କନକ ବ୍ୟୁରୋ: ମସଲା କମ୍ପାନୀ ମଧ୍ୟରେ ଘରେ ଘରେ ପରିଚିତ ମସଲା କିଙ୍ଗ୍ ବୋଲାଉଥିବା ଏମଡିଏଚ୍ ମସଲା କମ୍ପାନୀକୁ ନେଇ ଆସିଛି ବଡ଼ ଖବର । ୧୦୦ ବର୍ଷର ଏହି ମସଲା କମ୍ପାନୀ ବିକ୍ରି ହେବ ବୋଲି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ଆଉ ସବୁଠାରୁ ବଡ଼ କଥା ହେଲା, ମସଲା ମହାରାଜା ମହାଶୟ ଧର୍ମପାଲ ଗୁଲାଟୀଙ୍କ ଦେହାନ୍ତ ପରେ ଏଭଳି ଖବର ମସଲା ଜଗତରେ ବେଶ୍ ଚର୍ଚ୍ଚା ପାଲଟିଛି ।
Advertisment
ରିପୋର୍ଟ ମୁତାବକ, ହିନ୍ଦୁସ୍ତାନ ୟୁନିଲିବର ଏମଡିଏଚ ମସଲା ପ୍ରସ୍ତୁତକାରୀ କମ୍ପାନୀ ମହାଶିଆଁ ଦି ହଟ୍ଟିର ବୃହତ୍ତ ଅଶଂଧନ କିଣିବା ପାଇଁ ଆଲୋଚନା କରୁଛି । ଏପରିକି ଏମଡିଏଚର ମୂଲ୍ୟାୟନ ୧୦ ହଜାରରୁ ୧୫ ହଜାର କୋଟି ଟଙ୍କା ମଧ୍ୟରେ ରହିପାରେ । ଅନୁମାନ କରାଯାଉଛି ଯେ, ୨୦୨୫ ସୁଦ୍ଧା ଏହା ଦୁଇଗୁଣା ହୋଇ ୫୦ ହଜାର କୋଟି ଟଙ୍କା ହୋଇପାରେ । ବର୍ତ୍ତମାନ ଏଭଳି ରିପୋର୍ଟ ସାମ୍ନାକୁ ଆସିବା ପରେ ମସଲା ବଜାରରେ ଏ ଖବର ମସଲା ଯୋଗାଇଛି । publive-image
ଅନ୍ୟପଟେ ଏଭଳି ଖବରକୁ ଖଣ୍ଡନ କରିଛନ୍ତି ଏମଡିଏଚ ମସଲା କମ୍ପାନୀର ଚେୟାରମ୍ୟାନ୍ ରାଜୀବ ଗୁଲାଟି । ଏକ ପ୍ରେସ୍ ବିଜ୍ଞପ୍ତି ଜରିଆରେ ରାଜୀବ କହିଛନ୍ତି କି, ଗଣମାଧ୍ୟମରେ ଏମଡିଏଚ କମ୍ପାନୀ ବିକ୍ରିକୁ ନେଇ ଯେଉଁ ଖବର ପ୍ରକାଶ କରାଯାଉଛି ସେଥିରେ କୌଣସି ସତ୍ୟତା ନାହିଁ । ଏମଡିଏଚ ମସଲା ଭାରତର ଏକ ବିଶ୍ୱାସ ଭଳି ରହିଛି, ତେଣୁ ଧର୍ମପାଲ ଗୁଲାଟୀ ଜୀ ଆଜିବି ଆମ ଗହଣରେ ସ୍ମୃତି ପାଲଟି ରହିଛନ୍ତି । ତେଣୁ ଏଭଳି ଗୁଜବକୁ ପ୍ରସାରଣ କରନ୍ତୁ ନାହିଁ କିମ୍ବା ଏହାକୁ ବିଶ୍ୱାସ ମଧ୍ୟ କରନ୍ତୁନି ।
ଭାରତର ସବୁଠୁ ପୁରାତନ ମସଲା କମ୍ପାନୀର ଇତିହାସ ଓ ସଂଘର୍ଷ ଆଜି ବି ଅନେକ ଯୁବ ଉଦ୍ୟୋଗୀଙ୍କୁ ପ୍ରେରଣା ଦେଉଛି । ଭାରତରେ ଏତେ ବଡ ମସଲା କମ୍ପାନୀ ଛିଡା କରିବାରେ ସ୍ୱର୍ଗତ ମହାଶୟ ଧର୍ମପାଲ ଗୁଲାଟୀଙ୍କ ସଂଘର୍ଷ କିଛି କମ ନଥିଲା । ମାତ୍ର ୧୫ ଶହ ଟଙ୍କାରୁ ୨ ହଜାର କୋଟି ଟଙ୍କାର ମସଲା କମ୍ପାନୀ ଛିଡା କରିଥିଲେ ଧର୍ମପାଲ । ପାକିସ୍ତାନରୁ ଭାରତ ଆସି ଏତେ ବଡ ମସଲା କମ୍ପାନୀର ମାଲିକ ହେବା ଧର୍ମପାଲ ଗୁଲାଟୀଙ୍କ ପାଇଁ ସହଜ ନଥିଲା । ୧୫ ଅଗଷ୍ଟ ୧୯୪୭ ମସିହା ବ୍ରିଟିଶ ଶାସନରୁ ସ୍ୱାଧୀନ ହୋଇଥିଲା ଭାରତ । ସ୍ୱଧୀନତା ଦେବା ସହ ବ୍ରିଟିଶମାନେ ଯେଉଁ ବିଭାଜନର ମଞ୍ଜି ବୁଣି ଦେଇଯାଇଥିଲେ । ସେଥିରେ ଲକ୍ଷ ଲକ୍ଷ ଲୋକଙ୍କର ଜୀବନ ବର୍ବାଦ ହୋଇଯାଇଥିଲା । କାରଣ ହିନ୍ଦୁସ୍ତାନ ବିଭାଜନ ହୋଇ ଭାରତ ଓ ପାକିସ୍ତାନ ହୋଇଥିଲା । ଆଉ ଏହାର ପ୍ରଭାବ ଲକ୍ଷ ଲକ୍ଷ ପରିବାର ଉପରେ ପଡିଥିଲା ।
ଯେଉଁଥିରେ ସାମିଲ ଥିଲେ ଧର୍ମପାଲ ଗୁଲାଟିଙ୍କ ପରିବାର । ରୋଜଗାର ଖୋଜି ଖୋଜି ପାକିସ୍ତାନରୁ ଦିଲ୍ଲୀ ଚାଲି ଆସିଥିଲେ ଧର୍ମପାଲ ଗୁଲାଟୀଙ୍କ ପରିବାର । ଆଉ ଦିଲ୍ଲୀରେ ପହଞ୍ଚିବା ପରେ ଘୋଡା ଗାଡି ଚଲାଇବା ଆରମ୍ଭ କରିଥିଲେ ଗୁଲାଟି ।ବାପାଙ୍କ ଠାରୁ ଆଣିଥିବା ୧୫୦୦ ଟଙ୍କାରୁ ୬୫୦ ଟଙ୍କାରେ ଘୋଡା ଗାଡି କିଣିବା ସହ ଦିଲ୍ଲୀର ଷ୍ଟେସନରେ ଏହାକୁ ଚଳାଇବା ଆରମ୍ଭ କରିଥିଲେ । ପରେ କରୋଲାବାଗର ଅଜମଲ ଖାଁ ରୋଡରେ ସିଆଲକୋଟରୁ ମସଲା ଆଣି ବିକ୍ରି କରିବା ଆରମ୍ଭ କରିଥିଲେ ଗୁଲାଟି । ଆଉ ଗୁଲାଟିଙ୍କ ମସଲା ଲୋକଙ୍କର ଏତେ ପସନ୍ଦ ହୋଇଗଲା ଯେ ୬୦ ଦଶକରେ ପାଲ ତଳେ ଆରମ୍ଭ ହୋଇଥିବା ଏହି ଦୋକାନ ଦିଲ୍ଲୀର ପ୍ରତିଷ୍ଠିତ ଦୋକାନ ଭାବେ ଉଭା ହୋଇସାରିଥିଲା । ଆଉ ଏହାପରେ ଦିଲ୍ଲୀର ବିଭିନ୍ନ ସ୍ଥାନରେ ବ୍ୟବସାୟ ଆରମ୍ଭ କରିଥିଲେ ମହାଶୟ ଧର୍ମପାଲ ଗୁଲାଟି । ୧୯୫୯ ମସିହାରେ ଦିଲ୍ଲୀର କୀର୍ତ୍ତୀ ନଗରରେ ପ୍ରଥମେ ମସଲା ପ୍ରସ୍ତୁତ ପାଇଁ ଫ୍ୟାକ୍ଟ୍ରି ନିର୍ମାଣ କରିଥିଲେ ଗୁଲାଟି । ଆଉ ସମୟକ୍ରମେ ଏହା ଏବେ ପୂରା ବିଶ୍ୱରେ ଏମଡିଏଚ୍ ବ୍ରାଣ୍ଡ ଭାବେ ଉଭା ହୋଇଛି ।