କତାର କୋର୍ଟର ନିଷ୍ପତ୍ତି ପରେ ଗତ କିଛି ସପ୍ତାହ ମଧ୍ୟରେ ଭାରତରେ କୂଟନୈତିକ କାର୍ଯ୍ୟକଳାପ ବୃଦ୍ଧି ପାଇଛି । ଏଥିରେ ଆଠ ଜଣ ପୂର୍ବତନ ଭାରତୀୟ ନୌସେନା  ଅଧିକାରୀଙ୍କ ଜୀବନ ମୃତ୍ଯୁର ପ୍ରଶ୍ନ ରହିଛି ।

Advertisment

ତେଣୁ ଆସନ୍ତୁ କତାରର ଏମିର ଶେଖ ତମିମ ବିନ ହମାଦ ଅଲ ଥାନିଙ୍କ ବିଷୟରେ ଜାଣିବା  ଯାହାଙ୍କ ବିଷୟରେ କୁହାଯାଉଛି ଯେ ଯଦି ସେ ଚାହାଁନ୍ତି ତେବେ ସେ ସମସ୍ତଙ୍କ ମୃତ୍ୟୁ ଦଣ୍ଡକୁ କ୍ଷମା କରି ପାରିବେ।

କତାରରେ ମୃତ୍ୟୁଦଣ୍ଡ ଦିଆଯାଇଥିବା ୮ ଜଣ ପୂର୍ବତନ ନୌସେନା ଅଧିକାରୀଙ୍କୁ ଫେରାଇ ଆଣିବା ପାଇଁ ଭାରତ ସରକାର ଅନେକ ବିକଳ୍ପ ଉପରେ କାର୍ଯ୍ୟ କରୁଛନ୍ତି । ଆଠ ଜଣ ଭାରତୀୟଙ୍କୁ ଦିଆଯାଇଥିବା ମୃତ୍ୟୁଦଣ୍ଡ ବିରୋଧରେ ଭାରତ ସରକାର ଏକ ଆବେଦନ କରିଛନ୍ତି । ଏହି ପରିପ୍ରେକ୍ଷୀରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ ଏହି ନିଷ୍ପତ୍ତି ସମ୍ପୂର୍ଣ ଗୋପନୀୟ ଅଟେ । ଯାହା କେବଳ ଆମର ଆଇନଗତ ପରାମର୍ଶଦାତା ମଣ୍ଡଳୀ ସହିତ ସେୟାର ହୋଇଛି ।  ସମସ୍ତ ଆଇନଗତ ବିକଳ୍ପକୁ ବିଚାର କରି ଭାରତ ଏକ ଆବେଦନ କରିଛି । ଏହା ବ୍ୟତୀତ, ବର୍ତ୍ତମାନ ସମସ୍ତଙ୍କ ନଜର ଆଇନଗତ ବିକଳ୍ପ, ଚୁକ୍ତିନାମା ଏବଂ କତାରର ଏମିର ଶେଖ ତମିମ ହମାଦ ଅଲ ଥାନି ଉପରେ ରହିଛି ।

କତାରର ଏମିର ଭାରତୀୟଙ୍କ ମୃତ୍ୟୁ ଦଣ୍ଡକୁ କ୍ଷମା କରି ପାରିବେ କି ?

ଏହା ଜାଣିବା ପୂର୍ବରୁ, ଆପଣ ଜାଣିବା ଉଚିତ୍ ଯେ ଏହି ଅଧିକାରୀମାନେ କେଉଁ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ।

ପୁରା ଘଟଣାକ୍ରମ କଣ ଥିଲା ?

ଏହି ଅଧିକାରୀମାନେ ଇସ୍ରାଏଲ ପାଇଁ ଗୁପ୍ତଚରବୃତ୍ତି  କରିଥିବା ଅଭିଯୋଗ ହୋଇଛି । 'ଅଲ-ଜଜିରା' ରିପୋର୍ଟ ଅନୁଯାୟୀ, ସେମାନେ ଇସ୍ରାଏଲକୁ କତାରର ବୁଡ଼ାଜାହାଜ ପ୍ରକଳ୍ପ ସମ୍ବନ୍ଧୀୟ ସୂଚନା ଦେଇଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତମାନେ ଦୋହାଠାରେ ଅବସ୍ଥିତ ସେହି ଅଲ-ଦହରା କମ୍ପାନୀରେ କାମ କରୁଥିଲେ। ଯେଉଁ କମ୍ପାନୀ କତାରର ନୌସେନାକୁ ଟେକ୍ନୋଲୋଜି ଏବଂ ପରାମର୍ଶ ସେବା ଯୋଗାଇଥାଏ । ଓମାନ ବାୟୁସେନାର ଅବସରପ୍ରାପ୍ତ ଅଧିକାରୀ କାମିସ୍ ଅଲ ଆଜମି ଏହାକୁ ପରିଚାଳନା କରୁଥିଲେ। ତାଙ୍କୁ ମଧ୍ୟ ଗିରଫ କରାଯାଇଥିଲା । ତେବେ ନଭେମ୍ବରରେ ତାଙ୍କୁ ମୁକ୍ତ କରାଯାଇଥିଲା। ୩୧ ମଇ ୨୦୨୩ ରେ ଅଲ-ଦହରା କମ୍ପାନୀ ବନ୍ଦ ହୋଇଯାଇଥିଲା ।

ଏହି ଅଧିକାରୀମାନଙ୍କ ମୁଣ୍ଡ ଉପରେ ମୃତ୍ଯୁର ଖଣ୍ଡା ଝୁଲିରହିଛି

ଅଗଷ୍ଟ ୮ ରେ ଏହି ୮ ଜଣଙ୍କୁ ଗିରଫ କରାଯାଇଥିଲା ।  ଯେଉଁମାନଙ୍କ ଉପରେ ଏହି ବିପଦ ଅଛି ।  ସେହି ତାଲିକାରେ ଉଲ୍ଲେଖ କରାଯାଇଥିବା ନାମଗୁଡିକ ହେଲା କ୍ୟାପଟେନ ନବତେଜ ସିଂ ଗିଲ, କ୍ୟାପଟେନ ବିରେନ୍ଦ୍ର କୁମାର ଭର୍ମା, କ୍ୟାପଟେନ ସୌରଭ ବୈଷ୍ଣବ , କମାଣ୍ଡର ଅମିତ ନାଗପାଲ, କମାଣ୍ଡର ପୂର୍ଣ୍ଣେନ୍ଦ୍ର ତିୱାରୀ, କମାଣ୍ଡର ସୁଗୁନାକର ପାକାଲା, କମାଣ୍ଡର ସଞ୍ଜୀବ ଗୁପ୍ତା ଏବଂ ନାବିକ ରାଗେଶ । ଏମାନଙ୍କୁ  ମୁକ୍ତ କରିବାକୁ ଭାରତ ଜୋରଦାର ଉଦ୍ୟମ କରୁଛି ।

କିଏ ଏହି କତାରର ଏମୀର , ଯିଏ ୨୦୧୩ରୁ ଶାସନ କରୁଛନ୍ତି ?

କତାରର ଏମିର ଶେଖ ତମିମ ହମାଦ ଅଲ ଥାନି ଆରବ ଲିଗର ଜଣେ ଜଣାଶୁଣା ଚେହେରା । ସେ ନିଜର ମତକୁ ଖୋଲାଖୋଲି ଭାବେ ପ୍ରକାଶ କରନ୍ତି । ସେ ଜିଓପଲିଟିକାଲ କାର୍ଯ୍ୟକଳାପ ଉପରେ ନଜର ରଖିଥାନ୍ତି ।  ମଧ୍ୟ ପୂର୍ବରେ ଇସ୍ରାଏଲ-ହାମାସ ଯୁଦ୍ଧ ବିଷୟରେ ସେ ଖୋଲାଖୋଲି ଭାବେ ନିଜର ମତ ରଖିଥିଲେ । କୁହାଯାଏ ଶେଖ ତମିମ ବିନ ହମାଦ ଅଲ-ଥାନି ପାକିସ୍ତାନର ନିକଟତର, କିନ୍ତୁ ଭାରତ ସହିତ ତାଙ୍କର ଭଲ ସମ୍ପର୍କ ମଧ୍ୟ ଅଛି । ପୃଥିବୀର ତୃତୀୟ ପ୍ରଭାବଶାଳୀ ମୁସଲମାନ

ରୟାଲ୍ ଇସଲାମିକ୍ ଷ୍ଟ୍ରାଟେଜିକ୍ ଷ୍ଟଡିଜ୍ ସେଣ୍ଟର ୨୦୨୨ ରେ ତମିମଙ୍କୁ ବିଶ୍ଵର ସବୁଠାରୁ ପ୍ରଭାବଶାଳୀ ମୁସଲମାନ ଭାବରେ ସ୍ୱୀକୃତି ଦେଇଥିଲା । ୨୦୨୩ ତାଲିକାରେ ତମିମ ତୃତୀୟ ସ୍ଥାନରେ ଅଛନ୍ତି । ତମିମ ବିନ୍ ହମାଦ ୩ ଜୁନ୍ ୧୯୮୦ ରେ କତାରର ଦୋହାଠାରେ ଜନ୍ମଗ୍ରହଣ କରିଥିଲେ। କାତାର ଇତିହାସରେ ଶେଖ ତମିମ ବିନ୍ ହମାଦ ଅଲ ଥାନି ହେଉଛନ୍ତି ସର୍ବକନିଷ୍ଠ ଧନୀ । ବହୁ ପ୍ରତିଭାର ଅଧିକାରୀ ଶେଖ ତମିମ ୨୦୧୩ ରେ ମାତ୍ର ୩୩ ବର୍ଷ ବୟସରେ କ୍ଷମତା ଗ୍ରହଣ କରିଥିଲେ । ସେ ଏମିର ହମାଦ ବିନ୍ ଖଲିଫା ଅଲ ଥାନୀଙ୍କ ଚତୁର୍ଥ ପୁତ୍ର। ୨୦୦୩ ରେ ତାଙ୍କ ବଡ଼ ଭାଇ ଶେଖ ଜାସିମ ସିଂହାସନକୁ ଦାବିକୁ ତ୍ୟାଗ କରିବାପରେ ସେ ଉତ୍ତରାଧିକାରୀ ହୋଇଥିଲେ । ତାଙ୍କର ଶିକ୍ଷା ବ୍ରିଟେନରେ ହୋଇଥିଲା ।  ଶେର୍ବର୍ନ ଏବଂ ହାରୋ ସ୍କୁଲରେ ପଢିବା ପରେ ସେ ରୟାଲ ମିଲିଟାରୀ ଏକାଡେମୀରୁ ସ୍ନାତକ ହାସଲ କରିଥିଲେ ।

କାହିଁକି ବଢୁଛି କ୍ଷମା ମିଳିବାର ଆଶା ?

କତାରର ଏମିର୍ ତାଙ୍କ ଦେଶରେ ଅନେକ ଭୂମିକାରେ ସକ୍ରିୟ ରହିଛନ୍ତି ।  'ଦି ଇକୋନୋମିଷ୍ଟ'ର ଏକ ରିପୋର୍ଟ ଅନୁଯାୟୀ, ଶେଖଙ୍କ ପରିବାରର ଅଧିକାଂଶ ଲୋକ କତାରର ସେନାଠାରୁ ଆରମ୍ଭ କରି ସରକାର ପର୍ଯ୍ୟନ୍ତ ବହୁ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଅଛନ୍ତି । ଗୋଟିଏ ପ୍ରକାରେ କହିବାକୁ ଗଲେ ଦେଶର ସବୁକ୍ଷେତ୍ର ସେମାନଙ୍କ ଦ୍ୱାରା ପରିଚାଳିତ ।  ଶେଖ ତାମିମ କତାରର ଜାତୀୟ ଅଲିମ୍ପିକ୍ କମିଟିର ସଭାପତି ତଥା କତାର ସଶସ୍ତ୍ର ବାହିନୀର ଡେପୁଟି କମାଣ୍ଡର-ଇନ୍-ଚିଫ୍ ଅଟନ୍ତି । ସେ ସର୍ବୋଚ୍ଚ ଶିକ୍ଷା ପରିଷଦର ଅଧ୍ୟକ୍ଷ । ଦେଶର ଅର୍ଥନୀତି ପରିଚାଳନା କରିବାର ଦାୟିତ୍ବ ମଧ୍ୟ ତାଙ୍କ ଉପରେ ନ୍ୟସ୍ତ ।

କତାର ହେଉଛି ଭାରତର ଏକ ବଡ ବାଣିଜ୍ୟ ଭାଗିଦାରୀ । ଭାରତ ସେଠାରେ ବିଶେଷ ସୁବିଧା ପାଇଥାଏ । କତାର ହେଉଛି ବିଶ୍ୱର ସର୍ବବୃହତ ପ୍ରାକୃତିକ ଗ୍ୟାସ ରପ୍ତାନୀକାରୀ । କତାରର ଜନସଂଖ୍ୟା ପ୍ରାୟ ୨୯ ଲକ୍ଷ । ଯେଉଁଥିରେ ପ୍ରାୟ ୧୫%  ହିନ୍ଦୁ ଅଛନ୍ତି । ଶକ୍ତି ସୁରକ୍ଷା କ୍ଷେତ୍ରରେ କତାର ଭାରତକୁ ଗ୍ୟାରେଣ୍ଟି ଦେଇଛି । ଭାରତ ଏହାର LNG ଆମଦାନୀଗୁଡିକର ୪୦% କେବଳ କତାରରୁ ହିଁ ଆମଦାନୀ କରିଥାଏ । ଯେ ଭାରତ ସେମାନଙ୍କ ପାଇଁ କେତେ ମହତ୍ଵପୂର୍ଣ୍ଣ ଏହି କଥାରୁ ଜଣାପଡେ ଯେ ୨୦୧୬ ରେ କତାର ଭାରତ ପାଇଁ LNG ମୂଲ୍ୟ ୫୦% ରୁ ଅଧିକ ଛାଡ ଦେଇଥିଲା । ଥରେ କମ୍ LNG କିଣିବା ପାଇଁ ଭାରତକୁ ଜରିମାନା ଦେବାକୁ ପଡିଥାନ୍ତା ।  କିନ୍ତୁ ପ୍ରଧାନମନ୍ତ୍ରୀ ମୋଦି ଏବଂ କତାରର ଏମିରଙ୍କ ମଧ୍ୟରେ ହୋଇଥିବା ଚୁକ୍ତି ଯୋଗୁଁ କତାର ଭାରତକୁ ଜରିମାନା ଛାଡ଼ କରିବାକୁ ରାଜି ହୋଇଯାଇଥିଲା ।

କତାରର ଏମୀରଙ୍କର କ୍ଷମାଦାନ

କତାରର ପରମ୍ପରା ଅନୁଯାୟୀ ଦେଶର ଏମିର ସଦଭାବନା ପ୍ରଦର୍ଶନ କରି ନିଜ ଦେଶରେ ଥିବା ବନ୍ଦୀମାନଙ୍କୁ ବର୍ଷକୁ ଦୁଇଥର କ୍ଷମା ପ୍ରଦାନ କରନ୍ତି । ଏହି ସୁଯୋଗ ପ୍ରତିବର୍ଷ ପବିତ୍ର ରମଜାନ ମାସରେ ଏବଂ କତାରର ଜାତୀୟ ଦିବସରେ ଅର୍ଥାତ୍ ୧୮ ଡିସେମ୍ବରରେ ଆସିଥାଏ । ଭାରତ ସହ ଭଲ ସମ୍ପର୍କକୁ ଦୃଷ୍ଟିରେ ରଖି କତାରର ଏମିର ତମିମ ବିନ ହମାଦ ଅଲ ଥାନି ମଧ୍ୟ ଭାରତୀୟ ନାଗରିକଙ୍କ ପାଇଁ କ୍ଷମା ଦାନ କରିପାରନ୍ତି । ବଲ୍ ବର୍ତ୍ତମାନ କତାର କୋର୍ଟରେ ଅଛି । ନିଜ ନାଗରିକମାନେ ଫେରେଇ ଆଣିବାକୁ ଭାରତ ସରକାର ନିରନ୍ତର ଚେଷ୍ଟା କରୁଛନ୍ତି ।

କତାରରେ ମୃତ୍ଯୁଦଣ୍ଡ କେମିତି ଦିଆଯାଏ ?

କତାରରେ ଫାୟାରିଂ ସ୍କାଡ ଦ୍ୱାରା ମୃତ୍ୟୁଦଣ୍ଡ ଦିଆଯାଏ । ବହୁ ବିରଳ କ୍ଷେତ୍ରରେ ଫାଶୀ ଦେଇ ମୃତ୍ୟୁଦଣ୍ଡ ଦିଆଯାଏ । ଏଭଳି ପରିସ୍ଥିତିରେ କତାରର ଏମିରଙ୍କୁ ଯଦି ଆବେଦନ କରାଯାଏ, ତେବେ ଏହି ଭାରତୀୟମାନଙ୍କୁ କ୍ଷମା ମିଳିବାର ସମ୍ଭାବନା ଅଛି । ବାସ୍ତବରେ, ଏହା ଏତେ ସମ୍ବେଦନଶୀଳ ବିଷୟ ଯେ ସାଧାରଣ ଜନତା ଏହା ବିଷୟରେ ଅଧିକ ଆଲୋଚନା କରିପାରିବେ ନାହିଁ ।  କୂଟନୈତିକ କ୍ଷେତ୍ରରେ ସବୁକିଛି ଖୋଲାଖୋଲି ଭାବେ କୁହାଯାଏ ନାହିଁ ।

କେତେ ସମ୍ପତିର ମାଲିକ ଏମୀର ?

ଖବର ଅନୁଯାୟୀ, ସେ ୧.୬ ବିଲିୟନ ପାଉଣ୍ଡର ମାଲିକ ଅଟନ୍ତି । ରୟାଲ ପରିବାରର ମୋଟ ସମ୍ପତ୍ତି ହେଉଛି ୩୩୫ ବିଲିୟନ ଡଲାର । ସାଉଥ ଚାଇନା ମର୍ନିଂ ପୋଷ୍ଟର ରିପୋର୍ଟ ଅନୁଯାୟୀ ସେ ୨୦୧୯ ରେ ଓମାନରେ ନିଜ ପାଇଁ ଏକ ସ୍ୱତନ୍ତ୍ର ପ୍ରାସାଦ ‘ହ୍ଵାଇଟ ପ୍ୟାଲେସ’ ନିର୍ମାଣ କରିଥିଲେ। ଯାହାର ମୂଲ୍ୟ ପ୍ରାୟ ଏକ ବିଲିୟନ ଡଲାର ବୋଲି ଆକଳନ କରାଯାଇଛି ।