କନକ ବ୍ୟୁରୋ : କୋଭିଡ୍ ସଂକ୍ରମଣ ଭିତରେ ଆଗକୁ ରାଜ୍ୟରେ ପଂଚାୟତ ନିର୍ବାଚନ ଆସୁଛି । ଗୋଟିଏ ପଟେ ସଂକ୍ରମଣ ବଢୁଛି ଆଉ ଏପଟେ ନିର୍ବାଚନ ଆସୁଛି । ଏପରି ସ୍ଥିତିରେ ନିର୍ବାଚନ କରିବା ନେଇ ଭିନ୍ନମତ ପ୍ରକାଶ ପାଇଛି । ବିଜେଡି କହିଛି ଆଗ ୟୁପି ବିଧାନସଭା ନିର୍ବାଚନ ବନ୍ଦ ହେଉ । ଅନ୍ୟପଟେ ବିଶେଷଜ୍ଞ କହୁଛନ୍ତି ନିର୍ବାଚନ ଘୁଂଚାଇଦେବା ଠିକ୍ ହେବ । କାରଣ ନିର୍ବାଚନ ବେଳେ କରୋନା ନିୟମ କେହି ପାଳନ କରୁନାହାନ୍ତି ।

Advertisment

ନିର୍ବାଚନ କୋଭିଡ ସଂକ୍ରମଣକୁ ବଳ ଯୋଗାଇବ । ବିଶେଷଜ୍ଞଙ୍କ ଏମିତି ଚେତାବନୀ ସତ୍ୱେ ଦେଶର ବିଭିନ୍ନ ସ୍ଥାନରେ ଆଗକୁ ହେବାକୁ ଥିବା ନିର୍ବାଚନ କେମିତି ସମ୍ପର୍ଣ୍ଣ ହେବ ତାକୁ ନେଇ ଜାରି ରହିଛି ଆକ୍ଷେପ ଓ ପ୍ରତିଆକ୍ଷେପ । ଜାତୀୟ ରାଜନୀତିରେ ସବୁଠାରୁ ଗୁରୁତ୍ୱ ବହନ କରୁଥିବା ରାଜ୍ୟ, ଉତ୍ତରପ୍ରଦେଶରେ ନିର୍ବାଚନ ପ୍ରଚାର ଦେଖିଲେ ସ୍ପଷ୍ଟ ଅନୁମାନ କରାଯାଇପାରେ ଯେ, ସବୁଠାରୁ ସଂକ୍ରାମକ କୁହାଯାଉଥିବା ଓମିକ୍ରନ ଭୂତାଣୁକୁ ବ୍ୟାପିବା ପାଇଁ କେମିତି ସହାୟକ ହେଉଛି ଏହି ନିର୍ବଚନୀ ସଭା ଓ ଶୋଭାଯାତ୍ରା ।

ଏପରିକି ଦିଲ୍ଲୀରେ କଠୋର କଟକଣା ଲଗାଇଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ୟୁପି ନିର୍ବାଚନ ପ୍ରଚାରରେ ଯୋଗ ଦେବା ପରେ କୋଭିଡ ଆକ୍ରାନ୍ତ ହୋଇଛନ୍ତି । ତେଣୁ ଓଡିଶାରେ ଆଗକୁ ହେବାକୁ ଥିବା ପୌର ଓ ପଞ୍ଚାୟତ ନିର୍ବାଚନ ଉପରେ ଆଲୋଚନା କରିବା ପୂର୍ବରୁ ପ୍ରଥମେ ୟୁପିରେ ନିର୍ବାଚନ ବନ୍ଦ କରାଯାଉ ବୋଲି କହିଛି ବିଜେଡି ।

କୋଭିଡ ମହାମାରୀରେ ସବୁଠାରୁ ଭୟାନକ ସ୍ଥିତି ସୃଷ୍ଟି କରିଥିବା ଡେଲଟା ଭୂତାଣୁକୁ ବ୍ୟାପକ ରୂପେ ଦେଶରେ ସଂକ୍ରମିତ କରିବାରେ ସେତେବେଳେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ସାହାଯ୍ୟ କରିଥିବା କୁହାଯାଏ । ତେଣୁ ଏବେ ଡେଲଟା ପ୍ରଜାତି ଠାରୁ ଅଧିକ ସଂକ୍ରାମକ ଓମିକ୍ରନ ଯେତେବେଳେ ତାହାର କାୟା ବିସ୍ତାର କରିବା ଆରମ୍ଭ କରିଛି, ସେତେବେଳେ ନିର୍ବାଚନ କେତେ ଯୁକ୍ତିଯୁକ୍ତ ତାକୁ ନେଇ ପ୍ରଶ୍ନ ଉଠିଛି ।

ଆସନ୍ତା ଫେବୃଆରୀ ଶେଷ କିମ୍ବା ମାର୍ଚ୍ଚ ମାସରେ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ଓ ପରେ ପରେ ପୌର ନିର୍ବାଚନ କରିବା ପାଇଁ ରାଜ୍ୟ ସରକାର ସମସ୍ତ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ତେଣୁ କୋଭିଡ ସଂକ୍ରମଣର ଭୟାବହତା ଭିତରେ କେମିତି ନିର୍ବାଚନ ହେବ ଓ ନିର୍ବାଚନ କମିଶନ କ’ଣ ନିଷ୍ପତି ନେବେ ତାହା ଉପରେ ନଜର ।