରତିଶତରୁ ସଂକ୍ରମଣ ହାର ଅଧିକ ହୋଇଛି । ଆଗକୁ ଶୀତ ଋତୁ ଆସୁଥିବାରୁ ଏହା ଚିନ୍ତାର ବିଷୟ ବୋଲି ବିଶେଷଜ୍ଞ କହିଛନ୍ତି । ସେହିପରି ଆଗକୁ ଶୀତ ଋତୁ ଆସୁଥିବାରୁ ରାଜ୍ୟରେ ମଧ୍ୟ ପୁଣି ଥରେ କରୋନା ସଂକ୍ରମଣ ବଢ଼ିବାର ଆଶଙ୍କା କରିଛନ୍ତି ବରିଷ୍ଠ ଚିକିତ୍ସକ ।

ଶୀତଦିନେ ଦ୍ୱିତୀୟ ପର୍ଯ୍ୟାୟ କରୋନା ସଂକ୍ରମଣର ପୂର୍ବାନୁମାନ କରାଯାଉଛି । ସେକେଣ୍ଡ ୱେଭ ପାଇଁ ସତର୍କତା ଜରୁରୀ । ବରିଷ୍ଠ ଭେସଜ ବିଶେଷଜ୍ଞ ଡ଼ାକ୍ତର ନିରୋଜ ମିଶ୍ର ଏଭଳି ପ୍ରତିକ୍ରିୟା ଦେଇଛନ୍ତି । ଗଂଜାମରେ ସେକେଣ୍ଡ ୱେଭ୍ ଆସିବା ଅଧିକ ସମ୍ଭାବନା ରହିଛି । କାରଣ ସେଠାରେ ସଂକ୍ରମଣ ପିକ୍ ପରେ ହ୍ରାସ ପାଇଥିଲା । ଯଦି ସେଠାରେ ସଂକ୍ରମଣ ବଢେ ତାକୁ ସେକେଣ୍ଡ ୱେଭ୍ କହିପାରିବା ।

ଭୁବନେଶ୍ୱରରେ ମଧ୍ୟ କରୋନା ସଂକ୍ରମଣ ହ୍ରାସ ପାଇଛି । ଯଦି ଭୁବନେଶ୍ୱରରେ କରୋନା ସଂକ୍ରମଣ ବଢେ ତାକୁ ସେକେଣ୍ଡ ୱେଭ୍ କହିପାରିବା । ଓଡ଼ିଶାରେ ସେକେଣ୍ଡ ୱେଭ୍ ଆସିନି, ଯଦି ଆସେ ତେବେ ବହୁ ଅସୁବିଧା ହେବ । ସଂଖ୍ୟା ବଢିଲେ ସ୍ୱାସ୍ଥ୍ୟସେବା ଓ ଭିତିଭୁମି ଉପରେ ଚାପ ପଡ଼ିବ । ଆମକୁ ଯତ୍ନବାନ ହେବାକୁ ପଡ଼ିବ । ଗାଇଡ଼ଲାଇନ୍ ମାନିବାକୁ ହେବ । ଆମେ ସତର୍କ ରହିବେ ସେକେଣ୍ଡ ୱେଭକୁ ଏଡ଼ାଇ ଦେଇପାରିବା ।

ଭୁବନେଶ୍ୱରରେ ଗତ ୧୦ ଦିନରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମିଛି । ବର୍ତମାନ ଭୁବନେଶ୍ୱରରେ ୨ ହଜାର ୧୪୨ ସକ୍ରିୟ ସଂକ୍ରମିତ ଅଛନ୍ତି । ସେମାନଙ୍କ ମଧ୍ୟରୁ ୭୫ ପ୍ରତିଶତ ଅର୍ଥାତ୍ ୧୫ଶହରୁ ୧୬ଶହ ଆକ୍ରାନ୍ତ ହୋମ ଆଇସୋଲେସନରେ ଥିବା ଭୁବନେଶ୍ୱର ମହାନଗର ନିଗମ କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀ କହିଛନ୍ତି ।

ଏହାସହ ଭୁବନେଶ୍ୱରର ବିଭିନ୍ନ ଡାକ୍ତରଖାନାରେ ବେଡ ଖାଲି ରହିଛି । ୧୮ଟି ଘରୋଇ ଏବଂ ୭ଟି ସରକାର ଡାକ୍ତରଖାନାରେ କରୋନା ରୋଗୀଙ୍କ ଚିକିତ୍ସା ପାଇ ପ୍ରସ୍ତୁତ ରହିଛି । ଏହାସହ ରାଜଧାନୀରେ କରୋନା ପରୀକ୍ଷାର ଚାହିଦା ରହିଛି । ତେଣୁ ଦିନକୁ ୯ଟି କ୍ୟାମ୍ପରେ ୩ ହଜାର ଟେଷ୍ଟ କରାଯାଉଛି । କରୋନା ସପର୍କୀତ ତଥ୍ୟ ଦେବା ସମୟରେ ଭୁବନେଶ୍ୱରରେ ସ୍କୁଲ ଖୋଲିବା ପ୍ରସଙ୍ଗରେ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ବିଏମସି କମିଶନର । କହିଛନ୍ତି ଯଦି ସ୍କୁଲ ଖୋଲେ ତେବେ ଆବଶ୍ୟକ ଅନୁସାରେ ଟେଷ୍ଟିଂ ପାଇଁ ପଦକ୍ଷେପ ନିଆଯିବ ।